ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ସୌମ୍ୟରଞ୍ଜନଙ୍କ ଘରେ ପହଞ୍ଚିଲା ତଦନ୍ତକାରୀ ଟିମ୍

ଗଜପତି: ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ଦିନକୁ ଦିନ ରହସ୍ୟ ବଢ଼ି ଚାଲିଥିବାବେଳେ ମୃତ୍ୟୁକୁ ନେଇ ଅନେକ ଗୁମର ମଧ୍ୟ ଖୋଲିବାରେ ଲାଗିଛି। ହେଲେ ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ  ପୁଲିସ ତଦନ୍ତ ଜାରି ରଖିଛି। ଏନେଇ ଆଜି ଡିଆଇଜି ସତ୍ୟବ୍ରତ ଭୋଇଙ୍କ ତତ୍ୱାବଧାନରେ ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦେଶ ମୂଳେ ପାରଳାଖିମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ଵାଇଁଙ୍କ ସମେତ ଏସଆଇ ବିନାୟକ ମନ୍ତ୍ରୀ, ହାବିଲଦାର ତ୍ରିନାଥ ପଟ୍ଟନାୟକ, କନେଷ୍ଟବଳ ହରେକୃଷ୍ଣ ସାମଲ, ଚୁଡାମଣି କାନ୍ତି, ବବିତାରାଣୀ ମହାନ୍ତି ସକାଳେ ପ୍ରଥମେ ଖଇରା ଥାନାରେ ପହଞ୍ଚି ଖଇରା ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁଙ୍କୁ ଭେଟି ଆଲୋଚନା କରିଥିଲେ।

ପରେ ଖଇରା ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଏସଆଇ ଶ୍ୟାମସୁନ୍ଦର ବିନ୍ଧାଣି, ସୁଜାତା ମଲ୍ଲିକ ଓ ପାରଳାଖେମୁଣ୍ଡି ପୁଲିସ ସହିତ ୬ଜଣିଆ ତଦନ୍ତକାରୀ ଟିମ ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତସ୍ଥିତ ବେଗୁନିଆ ଗ୍ରାମର ସୌମ୍ୟରଞ୍ଜନଙ୍କ ବାସଭବନକୁ ଯାଇ ପରିବାର ଏବଂ ସମ୍ପର୍କୀୟଙ୍କୁ ଘଟଣା ବିଷୟରେ ୪ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ପଚରା ଉଚରା କରିଥିଲେ। ପରେ ମୟୁରଭଞ୍ଜ ଜିଲ୍ଲା କପ୍ତିପଦାସ୍ଥିତ ଗୌଡ଼ ଗ୍ରାମର ମୃତ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଘରକୁ ଜାଇ ପଚରା ଉଚରା ଜାରି କରିଥିବା  ତଦନ୍ତକାରୀ ଟିମ୍ ପକ୍ଷରୁ ସୂଚନା ମିଳିଛି।

Paralakhemundi ACF death: Official's wife breaks silence | Sambad English

ତେବେ  ବିବାହ ପୂର୍ବରୁ ବଲାଙ୍ଗୀରରେ ହୋଇଥିବା ବ୍ୟାଚଲର ପାର୍ଟିରେ କ’ଣ ଘଟିଥିଲା, ସରକାରୀ କ୍ବାର୍ଟରରୁ ମିଳିଥିବା ଡାଏରୀର ସତ, ଉଭୟଙ୍କ ବୈବାହିକ ଜୀବନ, ତାଙ୍କ ପରିବାର ସହ ଡିଏଫ୍‌ଓଙ୍କ ସମ୍ପର୍କ, ଚର୍ଚ୍ଚା ହେଉଥିବା ଚୁକ୍ତିଭିତ୍ତିକ ବାହାଘର ପଛର ସତ ଓ ଘଟଣା ଦିନ ରାତିରେ କ’ଣ କ’ଣ ଘଟିଥିଲା ଏ ସବୁ ସମ୍ପର୍କରେ ପୁଲିସ ବିଦ୍ୟାଭାରତୀଙ୍କୁ ଜେରା କରୁଥିବା ସୂଚନା ରହିଛି। ଏ ନେଇ ତଦନ୍ତକାରୀ ଟିମ୍‌ ବିଶେଷ କିଛି ସୂଚନା ଦେଇ ନଥିବା ବେଳେ ବିଦ୍ୟାଭାରତୀ ଓ ତାଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେମାନେ ଗଣମାଧ୍ୟମକୁ କିଛି କହିବାକୁ ଚାହୁଁନାହାନ୍ତି, ଯାହା କହିବେ ପୁଲିସକୁ କହିବେ ବୋଲି କହିଛନ୍ତି।

ସୌମ୍ୟରଞ୍ଜନଙ୍କ ମା’ ପୁଲିସ୍‌କୁ ଦେଇଥିବା ବୟାନ ଆଧାରରେ ବାହାଘର ପରେ ବୋହୂ (ବିଦ୍ୟାଭାରତୀ ପଣ୍ଡା) ବଲାଙ୍ଗିରରେ ଗୋଟିଏ ବ୍ୟାଚଲର ପାର୍ଟି ଦେଇଥିଲେ। ସୌମ୍ୟରଞ୍ଜନଙ୍କୁ ମଧ୍ୟ ସେଠାକୁ ଡାକି ନେଇଥିଲେ। କିନ୍ତୁ ବଲାଙ୍ଗିରରେ ପହଞ୍ଚିବା ପରେ ତାଙ୍କୁ ସେଠାରୁ ଫେରାଇ ଦେଇଥିଲେ। ପରେ ବିଦ୍ୟାଭାରତୀ ୩୦ହଜାର ଟଙ୍କା ଦେବା ପାଇଁ ମେସେଜ କରିଥିଲେ। ହେଲେ ଟଙ୍କା ନଥିବା ସୌମ୍ୟରଞ୍ଜନ କହିବାରୁ ଧମକ ଦେବା ସହିତ ଅନ୍ୟ ଯୁବକଙ୍କ ସହ ଉଠେଇଥିବା ଅଶ୍ଳୀଳ ଫଟୋ ପଠାଇଥିଲେ।

ବଲାଙ୍ଗିରରେ ବ୍ୟାଚ୍‌ଲର ପାର୍ଟି କରିବା ଅବସରରେ ବିଦ୍ୟାଭାରତୀ କେଉଁଠି ରହିଥିଲେ ଓ ସେଠାରେ କ’ଣ ଘଟିଥିଲା ପୁଲିସ୍‌ ତା’ର ତଦନ୍ତ କରୁ ବୋଲି ସୌମ୍ୟରଞ୍ଜନଙ୍କ ମାମୁଁ ଦାବି କରିଛନ୍ତି। ଅନ୍ୟପଟେ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ଆଜି ପୁଲିସ୍ ଡିଜିଙ୍କୁ ଭେଟି ଏହି ଘଟଣାର ତଦନ୍ତରେ କିପରି ପୂରା ନିରପେକ୍ଷତା ଅବଲମ୍ବନ କରାଯିବ ସେ ଦିଗରେ ଜୋର ଦେବାକୁ ଦାବି କରିଛନ୍ତି। ଏହା ସହିତ ତିନି ଅଭିଯୁକ୍ତ ବୋହୂ, ପାରଳାଖେମୁଣ୍ଡି ଡିଏଫ୍‌ଓ ଓ ରୋଷେୟାଙ୍କର ଲାଇଭ ଡିଟେକ୍ସନ ଟେଷ୍ଟ କରାଯାଉ ବୋଲି ସେ ଦାବି କରିଛନ୍ତି। ତେବେ ଗଜପତି ଏସିପି ଓ ପାରଳାଖେମୁଣ୍ଡି ଆଇଆଇସି ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କୁ ଧରିବାରେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା।

 

ସମ୍ବନ୍ଧିତ ଖବର