ଠିକ୍‌ରେ କାମକରୁନି ଯୋଜନା: ପ୍ରଧାନମନ୍ତ୍ରୀ ସଡ଼କର ଧାର୍ଯ୍ୟ ଲକ୍ଷ୍ୟର ୭୫% କାମ ହୋଇନି

ଖୋର୍ଦ୍ଧା: ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧା । ରାଜ୍ୟର ସବୁଠାରୁ ଶିକ୍ଷିତ ଓ ବିକଶିତ ଜିଲ୍ଲା ବୋଲି ଜଣାଯାଏ । କେବଳ ଏହାନୁହେଁ ରାଜ୍ୟ ତଥା ଜିଲ୍ଲାର ଭିତ୍ତିଭୂମିର ବିକାଶ କାର୍ଯ୍ୟରେ ବିଭିନ୍ନ ସମୟରେ କେନ୍ଦ୍ର ଅଣଦେଖା କରୁଥିବା ନେଇ ରାଜ୍ୟ ସରକାର ଅଭିଯୋଗ ମଧ୍ୟ କରନ୍ତି । ତେବେ ଜିଲ୍ଲାରେ କେନ୍ଦ୍ର ଅନୁଦିତ ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ । ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇ କୋଟି କୋଟି ଟଙ୍କା ଅନୁଦାନ ମିଳିଥିଲା ସେଥିରୁ କେବଳ ୨୫ ପ୍ରତିଶତ କାମ ଶେଷ ହୋଇପାରିଛି ।

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗରୁ ମିଳିଥିବା ତଥ୍ୟାନୁସାରେ, ଭୁବନେଶ୍ୱର ସର୍କଲରେ ଖୋର୍ଦ୍ଧା, ନୟାଗଡ଼, ନୟାଗଡ଼-୨, ପୁରୀ, ନିମାପଡ଼ା ରହିଛି । ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା(ପିଏମ୍ଜିଏସ୍ୱାଇ)ରେ ମୋଟ ୯୯.୯୯ କିମି ସଡ଼କ ନିର୍ମାଣ କରିବାକୁ ଅନୁଦାନ ମିଳିଥିଲା । ତେବେ ଡିସେମ୍ବର ଶେଷ ସୁଦ୍ଧା ୨୭.୩୬ କିମି ସଡ଼କ ନିର୍ମାଣ ଶେଷ ହୋଇଛି । ଏହା ମଧ୍ୟରୁ ପିଏମ୍ଜିଏସ୍ୱା-୧, ଯାହା ୨୦୦୧-୦୨ ଆର୍ଥିକ ବର୍ଷରେ ଅନୁଦିତ ହୋଇଥିଲା ସେଥିରୁ ୧୯.୨୧ କିମି ରାସ୍ତା ନିର୍ମାଣ ଶେଷ ହୋଇଛି । ସେହିଭଳି ପିଏମ୍ଜିଏସ୍ୱାଇ-୨, ଯାହା ୨୦୧୩-୧୪ ଆର୍ଥିକ ବର୍ଷରେ ଅନୁଦିତ ହୋଇଥିଲା ସେଥିରୁ ମାତ୍ର ୮.୧୫ କିମି ରାସ୍ତା ଶେଷ ହୋଇଛି । ବର୍ତମାନ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ୨୨.୧୦ କିମି ରାସ୍ତା, ନୟାଗଡ଼ର ୪.୦୧ କିମି, ନୟାଗଡ଼-୨ର ୫.୬୦ କିମି, ପୁରୀର ୨୦.୯୧ କିମି ଓ ନିମାପଡ଼ା ଡିଭିଜନର ୨୦.୦୧ କିମି ରାସ୍ତା ନିର୍ମାଣ କରିବା ବାକି ରହିଛି ।

ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନାରେ, ବଳକା ଥିବା ୭୨.୬୩ କିମି ରାସ୍ତା ମଧ୍ୟରୁ ଡିସେମ୍ବର ମାସ ସୁଦ୍ଧା ୧୯.୨୩ କିମି, ଜାନୁଆରୀ ୨୦୨୨ରେ ୨୩.୦୭ କିମି, ଫେବ୍ରୁଆରୀ ୨୦୨୨ରେ ୨୬.୯୨ କିମି ଓ ମାର୍ଚ୍ଚ ୨୦୨୨ ଶେଷ ସୁଦ୍ଧା ୩୦.୭୬ କିମି ରାସ୍ତା ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ବିଳମ୍ବ କାର୍ଯ୍ୟ ପାଇଁ କରୋନା ସଂକ୍ରମଣକୁ ବିଭାଗ ଦାୟୀ କରୁଥିବା ବେଳେ ବର୍ତମାନ ଓମିକ୍ରମ ଓ କୋଭିଡ ସଂକ୍ରମଣର ତୃତୀୟ ଲହର ଯୋଗୁଁ ଏହି ନିର୍ମାଣ କାର୍ଯ୍ୟ ଧିମେଇ ଯିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।

ସମ୍ବନ୍ଧିତ ଖବର