ଶ୍ରମିକଙ୍କ ଝାଳବୁହା ପ୍ରାପ୍ୟ ବି ଖାଇଗଲେ 

ଝାରସୁଗୁଡ଼ା:ସରକାର ନିର୍ମାଣ ହେଉଥିବା ମୋଟ ଖର୍ଚ୍ଚ ଉପରେ ୧ ପ୍ରତିଶତ ସେସ୍‌ ଆଦାୟ କରି ଏହାକୁ ଶ୍ରମିକ କଲ୍ୟାଣ କୋଷରେ ଜମା କରିଥାନ୍ତି । ଆଉ ଏହି ଟଙ୍କାକୁ ପଞ୍ଜିକୃତ ହୋଇଥିବା ନିର୍ମାଣ ଶ୍ରମିକଙ୍କୁ ତାଙ୍କ ସାଧାରଣ ଜୀବନଯାତ୍ରାରେ ଅସୁବିଧା ସମୟରେ ସହାୟତା ଆକାରରେ ପ୍ରଦାନ କରିଥାନ୍ତି। ଏହି ଟଙ୍କାରେ ସରକାରଙ୍କ ଶ୍ରମ ବିଭାଗ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ପରିବାର ପିଛାରେ ଖର୍ଚ୍ଚ କରିଥାନ୍ତି।

ଏହି ଅର୍ଥରେ ଶିକ୍ଷାବୃତ୍ତି, ଝିଅ ବିବାହ, ପ୍ରସୂତୀକାଳୀନ, ଯନ୍ତ୍ରପାତି କ୍ରୟ, ସାଇକେଲ କ୍ରୟ, ସୁରକ୍ଷା ସାମଗ୍ରୀ କ୍ରୟ, କୁଶଳତା ଅଭିବୃଦ୍ଧି, ଆଗୁଆ ଶିକ୍ଷା ମାନ୍ୟତା ଏବଂ କୁଶଳତା ବୃଦ୍ଧି, ମୃତ୍ୟୁକାଳୀନ ସହାୟତା, ଅନ୍ତଷ୍ଟିକ୍ରିୟା ସହାୟତା, ଗୃହ ନିର୍ମାଣ ସହାୟତା( ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା, ନିର୍ମାଣ ଶ୍ରମିକ ପେନ୍‌ସନ୍‌ ଯୋଜନା, ନିର୍ମାଣ ଶ୍ରମିକ ଆୱାସ( ଘରଭଡ଼ା ସହରାଞ୍ଚଳ ଓ ଗ୍ରାମାଞ୍ଚଳ) ଯୋଜନା ପ୍ରଭୃତିରେ ଶ୍ରମିକ ମାନଙ୍କୁ ସହାୟତା ଯୋଗାଇ ଦିଆଯାଇଥା‌ଏ। ଏହା ବ୍ୟତୀତ ବିଭିନ୍ନ ସମୟରେ ସରକାର ସ୍ବତନ୍ତ୍ର ସହାୟତା ମଧ୍ୟ ଯୋଗାଇ ଦେଇଥାନ୍ତି। ତେବେ ଝାରସୁଗୁଡ଼ା ଜିଲ୍ଲାରେ ଏହି ସହାୟତା ଶ୍ରମିକ ମାନଙ୍କ ସ୍ଥାନରେ ସ୍ବଚ୍ଛଳବର୍ଗର ଲୋକ ହାତେଇ ନେଇଥିବା ଜଣାପଡ଼ିଛି।

ଏହି ସହାୟତାର ଅର୍ଥ ଏବେ ଶିକ୍ଷକ, ରାଜନେତା, ବଡ଼ଚାଷୀ, ‌ବ୍ୟବସାୟୀ, ସାଇକେଲ ଦୋକାନୀ, ସରକାରୀ ଚାକିରିଆ କୌଶଳ କରି ହାତେଇ ନେଉଥିବା ବେଳେ ଶ୍ରମ ବିଭାଗ ଓ ପ୍ରଶାସନ ଜାଣିସୁଦ୍ଧା ନଜାଣିଲା ପରି ଅଭିନୟ କରୁଥିବାଜଣାଯାଇଛି। ଝାରସୁଗୁଡ଼ା ବ୍ଲକ ରାଜପୁର ପଞ୍ଚାୟତର ସମିତି ସଭ୍ୟ ଗଣେଶ ବାଗ କରୋନା ସହାୟତାରେ ଆସିଥିବା ୧୫ ଶହ ଟଙ୍କା ନେବା ଘଟଣା ଜଣାପଡ଼ିବା ପରେ ଏହି ସହାୟତା ଟଙ୍କା ଶ୍ରମିକ ନାମରେ ବାଟମାରଣା ହେଉଥିବା ପଦାକୁ ଆସିଥିଲା। ଏହି ସହାୟତା ତାଲିକାକୁ ଏଭଳି ପ୍ରସ୍ତୁତ କରାଯାଇଥିଲା ଯେ, ପ୍ରକୃତ ହିତାଧିକାରୀ ଏହି ଅର୍ଥ ପାଇବାରୁ ବଞ୍ଚିତ ହୋଇଥିବା ବେଳେ ନକଲି ଶ୍ରମିକ ଘରେ ବସି ସହାୟତା ପାଇଥିଲେ।

ସହାୟତା ପାଇବାକୁ ଥିବା ପୌରାଞ୍ଚଳର ଶ୍ରମିକର ନାମକୁ ଜାଣିଶୁଣି ବ୍ଲକର କୌଣସି ପଞ୍ଚାୟତର ତାଲିକାରେ ଉଲ୍ଳେଖ କରିଥିବାରୁ ତାଲିକାରେ ନାମ ନପାଇ ପ୍ରକୃତ ଶ୍ରମିକ ମାନେ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଝାରସୁଗୁଡ଼ା ବ୍ଲକର ଲୋଇସିଂ ପଞ୍ଚାୟତର ଶୁଭ୍ରକାନ୍ତି ମାଝୀ, ପ୍ରମିଳା ଭୋଇ, ସତ୍ୟଭାମା ମେହେର, ଗୋବିନ୍ଦ ମେହେର ପ୍ରମୁଖ ୩୫ ଜଣ ନିର୍ମାଣ ଶ୍ରମିକ ଏହି ସହାୟତା ପାଇ ପାରିନଥିବା ଅଭିଯୋଗ ହୋଇଛି। ଏହି ଶ୍ରମିକ ମାନେ ପଞ୍ଜିରଣ କରିଥିବା ବେଳେ ପ୍ରତିବର୍ଷ ୫୦ ଟଙ୍କା ଦେଇ ପଞ୍ଜିକରଣ ନବୀକରଣ ମଧ୍ୟ କରାଉଥିବା ପ୍ରକାଶ କରିଛନ୍ତି। ତେବେ ମଧ୍ୟ କେଉଁ କାରଣରୁ ତାଙ୍କୁ କରୋନା ସହାୟତା ୧୫ ଶହ ମିଳିନି ସେମାନେ ଜାଣି ପାରୁ ନାହାନ୍ତି। ବ୍ଲକ, ପଞ୍ଚାୟତ, ଶ୍ରମ କାର୍ଯ୍ୟାଳୟ ହୋଇ ସେମାନେ ଅଯଥା ଖର୍ଚ୍ଚାନ୍ତ ହୋଇଛନ୍ତି ସିନା ସହାୟତା ପାଇ ନାହାନ୍ତି।

୧୫ ଶହ ପଛରେ ଦୌଡ଼ି ସେମାନେ କାମ ନକରି ଏହାର ଦୁଇ ତିନଗୁଣ ଟଙ୍କା କ୍ଷତି କରି ସାରିଲୁଣି ବୋଲି କହିଛନ୍ତି କୋଲାବିରା ବ୍ଲକ ସୋଢ଼ାମାଲର କୁନୁବୁଇ ନାଏକ। କାଠ ମିସ୍ତ୍ରୀ କାମ କରୁଥିବା ପଞ୍ଚପଡ଼ା ବିଦ୍ୟାନଗରର ବୈଷ୍ଣବ ରୋହିଦାସ କୁହନ୍ତି ଲକ୍‌ଡାଉନ୍‌ ସମୟରେ ତାଙ୍କ କାମ ବନ୍ଦ ହୋଇ ଯାଇଥିବାରୁ ସେ ପରିବାର ଚଳାଇବା ପାଇଁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଫଳରେ କିଛି ପରିବା ଆଣି ତାକୁ ବିକ୍ରି କରି ପରିବାର ଚଳାଇବାକୁ ଉଦ୍ୟମ କରିଥିଲେ। ସରକାରଙ୍କ ଠାରୁ ତାଙ୍କ ନାମରେ ଆସିଥିବା ୧୫ ଶହ ଟଙ୍କାର ସହାୟତା ତାଙ୍କୁ ଦିଆଯାଇନଥିବା ସେ ଅଭିଯୋଗ କରିଛନ୍ତି। ସୋଢ଼ାମାଲର ଚକ୍ରଧର ନାଏକ ମଧ୍ୟ ଟଙ୍କା ପାଇନଥିବା ଅଭିଯୋଗ କରିଛନ୍ତି। ଏଭଳି ପ୍ରତି ପଞ୍ଚାୟତରେ ଥିବା ନିର୍ମାଣ ଶ୍ରମିକ ମାନେ ସହାୟତା ପାଇନଥିବା ସ୍ବର ଉଠାଇବା ଆରମ୍ଭ କରିଛନ୍ତି। ଜିଲ୍ଲାରେ ଏ ପର୍ଯ୍ୟନ୍ତ ୨ହଜାରରୁ ଅଧିକ ନିର୍ମାଣ ଶ୍ରମିକ ଏହି ସହାୟତା ପାଇନଥିବା ବେଳେ ଠିକଣା ମିଳୁନଥିବାରୁ ୨ ହଜାର ହିତାଧିକାରୀଙ୍କୁ ବଣ୍ଟା ଯାଇ ପାରିନଥିବା କୁହାଯାଉଛି। ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଅନେକ ଘୋଟଲା ପଦାରେ ପଡ଼ନ୍ତା ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର