ଚାକିରି ଦେବା ନାଁରେ ଠକେଇ

ଝାରସୁଗୁଡ଼ା: ଏକ କମ୍ପାନିରେ ଚାକିରି କରାଇଦେବା ପ୍ରତିଶ୍ରୁତି ଦେଇ ଆନ୍ଧ୍ରପଦେଶର ୨ ଯୁବତୀଙ୍କୁ ଝାରସୁଗୁଡ଼ା ଆଣି ନେଟୱର୍କ ମାର୍କେଟିଂରେ ଲଗାଯାଇଥିଲା। ଏ ସଂପର୍କରେ ଜାଣି କୋଶଳସେନାର ସଦସ୍ୟମାନେ ପହଞ୍ଚି ସଦର ଥାନାରେ ଅଭିଯୋଗ କରିବା ପରେ ବିଟିଏମ୍‌ ଅଞ୍ଚଳରୁ ଉକ୍ତ ୨ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ କୋଶଳସେନାର ସଦସ୍ୟମାନେ ଟ୍ରେନ୍‌ ଯୋଗେ କାକ୍କିନାଡ଼ା ପଠାଇଛନ୍ତି। ସେପଟେ କିନ୍ତୁ ଚାକିରି ନାଁରେ ଯୁବତୀ ଦ୍ବୟଙ୍କୁ ଆଣିଥିବା ଏସ୍‌ଜେପିଏଲ୍‌ କମ୍ପାନି କି ତା’ର କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବା ପୁଲିସ୍‌ର ଆଭିମୁଖ୍ୟ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୂର୍ବରୁ ବି ସଦର ଥାନାଞ୍ଚଳରେ ଚାକିରି ଦେବା ନାଁରେ ଏଭଳି ଠକେଇ ଅଭିଯୋଗ ଆସିଥିଲେ ହେଁ ପୁଲିସ୍‌ ଅଭିଯୁକ୍ତଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିଥିବା ନଜିର ରହିଛି।
ଅଭିଯୋଗ ଅନୁସାରେ, ୨ ମାସ ତଳେ କାକ୍କିନାଡ଼ାର ୨ ଯୁବତୀଙ୍କ ନିକଟକୁ ଝାରସୁଗୁଡ଼ାରୁ ଫୋନ୍‌ କଲ୍‌ ଯାଇଥିଲା। ସେମାନଙ୍କୁ ଉତ୍ତମ ଦରମା ସାଙ୍ଗକୁ ରହିବା, ଖାଇବା ସୁବିଧା ଦିଆଯିବ ବୋଲି କୁହାଯାଇ ୨୨ ହଜାର ଟଙ୍କା ଲେଖାଏଁ ନିଆଯାଇଥିଲା। କେବଳ ସେତିକି ନୁହେଁ, କମ୍ପାନି ଚାକିରି ହୋଇଥିବାରୁ ଏଥିରେ ଭବିଷ୍ୟତ ଭଲ ରହିଥିବା ନେଇ ମଧ୍ୟ ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ଯୁବତୀ ଦ୍ବୟ ଝାରସୁଗୁଡ଼ାରେ ପହଞ୍ଚିବା ପରେ ସେମାନଙ୍କୁ ବିଟିଏମ୍‌ର ଏକ ଘରେ ରଖାଇ ଉଭୟଙ୍କ ମାଟ୍ରିକ୍‌ ସାର୍ଟିଫିକେଟ ଉକ୍ତ କମ୍ପାନିର କର୍ମଚାରୀ ନେଇ ଯାଇଥିଲେ। ପରେ ସେମାନଙ୍କୁ ନେଟୱର୍କ ମାର୍କେଟିଂ କରିବା ସାଙ୍ଗକୁ ଆଉ ଜଣେ ଲେଖାଏ ଯୁବକ ବା ଯୁବତୀଙ୍କୁ ଆଣି ଏଠାରେ ସାମିଲ୍‌ କରିବାକୁ ବାଧ୍ୟ କରାଯାଇଥିଲା। ଠକେଇର ଶିକାର ହୋଇଥିବା ଜାଣି ଯୁବତୀ ଦ୍ବୟ ଫେରିଯିବାକୁ ଚାହିଁଥିଲେ ହେଁ ମାର୍ଟିକ୍ ସାର୍ଟିଫିକେଟ ବନ୍ଧକ ଥିବାରୁ ତାହା କରିପାରି ନଥିଲେ। ଏ ନେଇ ସେମାନେ ତାଙ୍କର ଜଣେ ବନ୍ଧୁଙ୍କୁ ଫୋନ୍‌ କରି ଜଣାଇଥିଲେ। ଆନ୍ଧ୍ରପ୍ରଦେଶରୁ ଗତକାଲି ଆଉ ଜଣେ ଯୁବତୀ ପହଞ୍ଚି କୋଶଳସେନା ସହିତ ଯୋଗାଯୋଗ କରିବା ପରେ ଉକ୍ତ ଯୁବତୀ ଦ୍ବୟଙ୍କୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର