ଡମଣଭୂମା-ଓଳସିଂହ ରାସ୍ତା ନିର୍ମାଣରେ ଦୁର୍ନୀତି, ୨୭ ଲକ୍ଷ ଟଙ୍କାର କାମ ୩ ଘଂଟାରେ ଶେଷ!

ଖୋର୍ଦ୍ଧା: ନିର୍ମାଣ କାର୍ଯ୍ୟକୁ ପ୍ରୋତ୍ସାହନ ଓ ଶ୍ରମିକଙ୍କୁ ନିଯୁକ୍ତି ଦେବା ପାଇଁ ଲକଡାଉନ କଟକଣାକୁ କୋହଳ କରାଯାଇଛି । କିନ୍ତୁ ଏହି ନିର୍ମାଣ କାର୍ଯ୍ୟଗୁଡ଼ିକରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିବା ଆରମ୍ଭ ହୋଇଛି । ଟଙ୍ଗି ବ୍ଲକ ଅଧୀନ ଓଳସିଂହ ପଂଚାୟତରେ ଏଭଳି ରାସ୍ତା କାମରେ ଜାଲିଆତି ହୋଇଥିବା ନେଇ ଖୋଦ୍ ସରପଂଚ ଅଭିଯୋଗ କରିଛନ୍ତି ।

ଆଜି ଏନେଇ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରି ଘଟଣାର ତଦନ୍ତ କରିବାକୁ ସରପଂଚ ପ୍ରେମାନନ୍ଦ ପରିଡ଼ା, ସମିତି ସଭ୍ୟା ଯସ୍ମିତା ବରିସଲ ପ୍ରମୁଖ ଦାବି କରିଛନ୍ତି । ନିଜର ଅଭିଯୋଗରେ ଦର୍ଶାଇଛନ୍ତି ଯେ ଓଳସିଂହ-ଗୟାବନ୍ଧ ରାସ୍ତାର ଡମଣାଭୂମୀ ତୋଟା ଠାରେ ୩୦୦ ମିଟର ରାସ୍ତା ନିର୍ମାଣ ପାଇଁ ଅର୍ଥ ମଂଜୁର ହୋଇଥିଲା । କିନ୍ତୁ ଏହି ରାସ୍ତା ନିର୍ମାଣ ନକରି ଅନ୍ୟ ଭଲ ରାସ୍ତାରେ ପିଚୁ ମଡ଼ାଇ କାମ ଶେଷ କରିଛନ୍ତି ।
ଓଳସିଂହ ସରପଂଚ ପ୍ରେମାନନ୍ଦ ପରିଡ଼ାଙ୍କ କହିବାନୁସାରେ, ଡମରଭୂମା-ଓଳସିଂହ ରାସ୍ତା ନିର୍ମାଣ ପାଇଁ ଗାଁର କିଛି ବଦାନ୍ୟ ବ୍ୟକ୍ତି ସ୍ୱଇଚ୍ଛାରେ ନିଜର ଘରୋଇ ଜମି ଛାଡ଼ିଥିଲେ ।

ଏନେଇ ପଂଚାୟତର ପ୍ରସ୍ତାବ ମଧ୍ୟ ଗୃହିତ ହୋଇଥିଲା । ଏହାପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ ୨୭ଲକ୍ଷ ଟଙ୍କାର ଟେଣ୍ଡର ହୋଇଥିଲା । ଲକଡାଉନ ଯୋଗୁଁ କାମ ଅଟକି ରହିଥିଲା । କିନ୍ତୁ ଗତକାଲି ମଧ୍ୟ ରାତ୍ରିରେ ସେହି ରାସ୍ତା ନିର୍ମାଣ ନକରି ଗୟାବନ୍ଧର ଅନ୍ୟ ଏକ ଭଲ ରାସ୍ତାରେ ୩ଘଂଟାରେ ମଧ୍ୟରେ ପିଚୁ ଢାଳି କାମ ଶେଷ ହୋଇଯାଇଥିବା ଦର୍ଶାଯାଇଛି । ସରପଂଚ ଶ୍ରୀ ପରିଡ଼ା କହିଛନ୍ତି ଯେ ସେ ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠଯନ୍ତ୍ରୀଙ୍କୁ ପଚାରିଥିଲେ । କନିଷ୍ଠଯନ୍ତ୍ରୀ କହିଛନ୍ତି ଯେ ଗୟାବନ୍ଧ ଲୋକ ରାସ୍ତା କାମ କରିବାକୁ ବିରୋଧ କରିଥିଲେ । ଏଣୁ କାମକୁ ପରିବର୍ତନ କରାଯାଇଛି ।

ତେବେ ବର୍ତମାନ ଯେଉଁ ସ୍ଥାନରେ ପିଚୁ ଢଳାଯାଇଛି ତାହା ଗୟାବନ୍ଧ ପଂଚାୟତରେ ପଡ଼ୁଛି । ଯଦି ଗୟାବନ୍ଧ ଲୋକ ବିରୋଧ କରିଥିଲେ ତେବେ ଡମଣଭୂମାରେ କାମ ନହୋଇ ଗୟାବନ୍ଧରେ କାହିଁକି କରାଗଲା? ଏହି ପ୍ରଶ୍ନର ଉତ୍ତରରେ ବିଭାଗୀୟ ଏସ୍ଡିଓ ମଧ୍ୟ ସନ୍ତୋଷଜନକ ଭାବେ ଦେଇପାରିନାହାନ୍ତି । ଏହି ଦୃଷ୍ଟିରୁ ଘଟଣା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ତଦନ୍ତ କରିବା ସହ ସମ୍ପୃକ୍ତ ଠିକାଦାର, ଜେଇ ଓ ଏସ୍ଡିଓଙ୍କ ବିରୋଧରେ ପଦକ୍ଷେପ ନେବାକୁ ସରପଂଚ, ସମିତି ସଭ୍ୟ ପ୍ରମୁଖ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର