ମାଲକାନଗିରି: ଚରିତ୍ରଗଠନ ଏବଂ ରାଷ୍ଟ୍ରର ଭବିଷ୍ୟତ ନିର୍ମାଣ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା।ସ୍ବାଧୀନତାର ଦୀର୍ଘ ୭୬ ବର୍ଷ ବିତି ଯାଇଥିବା ପରେ ମଧ୍ୟ ଭିତ୍ତିଭୂମି ଅଭାବରୁ ଶ୍ରେଣୀଗୃହ ଭିତରେ ଛାତରୁ ପାଣି ପଡିବା ହେଉ ବା ଛାତ ସ୍ଲାପ୍ ଖସିବା ଭୟ ତଥା ଶିକ୍ଷକ ଅଭାବ ଭିତରେ ସୁନେଲୀ ଭବିଷ୍ୟତ ନିର୍ମାଣରେ ଲାଗିପଡ଼ିଥିବା ଭଳି ଅଭାବନୀୟ ଘଟଣା ବାରମ୍ବାର ଦେଖିବାକୁ ମିଳୁଛି।ଏହା ସତ କିନ୍ତୁ ଅଧିକାଂଶ ଦଳିତ, ଆଦିବାସୀ, ଦିନ ମଜୁରିଆ, ଗରିବ, ଚାଷୀ ମୂଲିଆ ଓ ଖଟିଖିଆମାନଙ୍କ ପିଲା ପଢୁଥିବା ବିଦ୍ୟାଳୟର ସମସ୍ୟାକୁ ପ୍ରଶାସନିକ ଅବହେଳା ଓ ଦାୟିତ୍ବହୀନତା ମାଧ୍ୟମରେ କେବଳ କାଗଜ ଓ କଲମ ଭିତରେ ହିଁ ସୀମିତ ରଖାଯାଉଥିବା ଦେଖିବାକୁ ମିଳିଛି। ଏଭଳି ଏକ ବିଦ୍ୟାଳୟ ହେଉଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର କଲୋନୀ-୧୨ ପ୍ରାଥମିକ ବିଦ୍ୟାଳୟର ଜରାଜୀର୍ଣ୍ଣ ଅବସ୍ଥା ଏବଂ ପ୍ରଶାସନିକ ଅବହେଳା ଆଜି ପଦାରେ ପଡ଼ିଛି। ଗତ ଜୁଲାଇ ୨୦୨୨ରେ ଏକାଧିକ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨ନଂ ୱାର୍ଡ଼ ସ୍ଥିତ କଲୋନୀ-୧୨ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଅଭାବ ଜନିତ ବିକଳ ଚିତ୍ର।ତେବେ ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦପ୍ତରରୁ ମାଲକାନଗିରି ଜିଲ୍ଲାପାଳଙ୍କୁ ଚିଠି ନମ୍ବର ୧୯୦୯/୨୦୨୨ ଜରିଆରେ ଏକ ଲିଖିତ ଚିଠି ପଠାଇଥିଲେ।

Advertisment

ଯେଉଁଥିରେ ୫ମ ଏସଏଫସି ଅଧୀନରେ ୭ଲକ୍ଷ ବ୍ୟୟ ବରାଦ କରାଯାଇଥିବା ଜଣା ପଡ଼ିଥିଲା।କିନ୍ତୁ କୌଣସି କାର୍ଯ୍ୟକାରୀ ହୋଇନଥିଲା।ତେଣୁ ୧୨ ଅଗଷ୍ଟ ୨୦୨୩ ରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇବା ସହ ଅସନ୍ତୋଷ ଜାହିର କରିଥିଲେ।ସେହି ସମୟରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଆସିଷ୍ଟାଣ୍ଡ୍ ଇଞ୍ଜିନିୟର ଉତ୍ତେଜନା ସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ସହ ୭ଲକ୍ଷରୁ ୭ଲକ୍ଷ ୭୦ହଜାର ଟଙ୍କାକୁ ବ୍ୟୟ ଅଟକଳ ବୃଦ୍ଧି କରି ଖୁବ୍ ଶୀଘ୍ର ମରାମତି କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ।ଏହା ସହ ରାଜସ୍ବ ନିରୀକ୍ଷକଙ୍କ ପକ୍ଷରୁ ପୋଲିଥିନ ଦରି ମାଧ୍ୟମରେ ଶ୍ରେଣୀଗୃହରେ ବର୍ଷା ପାଣି ନ ପଡ଼ିବା ନିମନ୍ତେ ଜରୁରୀକାଳୀନ ବନ୍ଦୋବସ୍ତ କରି ଦିଆଯାଇଥିଲା।ଇତିମଧ୍ୟରେ ପୁଣି ଏକ ବର୍ଷ ପ୍ରାୟ ବିତି ଯାଇଛି ସତ କିନ୍ତୁ ଆଜି ମଧ୍ୟ ମରାମତି ଅଭାବରୁ ଶ୍ରେଣୀଗୃହରେ ବର୍ଷା ପାଣି ପଡୁଛି,ବାରଣ୍ଡାରେ ବସି ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି କୋମଳମତି ଛାତ୍ରଛାତ୍ରୀ।

ତେବେ ଚଳିତ ୨୦୨୪ ଶିକ୍ଷାବର୍ଷ ଆରମ୍ଭ ସୁଦ୍ଧା ମଧ୍ୟ କୌଣସି ପଦକ୍ଷେପ ନେଇ ନଥିବା ଜାଣିବାପରେ ବିଦ୍ୟାଳୟର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ସ୍ଥାନୀୟ ସହଯୋଗ ଟିମ୍ ର ସଦସ୍ୟ ସଦସ୍ୟା, ସମାଜସେବୀ ଓ ଜନପ୍ରତିନିଧି, ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଥିଲେ।ସମସ୍ୟାର ଗମ୍ଭୀରତାକୁ ଦେଖି ଚଳିତ ଗ୍ରୀଷ୍ମ ଅବକାଶରେ ବିଦ୍ୟାଳୟର ଶ୍ରେଣୀ ପ୍ରକୋଷ୍ଠ ଗୁଡ଼ିକୁ ଯାଞ୍ଚ କରି ଆବଶ୍ୟକ ସ୍ଥଳେ ମରାମତି କିମ୍ବା ନୂତନ ଭାବେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ପ୍ରତିଶ୍ରୁତି ମିଳିଥିଲା।ଏବେ ଗ୍ରୀଷ୍ମ ଅବକାଶ ଶେଷ ହେବା ପରେ ମଧ୍ୟ କାମ ହେଲାନାହିଁ। ବର୍ଷା ପଡ଼ିବା ସହ ଶ୍ରେଣୀଗୃହରେ ବର୍ଷା ଜଳ ପଶିବା ଓ ବହୁବାର ଛାତରୁ ସିମେଣ୍ଟ ଛେଲା ଖସିବା ଯୋଗୁଁ ଅତିଷ୍ଠ ହୋଇ ଅଭିଭାବକ ମାନେ ଆଜି ସକାଳୁ ପିଲାମାନଙ୍କୁ ବିଦ୍ୟାଳୟ ଛାଡ଼ିବାକୁ ଆସି ରାଜରାସ୍ତାରେ ସାମୂହିକ ଧାରଣାରେ ବସିଥିଲେ।ପରେ ଚିତ୍ରକୋଣ୍ଡା ବିଧାୟକ ମଧ୍ୟ ଆସି ପିଲାଙ୍କ ସହ ଧାରଣା ଦେଇଥିଲେ।ପରେ ପ୍ରଶାସନ ପହଞ୍ଚି ଲିଖିତ ଭାବେ ବିଦ୍ୟାଳୟର ସମସ୍ତ କାମ କରିବା ନେଇ ଲିଖିତ ପ୍ରତିଶ୍ରୁତି ସହ ଦୁଇ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ପୁଣି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଧାରଣାରୁ ପିଲାମାନେ ହଟିଥିଲେ।