ମହାକାଳପଡା: ଗ୍ରାମାଞ୍ଚଳରେ ଶିକ୍ଷା ଓ ଶିକ୍ଷାନୁଷ୍ଠାନର ଭିତ୍ତିଭୂମିର ବିକାଶ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ‘୫-ଟି’ ଯୋଜନାରେ ସ୍କୁଲଗୁଡ଼ିକର ରୂପରେଖ ବଦଳିଯାଉଛି। ସ୍କୁଲଗୁଡ଼ିକ ଚକାଚକ ଦିଶୁଛି। ହେଲେ, ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ମହାକାଳପଡ଼ାରେ। ଏହି ବ୍ଲକ୍ର ଜାଗୁଳାଇ ସରକାରୀ ଉପ୍ରା ବିଦ୍ୟାଳୟର ସ୍ଥିତି ଦେଖିଲେ ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଆସିଛି। ୭୯ ବର୍ଷର ଏହି ଶିକ୍ଷାନୁଷ୍ଠାନ ସରକାରୀ ଯୋଜନାର କେତେ ଫାଇଦା ପାଇଛି ତାହା ଆଖିରେ ନଦେଖିଲେ ବିଶ୍ବାସ କରିହେବ ନାହିଁ। ବାରଡାଙ୍ଗ ପଂଚାୟତ ବାହାର ଶୋବଳା ଗ୍ରାମରେ ରହିଛି ଏହି ସର୍ବପୁରାତନ ବିଦ୍ୟାଳୟ।୧୯୪୩ ମସିହାରେ ବିଦ୍ୟାଳୟ ସ୍ଥାପନା ହୋଇଥିଲା। ଏକଦା ସ୍ଥାନୀୟ ଅଂଚଳରେ ପ୍ରାଥମିକ ଶିକ୍ଷାର କେନ୍ଦ୍ରସ୍ଥଳଭାବେ ଖ୍ୟାତି ଅର୍ଜନ କରିଥିବା ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ରହିଛି। ଏଠାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୯୩। ମାତ୍ର ୫ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ଯାହାକି ଆବଶ୍ୟକତାଠାରୁ କମ। ପରିତାପର ବିଷୟ ହେଉଛି ବିଦ୍ୟାଳୟର ନିଜସ୍ବ ପୁରାତନ ଗୃହଗୁଡିକ ବିପଦସଂକୁଳ ଅବସ୍ଥାକୁ ଚାଲି ଆସିଛି। ଏଠାରେ ପାଠପଢା ହେଉନାହିଁ।
ବିଦ୍ୟାଳୟ ପରିସରରେ ଥିବା ଏକ ବାତ୍ୟା ଆଶ୍ରୟସ୍ଥଳରେ ପାଠ ପଢା ଚାଲିଛି। ମାତ୍ର ୨ବଖରା ଘରେ ୮ଟି ଶ୍ରେଣୀର ୧୯୩ ଜଣ ପିଲାଙ୍କୁ ବସାଇ ପାଠ ପଢାଇବା ସମ୍ଭବ ହେଉ ନାହିଁ। ଫଳରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଆଶ୍ରୟସ୍ଥଳର ତଳ ଚଟାଣରେ ବସାଇ ଶିକ୍ଷା ଦାନ କରାଯାଉଛି। ଚାରିପଟ କାନ୍ଥ ନଥିବାରୁ ବର୍ଷା ହେଲେ ପାଠ ପଢା ସମ୍ଭବ ହେଉନାହିଁ। ଅନ୍ୟପକ୍ଷରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ପାଇଁ ତାଲିମପ୍ରାପ୍ତ ବିଜ୍ଞାନ ଓ କଳା ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ସେହିପରି ଅଷ୍ଟମ ଶ୍ରେଣୀର ପିଲାମାନଙ୍କୁ ଏକ ଭଙ୍ଗା ଆଜବେଷ୍ଟସ ଘରେ ବସାଇ ଶିକ୍ଷାଦାନ କରାଯାଉଛି। ବର୍ଷା ହେଲେ ଭଙ୍ଗା ଆଜବେଷ୍ଟସ ଦେଇ ପାଣି ଗଳିବା ଫଳରେ ଶିକ୍ଷାଦାନରେ ବ୍ୟାହତ ହେଉଛି। ତେଣୁ ଏଭଳି ଗୋଟିଏ ପୁରାତନ ଶିକ୍ଷାନୁଷ୍ଠାନର ଭିତ୍ତିଭୂମିର କିପରି ବିକାଶ ହୋଇ ପାରିବ ସେ ନେଇ ସରକାର ତୁରନ୍ତ ଅନୁଦାନ ଯୋଗାଇ ଦେବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/IMG20220708133352_6.jpg)