ଖେଳ ସାମଗ୍ରୀ କିଣାରେ ବଡ ଦୁର୍ନୀତି; ଘରୋଇ ସଂସ୍ଥା ହିଁ ସ୍କୁଲକୁ ଦେଉଛି ସାମଗ୍ରୀ

ଅତି ନିମ୍ନମାନର ଖେଳ ସାମଗ୍ରୀ ପ୍ରଦାନ ନେଇ ଅଭିଯୋଗ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଶିକ୍ଷା ବିଭାଗରେ ଦୁର୍ନୀତି ବଢିବାରେ ଲାଗିଛି। ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଏବେ ଶିକ୍ଷାର ବାଟ ଅଗାଳିଛି କରୋନା। ସ୍କୁଲ କଲେଜ ବନ୍ଦ ଥିବା ଯୋଗୁ ପିଲାମାନେ ମଧ୍ୟ ପାଠ ପଢାରେ ମନ ଦେଉନଥିବା ଦେଖିବାକୁ ମିଳିଛି। ଅନଲାଇନ ଶିକ୍ଷା ଜିଲ୍ଲାରେ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ମାତ୍ର ଦଶ ପ୍ରତିଶତ ପିଲା ହିଁ ଅନଲାଇନରେ ଶିକ୍ଷା ଗ୍ରହଣ କରୁଥିବା ସଂପୃକ୍ତ ବିଭାଗ ସ୍ବୀକାର କରିଛି। ଗୋଟିଏ ଦିଗରେ ଶିକ୍ଷା ବିପର୍ଯ୍ୟସ୍ତ ହେଉଥିବା ବେଳେ ସ୍କୁଲ ଗୁଡିକକୁ ପ୍ରଦାନ କରାଯାଉଥିବା ବିଭିନ୍ନ ଉପକରଣ ଖରିଦରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇପଡୁଛି।

ମାଲକାନଗିରି ଜିଲ୍ଲାରେ ରହିଥିବା ୧୦୫ଟି ହାଇସ୍କୁଲକୁ ପ୍ରଦାନ କରାଯାଇଥିବା ଖେଳ ସାମଗ୍ରୀରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ସ୍କୁଲଗୁଡିକକୁ ଦିଆଯାଇଥିବା ଖେଳ ସାମଗ୍ରୀ ଅତି ନିମ୍ନମାନର ହୋଇଥିବା ଦେଖିବାକୁ ମିଳିଛି। ଏଠାରେ ସୂଚନାଯୋଗ୍ୟ ଯେ ଜିଲ୍ଲା ସର୍ବଶିକ୍ଷା ଅଭିଯାନ ତରଫରୁ ପ୍ରତ୍ୟେକ ହାଇସ୍କୁଲକୁ ୨୦୧୯-୨୦ ବର୍ଷ ପାଇଁ ୨୫ ହଜାର ଟଂକା ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ୨୦୨୦-୨୧ ବର୍ଷ ପାଇଁ ୨୫ ହଜାର ଟଂକା ପ୍ରତ୍ୟେକ ସ୍କୁଲକୁ ପ୍ରଦାନ କରାଯାଇଛି। ଏହି ୫୦ ହଜାର ଟଂକାରେ ସ୍କୁଲ କର୍ତ୍ତୃପକ୍ଷ ପିଲାଙ୍କ ପାଇଁ ଉନ୍ନତମାନର ଖେଳ ସାମଗ୍ରୀ ଖରିଦ କରିବେ। କିନ୍ତୁ କୌଣସି ସ୍କୁଲର ପ୍ରଧାନ ଶିକ୍ଷକ ଏହି ଟଂକାରେ ନିଜର ମନ ମୁତାବକ ଖେଳ ସାମଗ୍ରୀ କ୍ରୟ କରି ପାରିନାହାଁନ୍ତି। ହାଇସ୍କୁଲର ପ୍ରଧାନ ଶିକ୍ଷକମାନଙ୍କୁ ଜିଲ୍ଲା ଶିକ୍ଷା ବିଭାଗର କୌଣସି ଜଣେ କ୍ଷମତାଶାଳୀ ବ୍ୟକ୍ତି ଖେଳ ସାମଗ୍ରୀ ଖରିଦ ନକରିବା ସହ କେହି ଜଣେ ଆପଣମାନଙ୍କ ନିକଟରେ ଖେଳ ସାମଗ୍ରୀ ପହଞ୍ଚାଇ ଦେବ ବୋଲି କହିବା ପରେ ଡର ଏବଂ ଭୟରେ କୌଣସି ପ୍ରଧାନ ଶିକ୍ଷକ ନିଜର ମନ ମୁତାବକ ଖେଳ ସାମଗ୍ରୀ ଖରିଦ କରି ପାରିନାହାଁନ୍ତି।

ଭୁବନେଶ୍ବରର ସସ୍ମିତା ଟ୍ରେଡ଼ର୍ସ ନାମକ ସଂସ୍ଥା ଜିଲ୍ଲାରେ ବୁଲି ବୁଲି ଗାଡିରେ ପ୍ରତ୍ୟେକ ସ୍କୁଲକୁ ଦୁଇଟି ପ୍ୟାକେଟ ଖେଳ ସାମଗ୍ରୀ ପ୍ରଦାନ କରିଛନ୍ତି।ପ୍ୟାକେଟ ଗୋଟିକ ୨୫ ହଜାର ଟଂକା ବୋଲି କୁହାଯାଇଛି। ଏହି ପ୍ୟାକେଟରେ ରହିଥିବା ଖେଳ ସାମଗ୍ରୀ ଅତି ନିମ୍ନମାନର। ଥରେ ଖେଳିବା ପରେ ସେସବୁ ଭାଙ୍ଗିଯିବ। କୌଣସି ପ୍ରଧାନ ଶିକ୍ଷକ ଏନେଇ ସ୍ବରତ୍ତୋଳନ କରି ପାରୁନାହାଁନ୍ତି। ଚାକିରିରେ ଭୟ ରହିଥିବାରୁ ସମସ୍ତେ ଚୁପ ହୋଇ ବସି ରହିଛନ୍ତି। ତେବେ ସଂପୃକ୍ତ ସଂସ୍ଥାକୁ କିଏ ଟେଣ୍ଡର ଦେଲା ବୋଲି ଏଠାରେ ପ୍ରଶ୍ନ ଉଠିଛି। ସ୍କୁଲମାନଙ୍କୁ କାହିଁକି କୋଟେସନ ଦିଆଗଲା ନାହିଁ, କାହିଁକି ସେମାନଙ୍କ ମନମୁତାବକ ଖେଳ ସାମଗ୍ରୀ ଖରିଦ ପାଇଁ କୁହାଗଲା ନାହିଁ। ଜିଲ୍ଲାର ସମସ୍ତ ହାଇସ୍କୁଲଗୁଡିକ ଜଣେ ସଂସ୍ଥାରୁ ହିଁ କ୍ରିଡା ସାମଗ୍ରୀ ଖରିଦ ପାଇଁ ନିର୍ଦେଶ ଦିଆଯାଇଥିଲା ବୋଲି ଜଣେ ପ୍ରଧାନ ଶିକ୍ଷକ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି।

Sambad

ତେବେ ଏହାକୁ କିଏ ନିର୍ଦେଶ ଦେଇଛି ତାହା ମଧ୍ୟ ଏବେ ତଦନ୍ତ ସାପେକ୍ଷ। ପ୍ରତ୍ୟେକ ସ୍କୁଲକୁ ଟଂକା ପଠାଗଲା ସତ କିନ୍ତୁ ସେହି ଟଂକାରେ ସେମାନେ କିଛି ବି କରିପାରିବେ ନାହିଁ। ସ୍କୁଲକୁ ଟଂକା ଆସିବ ସତ କିନ୍ତୁ ସେହି ଟଂକାକୁ ପୁଣି କୌଣସି ଯୁକ୍ତିତର୍କ ନକରି ସଂପୃକ୍ତ ସଂସ୍ଥାକୁ ଟେକି ଦେବାକୁ ନିର୍ଦେଶ ରହିଛି। ଯାହାଫଳରେ ଆଜି ପ୍ରତ୍ୟେକ ସ୍କୁଲରେ ଖେଳ ସାମଗ୍ରୀ ଗୁଡିକ ଅଦରକାରୀ ହୋଇ ପଡି ରହିଛି। ଯଦି ଦେଖିବା ଗତ ବର୍ଷ ମଧ୍ୟ ଏଭଳି ଏକ ଦୁର୍ନୀତି ହୋଇଥିବାର ଗନ୍ଧ ବାରି ହୋଇଥିଲା। ଅଗ୍ନି ନିର୍ବିପାକ ଯନ୍ତ୍ର ଖରିଦରେ ବଡ ଧରଣର ଦୁର୍ନୀତି ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା। ଏହାକୁ ଉପର ମହଲାରୁ ହିଁ ଚପାଇ ଦିଆଯାଇଥିଲା।

୧୮ ହଜାର ଟଂକା ୬ଟି ଅଗ୍ନି ନିର୍ବାପକ ଯନ୍ତ୍ର ପ୍ରତ୍ୟେକ ସ୍କୁଲକୁ ପ୍ରଦାନ କରାଯାଇଥିଲା। ଗୋଟିଏ ଗୋଟିଏ ଅଗ୍ନି ନିର୍ବାପକ ଯନ୍ତ୍ରର ମୂଲ୍ୟ ପ୍ରାୟ ତିନି ହଜାର ଟଂକା ରହିଥିଲା। ଏବେ ସବୁ ହାଇସ୍କୁଲରେ ସେହି ଅଗ୍ନି ନିର୍ବିପାକଗୁଡିକ ଖତ ଖାଉଛି। କୌଣସି ଗୋଟିଏ ବି କାମ କରୁନଥିବା ଦେଖିବାକୁ ମିଳିଛି। ଏହି ଅଗ୍ନି ନିର୍ବିପାକ ଯନ୍ତ୍ର ଗୁଡିକକୁ ଭୁବନେଶ୍ବରର ପୁଫିନ ସପ୍ଲାୟାର୍ସ ପ୍ରଦାନ କରିଥିବା ଜଣାପଡିଛି। ତେବେ ଏବେ ପୁଣି ଖେଳ ସାମଗ୍ରୀରେ ହୋଇଥିବା ଲକ୍ଷାଧିକ ଟଂକାର ଦୁର୍ନୀତିର ଉଚିତ ତଦନ୍ତ କରାଯାଇ ଏଥିରେ ସାମିଲ ଥିବା ଶିକ୍ଷା ବିଭାଗର ଅଧିକାରୀଙ୍କୁ ଚିହ୍ନଟ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି। ଏନେଇ ଜିଲ୍ଲା ଶିକ୍ଷାଧିକାରୀ ରମେଶ ସେଠୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିବାରୁ ତାଂକ ପ୍ରତିକ୍ରିୟା ଏଠାରେ ଦିଆଯାଇପାରି ନାହିଁ।

ସମ୍ବନ୍ଧିତ ଖବର