ରାଉରକେଲା: ଲାଠିକଟା ବ୍ଲକ ଅନ୍ତର୍ଗତ ବାଙ୍କି ଲ୍ୟାମ୍ପସର ପଞ୍ଜିକୃତ ଚାଷୀ ନରେଶ ଏକ୍କା। ତାଙ୍କୁ ଏକ ସଂସ୍ଥା ଜରିଆରେ ଏକ ଚାଇନା କମ୍ପାନିର ପାୱାରଟିଲର ଦିଆଯାଇଥିଲା। ଦୁଇଦିନ ପରେ ସଂସ୍ଥା ସେହି ପାୱାରଟିଲରକୁ ନେଇଗଲା। ୧୪ ମାସ ପର୍ଯ୍ୟନ୍ତ ଦେଲାନି। ବାରମ୍ବାର ଦୌଡ଼ିବାପରେ ଅନ୍ୟ ଏକ କମ୍ପାନିର ପାୱାରଟିଲର ଧରାଇଦେଲେ।
କିଛିଦିନ ଚାଲିବା ପରେ ତାହା ଖରାପ ହୋଇଗଲା। ଏବେ ସେହି ପାୱାରଟିଲରଟି ଘରେ ପଡିଛି। ଅନ୍ୟ ଜଣେ ଚାଷୀ ଜଗନ୍ନାଥ କିସାନ। ତାଙ୍କୁ ଯୋଗାଇ ଦିଆଯାଇଥିବା ନକଲି କମ୍ପାନିର ପାୱାରଟିଲର ଅଚଳ ହୋଇପଡିଛି। ସେମିତି ଆଉ ଜଣେ ଚାଷୀ ହେଲେ ଗୁରୁଣ୍ଡିଆ ବ୍ଲକ ପିତା ଗାଁର ମାନମାସି ତିଗା। ତାଙ୍କୁ ମଧ୍ୟ ସେହି ସମାନ କମ୍ପାନିର ପାୱାରଟିଲର ଦିଆଯାଇଛି। ତା’ ମଧ୍ୟ ଅକାମୀ ହୋଇ ଖତଖାଉଛି।
ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ, ଜର୍ଡା, ବଣାଇ, ଲାଠିକଟା, କଲୁଙ୍ଗା, ବିଶ୍ରା, ରାଏବୋଗା, କୁଆରମୁଣ୍ଡା, ହାତୀବାରି, ଖୁଣ୍ଟଗାଁ ସମତେ ଅନ୍ୟ ବ୍ଲକଗୁଡ଼ିକରେ ଥିବା ଲ୍ୟାମ୍ପସଗୁଡ଼ିକରୁ ଶହ ଶହ ଚାଷୀଙ୍କୁ ପାୱାରଟିଲର ଋଣରେ ଦିଆଯାଇଛି। ପାୱାରଟିଲର ଋଣ ନାଁରେ ବ୍ୟାଙ୍କର ଅଧିକାରୀ ଓ ସଂସ୍ଥା ଲକ୍ଷଲକ୍ଷ ଟଙ୍କା ହରିଲୁଟ୍ କରିଛନ୍ତି।
ଏହି ସଂସ୍ଥା ଗତ ୮ ବର୍ଷ ମଧ୍ୟରେ ପାଖାପାଖି ୫ ହଜାରରୁ ଅଧିକ ଚାଷୀଙ୍କୁ ପାୱାରଟିଲର ଯୋଗାଇ ଦେଇଛି। ସୁନ୍ଦରଗଡ଼ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (ଏସ୍ଡିସିସି)ରୁ ପାୱାରଟିଲର ଦେବାକୁ ଚାଷୀଙ୍କ ନାଁରେ କୋଟିକୋଟି ଟଙ୍କାର ଋଣ ଉଠାଯାଇଛି। ଚାଷୀଙ୍କ ନାଁରେ ଉଠିଥିବା ଏହି ଋଣ ଟଙ୍କା ସିଧାସଳଖ ପାୱାରଟିଲର ଯୋଗାଇଦେଉଥିବା ସଂସ୍ଥା ଖାତାକୁ ଯାଇଛି। ପାୱାରଟିଲର ଋଣ ନେଉଥିବା ଚାଷୀଙ୍କୁ ୬୦ରୁ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ମିଳିଥାଏ।
ଏବେ ସୁଦ୍ଧା ଅଧିକାଂଶଙ୍କୁ ସବ୍ସିଡି ଟଙ୍କା ମିଳିନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏହି ସବ୍ସିଡି ଟଙ୍କା କାହା ପକେଟ୍କୁ ଯାଉଛି, ତା’ର ମଧ୍ୟ ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ରହିଛି। ଅନ୍ୟପଟେ ନିମ୍ନମାନର ପାୱାରଟିଲର ଦେବା ସତ୍ତ୍ବେ ସେହି ସଂସ୍ଥାକୁ ବର୍ଷବର୍ଷ ଧରି ଏସ୍ଡିସିସି ଅନୁକମ୍ପା ଦେଖାଇ ଚାଲିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଏହି ସଂସ୍ଥାର ମାଲିକ ପରିଚାଳନା ନିର୍ଦ୍ଦେଶକ ଥିବାବେଳେ ତାଙ୍କ ପତ୍ନୀଙ୍କ ନାଁରେ ୩୩ ଲକ୍ଷ ଓ ପରେ ୯୮ ଲକ୍ଷ ଟଙ୍କାର ଋଣ ନେଇଥିଲେ। ଋଣଖିଲାପ କରିବାରୁ ସଂସ୍ଥାର କାର୍ଯ୍ୟାଳୟକୁ ସିଲ୍ କରି ଦିଆଯାଇଥିଲା। ସଂସ୍ଥାର ମାଲିକ ଏକ ଲ୍ୟାମ୍ପସର ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ଥିବାରୁ ଏବେ ଅନ୍ୟ ଦୁଇଟି କମ୍ପାନି ଖୋଲି ପୁଣି ବେପାର ଚଳାଇଛନ୍ତି। ଜିଲ୍ଲାର ଅଧିକାଂଶ ଲ୍ୟାମ୍ପର ଚାଷୀମାନଙ୍କୁ ଠକି ଚାଲିଥିବା ଏହି ଦୁଇଟି ସଂସ୍ଥା ବିରୋଧରେ ଏସ୍ଡିସିସି କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ୍ ବସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
କେବଳ ଏତିକି ନୁହେଁ, ଜିଲ୍ଲାର କେତେ ଚାଷୀଙ୍କୁ ପାୱାରଟିଲର ଋଣ ଦିଆଯାଇଛି, କେଉଁକେଉଁ ଲ୍ୟାମ୍ପରେ କେତେ ଚାଷୀ ପାୱାଟିଲର ଓ ଟ୍ରାକ୍ଟର ଋଣ ପାଇଛନ୍ତି ଏ ସମ୍ପର୍କିତ ତଥ୍ୟ ସୂଚନା ଅଧିକାର ଆଇନ ବଳରେ ଏସ୍ଡିସିସିକୁ ମଗାଯାଇଥିଲା। ବିଭାଗୀୟ ଅଧିକାରୀ ବିଭିନ୍ନ ଆଳ ଦେଖାଇ, ସୂଚନା ଦେବାକୁ ମନା କରି ଦେଇଥିଲେ।
ବ୍ୟାଙ୍କର ସିଇଓ ରବୀନ୍ଦ୍ରନାଥ କାଲୁଣ୍ଡିଆଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ସେ କହିଛନ୍ତି, ଏସ୍ଡିସିସିରୁ ଚାଷୀଙ୍କ ସମ୍ପର୍କରେ କୌଣସି ତଥ୍ୟ ଦିଆଯାଇପାରିବ ନାହିଁ।
ଅଧିକ ପଢ଼ନ୍ତୁ:ବରସୁଆଁ ଲୌହ ଖଣିରେ ସିବିଆଇ ଚଢ଼ଉ
ତେବେ ସୁନ୍ଦରଗଡ ଜିଲ୍ଲାରେ ଚାଷୀମାନଙ୍କୁ ପାୱାରଟିଲର ଓ ଟ୍ରାକ୍ଟର ନାଁରେ କେତେ ଟଙ୍କାର ଋଣ ଯୋଗାଇ ଦିଆଯାଇଛି, ତା’ର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବଡଧରଣ ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରିବ। ସୂଚନାଯୋଗ୍ୟ, ସୁନ୍ଦରଗଡ ଜିଲ୍ଲାର ୧୭ଟି ବ୍ଲକରେ ପୂର୍ବରୁ ୪୪ଟି ଲ୍ୟାମ୍ପ ରହିଥିଲା। ଏବେ ଏହି ସଂଖ୍ୟା ୧୩୬କୁ ବୃଦ୍ଧିପାଇଛି।
ଅଧିକ ପଢ଼ନ୍ତୁ:ହାତୀକୁ ଘଉଡ଼ାଉଥିଲେ, ଶୁଣ୍ଢରେ କଚାଡ଼ି ଦେଲା ଦନ୍ତା