ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟଗୁଡିକର ଅବସ୍ଥା ସଂକଟାପନ୍ନ; ଶିକ୍ଷକ ଅଭାବ ସାଙ୍ଗକୁ ପଦୋନ୍ନତି ନାହିଁ

ମାଲକାନଗିରି: ଚଳିତ ମାସ ୮ ତାରିଖରୁ ସମସ୍ତ ଉଚ୍ଚ ବିଦ୍ୟାଳୟ ଖୋଲିବା ସହ କେବଳ ନବମ ଓ ଦଶମ ଶ୍ରେଣୀର ପିଲାମାନେ ବିଦ୍ୟାଳୟକୁ ଆସିପାରିବେ ବୋଲି ସରକାରଙ୍କ ତରଫରୁ କୁହାଯାଇଥିଲା। ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟ ଖୋଲିବା ସହ ନବମ ଓ ଦଶମ ଶ୍ରେଣୀ ଖୋଲି ପାଠ ପଢା ଆରମ୍ଭ ହେଲାଣି। ତେବେ ସବୁଠାରୁ ଶୋଚନୀୟ ଅବସ୍ଥା ରହିଛି ଜିଲ୍ଲା ମଂଗଳ ବିଭାଗ ଦ୍ବାରା ପରିଚାଳିତ ହେଉଥିବା ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ ଗୁଡିକ। ଜିଲ୍ଲାରେ ରହିଥିବା ୨୪ଟି ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟଗୁଡିକରେ ଶିକ୍ଷକମାନଙ୍କର ଘୋର ଅଭାବ ପରିଲକ୍ଷିତ ହୋଇଛି। ଯାହାଫଳରେ ପାଠ ପଢାରେ ବାଧା ପ୍ରାପ୍ତ ହେବା ସହ ଆସନ୍ତା ମାର୍ଚ୍ଚରେ ହେବାକୁ ଥିବା ଦଶମ ପରୀକ୍ଷାରେ ପିଲାମାନେ କିପରି ପରୀକ୍ଷା ଦେବେ ସେନେଇ ସାଧାରଣରେ ଏବଂ ଅଭିଭାବକ ମହଲରେ ପ୍ରଶ୍ନ କରାଯାଇଛି। ଏହି ସ୍କୁଲଗୁଡିକରେ ପାଠ ପଢା ଚାଲିଛି କି ନାହିଁ ସେନେଇ ଉଚ୍ଚପଦାଧିକାରୀଙ୍କୁ ଦାୟୀତ୍ବ ପ୍ରଦାନ କରାଯାଇଛି। ତେବେ ପ୍ରଶାସନ କିମ୍ବା ସରକାର ଏନେଇ କେବେ ବି ହୃଦୟଙ୍ଗମ କରିନାହାନ୍ତି ଯେ ଜିଲ୍ଲାରେ ରହିଥିବା ଏହି ସ୍କୁଲଗୁଡିକରେ ପିଲାଙ୍କ ତୁଳନାରେ ଶିକ୍ଷକ ଓ ଶିକ୍ଷୟତ୍ରୀ ଅଛନ୍ତି କି ନାହିଁ।

ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତିର ଉଚ୍ଚ ବିଦ୍ୟାଳୟଗୁଡିକର ଅବସ୍ଥା ଏବେ ସଂକଟାପନ୍ନ। ସୂଚନାଯୋଗ୍ୟ ଯେ ମାଲକାନଗିରି ଜିଲ୍ଲାରେ ରହିଥିବା ୨୪ଟି ସ୍କୁଲରେ ମୋଟ ୪୮ ଜଣ ଗଣିତ ଓ ବିଜ୍ଞାନ ଶିକ୍ଷକ ରହିବା କଥା ଅଛନ୍ତି ମାତ୍ର ୬ ଜଣ।ଆହୁରି ୩୮ଟି ଗଣିତ ଓ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ପଡିଛି। ସେହିପରି କଳା ଶିକ୍ଷକ ୪୮ ରହିବା କଥା,କିନ୍ତୁ ବର୍ତ୍ତମାନ ୧୯ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ରହିଛି।ବଳକା ୨୯ ଟି ପଦବୀ ଏବେ ବି ଖାଲି ପଡିଛି। ହିନ୍ଦୀ ବିଷୟରେ ୨୪ଟି ପଦବୀରୁ ୧୨ଟି ପଦବୀ ଖାଲି ପଡିଛି। ସଂସ୍କୃତରେ ୨୪ଟି ପଦବୀରୁ ୧୨ଟି ପଦବୀ ଖାଲି ପଡିଛି। ପିଇଟି ଶିକ୍ଷକରେ ୨୪ଟିରୁ ମାତ୍ର ୧୩ ଜଣ ରହିଛନ୍ତି। ଆହୁରି ୧୧ଟି ପିଇଟି ଶିକ୍ଷକ ଦରକାର ପଡୁଛି। ତେବେ ବିଶେଷକରି ଗଣିତ ଏବଂ ବିଜ୍ଞାନରେ ଜିଲ୍ଲାରେ ମାତ୍ର ୬ ଜଣ ଶିକ୍ଷକ ରହିଥିବା ବେଳେ ପିଲାମାନେ କିପରି ଏହି ଦୁଇ ବିଷୟରେ ଜ୍ଞାନ ଆରୋହଣ କରିବେ ସେନେଇ ସଂଦେହ ସୃଷ୍ଟି ହୋଇଛି। ଯଦି ଦଶମ ପରୀକ୍ଷା ଫଳ ଦେଖିବା ଗତ ବର୍ଷ ଦଶମରେ ୧୪୨୪ ଜଣ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୧୧୧୬ ଜଣ ପାସ କରିଛନ୍ତି।

ମୋଟ ୭୮ ପ୍ରତିଶତ ପିଲା ପାସ କରିଛନ୍ତି। ତେବେ ସେଥିମଧ୍ୟରୁ ୪୦ ପ୍ରତିଶତରୁ କମ୍ ମାର୍କ ୮୫୪ ଜଣ ରଖିଥିଲେ। ପାଠ ପଢା ଠିକ ନଥିବାରୁ ଅଧାରୁ ଅଧିକ ପିଲା ତୃତୀୟ ଶ୍ରେଣୀରେ ପାସ କରିଥିଲେ। ତେବେ ଏନେଇ ଜିଲ୍ଲା ମଂଗଳ ବିଭାଗର ଅଧିକାରୀ ପ୍ରଦୀପ୍ତ କୁମାର ପଣ୍ଡାଙ୍କୁ ପଚାରିବାରୁ ଶିକ୍ଷାକ ନିଯୁକ୍ତି ପ୍ରକ୍ରିୟା ଚାଲିଛି। କରୋନା ଯୋଗୁଁ ଏହା ଅଟକି ଯାଇଥିବା କହିଥିଲେ। ସେହିପରି ଶିକ୍ଷକମାନଙ୍କର ପଦୋନ୍ନତି କଥା ପଚାରିବାରୁ ଖୁବଶୀଘ୍ର ଏହା ମଧ୍ୟ କରାଯିବ ବୋଲି କହିଥିଲେ। ସବୁ ପ୍ରକ୍ରିୟା ଚାଲୁ ରହିଛି ବୋଲି କହିଥିଲେ। ସ୍କୁଲରେ ବର୍ତ୍ତମାନ ଶିକ୍ଷକଙ୍କର ଅଭାବ ନାହିଁ, କାରଣ ଆଶ୍ରମ ସ୍କୁଲଗୁଡିକର ଶିକ୍ଷକମାନଙ୍କୁ ସମସ୍ତ ହାଇସ୍କୁଲରେ ନିଯୁକ୍ତି ଦିଆଯାଇଛି ବୋଲି କହିଥିଲେ। ତେବେ ଯାହା ସୂଚନା ରହିଛି ପ୍ରାୟ ୩୪ ଜଣ ଆଶ୍ରମ ସ୍କୁଲର ଶିକ୍ଷକମାନଙ୍କୁ ଆଣି ହାଇସ୍କୁଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୧୧ ଜଣ ହିଁ ବିଏ,ବିଇଡି ଶିକ୍ଷକ ଅଟନ୍ତି। ବଳକା ୨୩ ଜଣ ମ୍ୟାଟ୍ରିକ ସିଟି ବୋଲି ଜଣାପଡିଛି। ତେବେ ଏମାନେ କିପରି ହାଇସ୍କୁଲରେ ପାଠ ପଢାଇବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଣି ଆଶ୍ରମ ସ୍କୁଲ ଖୋଲିଗଲେ ଏହି ଶିକ୍ଷକମାନେ ସେଠାକୁ ଚାଲିଯିବେ।ପୁଣି ହାଇସ୍କୁଲଗୁଡିକର ଅବସ୍ଥା ଯଥା ପୂର୍ବଂ,ତଥା ପରଂ ଭଳି ହୋଇଯିବ।

ପ୍ରତି ବର୍ଷ ଡିସେମ୍ବର ଏବଂ ଜାନୁୟାରୀରେ ଶିକ୍ଷକମାନଙ୍କର ପଦୋନ୍ନତି ହେବା କଥା କିନ୍ତୁ ମାଲକାନଗିରି ଜିଲ୍ଲାରେ ଏହା ସମ୍ଭବ ହୋଇପାରୁନଥିବା ଦେଖିବାକୁ ମିଳିଛି।ଗତ ୨୦୧୮ ମସିହାରେ ଶିକ୍ଷକ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଆଜି ସୁଦ୍ଧା ତାହା ସମ୍ଭବ ହୋଇପାରୁନାହିଁ। ମଂଗଳବିଭାଗର ଉଚ୍ଚ ବିଦ୍ୟାଳୟଗୁଡିକରେ ଶିକ୍ଷକ ଅଭାବ ହେତୁ ପାଠ ପଢାରେ ବାଧା ସୃଷ୍ଟି ହେଉଥିବାରୁ ଏବେ ଅଭିଭାବକ ମହଲରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପିଲାଙ୍କ ଭବିଷ୍ୟତକୁ ନେଇ ସେମାନେ ଚିନ୍ତାରେ ପଡିଥିବା ଜଣାପଡିଛି। ଗତ ୧୫ ବର୍ଷ ହେଲା ଡିପିସି ବସିନଥିବା ବେଳେ ଗତବର୍ଷ ଡିପିସି ବସି ମାତ୍ର ୨ ଜଣଙ୍କୁ ପଦୋନ୍ନତି ଦିଆଯାଇଥିବା ଜଣାପଡିଛି। ଏନେଇ ମାଥିଲି ଜିଲ୍ଲାପରିଷଦ ସଭ୍ୟ ବାଲରାଜୁ କୋପେ ବାରମ୍ବାର ଜିଲ୍ଲା ପରିଷଦ ବୈଠକରେ ଏବଂ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି। ଏବେ ଜିଲ୍ଲାର ଅନୁସୂଚିତ ଜାତି ଓ ଜନଦାତି ଉଚ୍ଚ ବିଦ୍ୟାଳୟରେ ଅବସ୍ଥା ସାଂଘାତିକ ରହିଥିବାରୁ ତୁରନ୍ତ ପ୍ରଶାସନ ଏବଂ ସରକାର ଏନେଇ ପଦକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର