କୁଜଙ୍ଗ: କୁଜଙ୍ଗ ଏକ୍ସପ୍ରେସ୍ କଲୋନିରେ ଗତମାସ ୧୯ ତାରିଖରେ ଘଟିଥିବା ଲୋମଟାଙ୍କୁରା ଡବଲ୍ ମର୍ଡର ଘଟଣାରେ ଆଜି ଅଭିଯୁକ୍ତ କାଳିଆ ଦେଖାଇଛି ଡେମୋ। ପୂର୍ବାହ୍ନରେ କୁଜଙ୍ଗ ଥାନା ଅଧିକାରୀ ସୁଜିତ କୁମାର ପ୍ରଧାନ, ଡିଏସ୍ପି ପ୍ରଶାନ୍ତ କୁମାର ମାଝୀଙ୍କ ସମେତ ପୁଲିସ ଟିମ୍ ଗହଣରେ କଡ଼ା ସୁରକ୍ଷା ମଧ୍ୟରେ କାଳିଆ ଡେମୋ ଦେଖାଇଥିଲା। ଯାହାଫଳରେ ଦୁଇ ସପ୍ତାହ ତଳର ଏହି ଚର୍ଚ୍ଚିତ ଘଟଣା ପୁଣି ତାଜା ହୋଇ ଉଠିଥିଲା। ଦିନିକିଆ ପୁଲିସ୍ ରିମାଣ୍ତର୍ରେ ଆସି କାଳିଆ ଡେମୋ ସମୟରେ ଯାହାସବୁ ବର୍ଣ୍ଣନା କରିଥିଲା ତାହା ସମ୍ପୂର୍ଣ୍ଣ ସତ୍ୟ ବୋଲି ପୁଲିସର ହୃଦୟଙ୍ଗମ ହୋଇଥିଲା। ସେଥିରେ କିଛି ମନଗଢ଼ା କିମ୍ବା ମିଛ ନଥିଲା ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। ରିମାଣ୍ତ୍ ଅବଧି ଶେଷ ହୋଇଯିବା ପରେ ତାଙ୍କୁ ପୁଣି ଆଜି କୁଜଙ୍ଗ ଉପକାରାଗାରକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ଆଜି ପ୍ରାୟ ପୂର୍ବାହ୍ନ ୯ଟାରେ ପୁଲିସ ଦଳ ସହିତ କାଳିଆ ଏକ୍ସପ୍ରେସ୍ କଲୋନିରେ ପହଞ୍ଚିଥିଲା। ସେ ଜିନ୍ ପ୍ୟାଣ୍ଟ୍ ସହିତ କଳା ଟି ସାର୍ଟ ପିନ୍ଧିଥିଲା। ମୁହଁରେ ତାର ନାଲି ଗାମୁଛା ଗୁଡ଼ାଇ ଦିଆଯାଇଥିଲା। ତା’ ସୂଚନା ମୁତାବକ ସେ ପ୍ରଥମେ ଏକ ଷ୍ଟିଲ୍ ପାଇପ୍ ଧରି କଲୋନିରେ ପଇଁତରା ମାରିବା ପରେ ସୁନୀତା ଭୋଳଙ୍କ ଘର ସମ୍ମୁଖରେ କିଛି ସମୟ ବସିଥିଲା। ପରେ ପୁଣି ପଛକୁ ଫେରିଥିଲା। ସେହି ସମୟରେ ଜଣେ ବ୍ୟକ୍ତିଙ୍କୁ ଷ୍ଟିଲ୍ ପାଇପ୍ରେ ବାଡାଇବାକୁ ଉଦ୍ୟମ କରିଥିଲା। ପରେ ମିସନ୍ ଶକ୍ତି ପାର୍ଶ୍ବରେ ଥିବା ଜଣେ ବ୍ୟକ୍ତିଙ୍କ ଘର ନିକଟକୁ ଯାଇ ତାର ଘରର ଗ୍ରିଲ୍କୁ ବାଡ଼େଇ ଥିଲା। ସେଠାରେ ପାଇପ୍ ଫୋପାଡ଼ି ନିଜ ଘରକୁ ଦୌଡ଼ିଥିଲା। ହାତରେ ହଂସୁଆ କଟୁରି ଧରି ସୁନୀତାଙ୍କ ଗ୍ରିଲ୍ ଖୋଲାଥିବାରୁ ତାଙ୍କ ଘରେ ପଶି ତାଙ୍କୁ ହାଣି ହତ୍ୟା କରିଥିଲା।
ଏହି ସମୟରେ ୨ଜଣ ବ୍ୟକ୍ତି ଏକ ମୋଟର ସାଇକଲ୍ରେ ସେହି ବାଟଦେଇ ଯାଉଥିବାବେଳେ ତାଙ୍କ ପିଠିକୁ କଟୁରି ଚୋଟ ପକାଇଥିଲା। ସେମାନେ ଗାଡ଼ି ଛାଡି ଜୀବନ ବିକଳରେ ଦୌଡ଼ି ପଳାଇଥିଲେ। ଏହି ସମୟରେ ନିର୍ମଳା ମଲ୍ଲ ପାଟି ଶୁଣି ସେହି ସ୍ଥାନକୁ ଆସିଥିଲେ। ସେ ତାଙ୍କୁ ମଧ୍ୟ ନିର୍ମମ ଭାବେ ହାଣିଥିଲା। ଏହି ସମୟରେ ତାଙ୍କର ସ୍ବାମୀ ସହଦେବ ମଲ୍ଲ ଓ ପୁଅ, ଝିଅ ସେଠାରେ ପହଞ୍ଚିବା ସହ ସେମାନେ ତା’ହାତରୁ କଟୁରି ଛଡ଼ାଇନେଇ ତାକୁ ବାନ୍ଧି ପକାଇଥିଲେ। ଏହି ଘଟଣାକୁ ସେ ଅତି ଜୀବନ୍ତ ଭାବେ ବର୍ଣ୍ଣନା କରିଥିଲା। ତେବେ କାଳିଆ କୌଣସି ମିଥ୍ୟା କିମ୍ବା କପୋଳକଳ୍ପିତ କଥା ଯୋଡ଼ି ନାହିଁ ବୋଲି କୁଜଙ୍ଗ ଥାନା ଅଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। ଆଜି ଡେମୋ ପ୍ରଦର୍ଶନ ପରେ ତାକୁ ପୁଣି ସମାଗୋଳ ସ୍ଥିତ କୁଜଙ୍ଗ ଉପକାରାଗାରକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ତେବେ ଡେମୋ ପ୍ରଦର୍ଶନୀ ସମୟରେ ଏକ୍ସେପ୍ରେସ୍ କଲୋନିରେ ଭିଡ଼ ଜମିଥିଲା। ୧୬ ଦିନ ତଳର ଏଡି ହତ୍ୟାକାଣ୍ତ ପୁଣି ଲୋକମାନଙ୍କ ମନରେ ତାଜା ହୋଇ ଉଠିଥିଲା। ପ୍ରକାଶଯେ, ଗତମାସ ୧୯ ତାରିଖ ସକାଳେ କୁଜଙ୍ଗ ଏକ୍ସେପ୍ରେସ କଲୋନିରେ ରହୁଥିବା କାଳିଆ ନାଥଶର୍ମା ହଂସୁଆ କଟୁରି ଜରିଆରେ ସୁନୀତା ଭୋଳ ଓ ନିର୍ମଳା ମଲ୍ଲଙ୍କୁ ଅତି ନିର୍ମମ ଭାବେ ହାଣି ହତ୍ୟା କରିଥିଲା।