ସ୍ବାଭିମାନ ଅଂଚଳରେ ପୁଣି ଦୁର୍ନୀତିର ଗନ୍ଧ; ଏମଜିଏନଆରଜିଏରେ କାମ ନହୋଇ ଟଙ୍କା ହଡ଼ପ ଅଭିଯୋଗ

ମାଲକାନଗିରି: ଦୁର୍ଗମ ତଥା ନକ୍ସଲ ପ୍ରବଣ ଅଂଚଳ ଭାବେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାର ସ୍ବାଭିମାନ ଅଂଚଳ ରହିଛି। ସ୍ବାଭିମାନ ଅଂଚଳର ୯ଟି ପଞ୍ଚାୟତ ଦଶନ୍ଧି ଦଶନ୍ଧି ଧରି ବିଛିନ୍ନ ହୋଇ ରହିଥିବା ବେଳେ ନକ୍ସଲ ଏଠାରେ ରାଜ କରୁଥିଲେ। ଗତ ୨୦୧୮ ମସିହା ଜୁଲାଇ ୨୬ ତାରିଖ ଦିନ ବହୁ ପ୍ରତିକ୍ଷୀତ ଗୁରୁପ୍ରିୟା ସେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବା ପରେ ଏହା ବିଛିନ୍ନାଞ୍ଚଳରୁ ସ୍ବାଭିମାନ ଅଂଚଳରେ ପରିଣତ ହେଲା। ସେହି ଦିନ ଠାରୁ ସ୍ବାଭିମାନ ଅଂଚଳରେ କୋଟି କୋଟି ଟଂକାର ଉନ୍ନୟନ କାମ ଆରମ୍ଭ ହୋଇଥିବା ବେଳେ ନକ୍ସଲକୁ ପଛଘୁଞ୍ଚା ଦେବାକୁ ବିଏସଏଫଙ୍କୁ ଅବସ୍ଥାପିତ କରାଗଲା। ୯ଟି ପଞ୍ଚାୟତର ୧୫୧ଟି ଗ୍ରାମକୁ ଆଜି ବି ପକ୍କା ରାସ୍ତା ନଥିବା ବେଳେ ଧିରେ ଧିରେ ଗାଁକୁ ଗାଁ ରାସ୍ତା ସଂଯୋଗ କରାଯାଉଛି।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜୋରସୋରରେ ରାସ୍ତା କାମ ଚାଲିଛି। ତେବେ ବ୍ଲକ ପ୍ରଶାସନ ତରଫରୁ କିନ୍ତୁ ଯେଉଁ ସବୁ ଉନ୍ନୟନ କାମ ଏହି ଅଂଚଳରେ ଚାଲିଛି ତାହାକୁ ନେଇ ସଂଦେହ ଉପୁଜୁଛି। ଏହି ୯ଟି ପଞ୍ଚାୟତରେ ଏମଜିଏଆରଜିଏ କାମ କିପରି ଚାଲିଛି ତାହାକୁ ନେଇ ବ୍ଲକ ପ୍ରଶାସନ ଏବେ ସଂଦେହ ଘେରରେ।

ସ୍ବାଭିମାନ ଅଂଚଳର ଅତି ଦୁର୍ଗମ ପଞ୍ଚାୟତ ହେଉଛି ଧୂଳିପୁଟ।ଏହି ପଞ୍ଚାୟତ ସୀମାନ୍ତ ଆନ୍ଧ୍ରକୁ ଲାଗି ରହିଛି। ଏପରିକି ଏହି ପଞ୍ଚାୟତରେ ଗତ ୨୦୧୧ ବେଳକୁ ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କୁ ଅପହରଣ କରାଯାଇ ରଖାଯାଇଥିଲା। ଏହି ପଞ୍ଚାୟତକୁ ବ୍ଲକ ପ୍ରଶାସନ କିମ୍ବା ଜିଲ୍ଲା ଅଧିକାରୀମାନେ କେବେ ମଧ୍ୟ ପାଦ ଦେଉନଥିବାରୁ ଏଠାରେ ଉନ୍ନୟନ କାମ କିପରି ଚାଲିଛି ତାହା ସହଜରେ ଅନୁମେୟ। ଏହି ଅଂଚଳକୁ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଏହି ପଞ୍ଚାୟତର ଦୁଇଟି ସ୍ଥାନରେ ଏମଜିଏନଆରଜିଏ କାମ ନହୋଇ ଟଂକା ହଡ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ।ସେଗୁଡିକ ମଧ୍ୟରୁ ଦୁର୍ଗମ ତଥା ଚର୍ଚିତ ଜୁମଡାଙ୍ଗ ଗ୍ରାମରେ ୧୦ ହେକ୍ଟର ଜାଗାରେ ପଥର ବଣ୍ଡିଂ କରାଯାଇଥିବା ନେଇ ଏକ ନାମଫଳକ ଲଗାଯାଇଛି। ଜୁମଡାଙ୍ଗ ଗ୍ରାମର ଆରମ୍ଭରେ ଏହି ନାମ ଫଳକ ଦେଖିବାକୁ ମିଳିଥିଲା।ଏହି ପଥର ବଣ୍ଡିଂ କାମ ୫ ଲକ୍ଷ ଟଂକାର ବୋଲି ନାମଫଳକରେ ଉଲ୍ଲେଖ ରହିଛି। ତେବେ ଏହି କାମ କେଉଁଠାରେ ହୋଇଛି ତାହା ଗ୍ରାମବାସୀଙ୍କୁ ପଚାରିବାରୁ କାମ ହୋଇନଥିବା କହିଥିଲେ। କେବଳ ନାମଫଳକ ମାରି ଦେଇ ଜିଆରଏସ କାମ ସାରି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ତେବେ ଏନେଇ କନିଷ୍ଠ ଯନ୍ତ୍ରୀ ନୟନ ସରକାରଙ୍କୁ ପଚାରିବାରୁ ସେ ଏ କାମ ସଂପର୍କରେ ଜାଣିନଥିବା କହିବା ସହ ଏହା ଜିଆରଏସର କାମ କହି କଥାକୁ ଟାଳି ଦେଇଥିଲେ। ସେହିପରି ଜିଆରଏସ ମାଛୁ ଖରାଙ୍କୁ ପଚାରିବାରୁ ସେ କାମ ହୋଇଥିବା ଯୁକ୍ତି ବାଢିଥିଲେ।

ସେହିପରି ଡଲିଆମ୍ଭ ଠାରୁ ଟୋଲେଲ ପର୍ଯ୍ୟନ୍ତ ଯାଇଥିବା ଆରିଡି ରାସ୍ତା ଠାରୁ ଏସ.କୋଟା ପର୍ଯ୍ୟନ୍ତ ଏମଜିଏନଆରଜିଏରେ ରାସ୍ତା କାମ କରାଯାଇଥିବା ନେଇ ଆରଡି ରାସ୍ତାରେ ଏକ ନାମ ଫଳଖ ମରାଯାଇଛି।ତେବେ ଏହି କାମ କରାଯାଇଛି କି ନାହି ଯାଞ୍ଚ କରିବା ବେଳକୁ ମାତ୍ର କିଛି ମିଟର ମାଟି ପକାଇ ଦେଇ ଜିଆରଏସ କାମ ସାରି ଦେଇଛନ୍ତି।ଗ୍ରାମବାସୀଙ୍କ କହିବା ହେଲା ଦୀର୍ଘ ଦିନ ଧରି ଏହି କାମକୁ ପକାଇ ଶେଷରେ ଏକ ନାମଫଳକ ମାରିଦେଇ ଜିଆରଏସ କାମ ସାରି ଦେଇଥିବା ଅଭିଯୋଗ କରିଥିଲେ। ଲିମାଟାଙ୍ଗ ଠାରୁ ଏସ.କୋଟା ପର୍ଯ୍ୟନ୍ତ ରାସ୍ତାର ଅଟକଳ ୭ ଲକ୍ଷ ୬୦ ହଜାର ଟଂକା ରଖାଯାଇଛି।

ତେବେ ଏହି ରାସ୍ତା ମେଟାଲ ମୁରୁମ ହେବା କଥା।କିନ୍ତୁ ନାମଫଳକ କରିଦେଇ ଫଟୋ ଉଠାଇ ଟଂକା ହଡପ କରାଯାଇଥିବା ଅଭିଯୋଗ ହୋଇଛି।ତେବେ ଏହି ଧୂଳିପୁଟ ପଞ୍ଚାୟତର ଜିଆରଏସ ମାଛୁ ଖରାଙ୍କୁ ପଚାରିବାରୁ କାମ ଯାହା ହୋଇଛି ସେତିକି ଟଂକା ଲୋକଙ୍କୁ ପୈଠ କରାଯାଇଛି। କଞ୍ଚା ମାଲ ଆସିନଥିବାରୁ କାମ ହୋଇନଥିବା କୁହାଯାଇଛି।ତେବେ ଏହାର ବିହିତ ତଦନ୍ତ ହେଲେ ସବୁ ସତ୍ୟ ପଦାକୁ ଆସିବ ବୋଲି ଗ୍ରାମବାସୀ ଦାବି କରିଛନ୍ତି।ମିଳିମିଶି ବିଭାଗୀୟ ଅଧିକାରୀମାନେ ଟଂକା ହଡପ କରିଥିବା ଗ୍ରାମବାସୀ ଅଭିଯୋଗ କରଥିଲେ।

ଧୂଳିପୁଟ ପଞ୍ଚାୟତର ଏହି ଦୁଇଟି କାମ ହିଁ ନୁହେଁ।ଭିତରେ ରହିଥିବା ଦୁର୍ଗମ ଗ୍ରାମର ହୋଇଥିବା ଉନ୍ନୟନ କାମର ତଦାରଖ କଲେ ଆହୁରି ଅଧିକା ଦୁର୍ନୀତି ବାହାରିବ ବୋଲି ସ୍ଥାନୀୟ ଅଂଚଳର ଲୋକେ କହିଥିଲେ। ପ୍ରକାଶ ଥାଉକି ସ୍ବାଭିମାନ ଅଂଚଳରେ କିପରି ଶୌଚାଳୟ ଦୁର୍ନୀତି ହୋଇଥିଲା ଏହାର ଖବର ପ୍ରକାଶ ପାଇବା ପରେ ବିଡିଓ, କନିଷ୍ଠ ଯନ୍ତ୍ରୀ ନିଳମ୍ବିତ ହୋଇଥିଲେ। ଏବେ ଏମଜିଏନଆରଜିଏର ହୋଇଥିବା ଏହି ଦୁର୍ନୀତିର ତଦନ୍ତ ହେଲେ ବହୁ ଅଧିକାରୀ ଏଥିରେ ଫସିବେ ବୋଲି କୁହାଯାଇଛି। ତେବେ ଏନେଇ ବିଡିଓଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିବାରୁ ତାଙ୍କ ପ୍ରତିକ୍ରିୟା ଦିଆଯାଇପାରି ନାହିଁ।

ସମ୍ବନ୍ଧିତ ଖବର