ଇଏ କି ଅବସ୍ଥା? ‘ସ୍ମାର୍ଟ ସ୍କୁଲ୍‌’ ଉବୁଟୁବୁ

ପଟ୍ଟାମୁଣ୍ତାଇ: ‘୫-ଟି’ ଯୋଜନାରେ ସାମିଲ ହୋଇ ସ୍ମାର୍ଟସ୍କୁଲ୍‌ର ମାନ୍ୟତା ପାଇଛି ସର୍ବପୁରାତନ ପଟ୍ଟାମୁଣ୍ତାଇ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ। ସ୍ମାର୍ଟ ରୁମ୍‌, ଇ-ଲାଇବ୍ରେରି ସାଙ୍ଗକୁ ଚକାଚକ ଡେକ୍ସ, ବେଞ୍ଚ ବି ପଡ଼ିଛି। ସ୍କୁଲ୍‌ ସିନା ସ୍ମାର୍ଟ ପାଲଟିଯାଇଛି ଏହା ପରିସର କିନ୍ତୁ ଏବେ ପାଣିରେ ଉବୁଟୁବୁ ହେଉଛି। ସେହି ପାଣିରେ ପଶି ଛାତ୍ରୀମାନେ ପଢିବାକୁ ଯାଉଛନ୍ତି। ବିଦ୍ୟାଳୟର ପ୍ରବେଶପଥଠାରୁ ଶ୍ରେଣୀଗୃହ ପର୍ଯ୍ୟନ୍ତ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି। ଏତିକିରେ ସମସ୍ୟା ସରିନି, ଆଜବେଷ୍ଟସ୍‌ ଗୃହଗୁଡ଼ିକ ବି ବିପଦସଙ୍କୁଳ ସ୍ଥିତିରେ ରହିଛି। ଏକାଧିକ ସମସ୍ୟା ହେତୁ ଏହି ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢାଇବା ପାଇଁ ଅଭିଭାବକମାନେ ନାକ ଟେକୁଛନ୍ତି। ଟିସି ନେଇ ପିଲାଙ୍କୁ ଅନ୍ୟତ୍ର ପଢାଉଛନ୍ତି। ଶିକ୍ଷାବର୍ଷ ଆରମ୍ଭରୁ ଅଦ୍ୟାବଧି ୨୫ ଜଣରୁ ଅଧିକ ଛାତ୍ରୀ ଟିସି ନେଇ ସାରିଥିବା ବିଦ୍ୟାଳୟର ସୂତ୍ରରୁ ଜଣାପଡିଛି। ସରକାରୀ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲେ ବି ଏହି ସର୍ବପୁରାତନ ଉଚ୍ଚବିଦ୍ୟାଳୟର ସମସ୍ୟା ନ ସୁଧୁରିବା ଉଦ୍‌ବେଗର ବିଷୟ ହୋଇଛି। ୧୯୬୨ ମସିହାରେ ସ୍ଥାପିତ ପଟ୍ଟାମୁଣ୍ତାଇ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୧୨୭, ୬ଷ୍ଠରୁ ୧୦ମ ପର୍ଯ୍ୟନ୍ତ ୩୨୩ ଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟରେ ୪ରୁ ଅଧିକ ପୁରୁଣା ଆଜବେଷ୍ଟସ ଶ୍ରେଣୀଗୃହ ବିପଦସଂକୁଳ ଅବସ୍ଥାରେ ରହିଛି। ଏଠାରେ ପାଠ ପଢାଇବା ବିପଦପୂର୍ଣ୍ଣ ହୋଇପଡ଼ିଛି। ଛାତ୍ରୀମାନଙ୍କୁ ଅନ୍ୟ କୋଠରିରେ ଥଇଥାନ କରାଯାଉଛି। ସଂଖ୍ୟାଧିକ ପିଲା ଗୋଟିଏ କୋଠରିରେ ବସି ପଢୁଥିବାରୁ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି। ଅନ୍ୟପଟେ ବିଦ୍ୟାଳୟ ପରିସରରୁ ପାଣି ନିଷ୍କାସନ ମୁଖ୍ୟ ସମସ୍ୟା ଭ‌ାବେ ମୁଣ୍ଡ ଟେକିଛି। ପରିସରରେ ପୂର୍ତ୍ତ ବିଭାଗ ପକ୍ଷରୁ ଫେବର୍‌ ବ୍ଲକ୍‌ ରାସ୍ତା କରାଯାଇ ଥିବା ବିଦ୍ୟାଳୟ କର୍ତୃପକ୍ଷ କହିଛନ୍ତି। କିନ୍ତୁ ପରିସରକୁ ସମତୁଲ କରାଯାଇ ନ ଥିବାରୁ ଏହି ରାସ୍ତା ଏବେ  ପାଣିରେ ବୁଡି ରହିଛି। ପଟ୍ଟାମୁଣ୍ତାଇ ବିଡିଓ ଭରତ ଚନ୍ଦ୍ର ପରିଡାଙ୍କ ସୂଚନା ମୁତାବକ, ବିଦ୍ୟାଳୟର ଉନ୍ନତିକରଣ ପାଇଁ ‘୫-ଟି’ ଯୋଜନାରେ ୩୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି।

ବିଦ୍ୟାଳୟର ପରିସରରେ ଆଣ୍ଠୁଏ ପାଣି ଜମି ରହିବା ଘଟଣା ପାଇଁ ବିଡିଓ ପୂର୍ତ୍ତ ବିଭାଗକୁ ଦାୟୀ କରିଛନ୍ତି। ଏହି କାମ ପୂର୍ତ୍ତ ବିଭାଗର ବୋଲି ବିଡିଓ ସଫେଇ ଦେଇଥିବାବେଳେ ବିଦ୍ୟାଳୟ ଉନ୍ନତିକରଣ କାର୍ଯ୍ୟ ବ୍ଲକ୍‌ ତଦାରଖରେ ହୋଇଥିବା ସ୍ବୀକାର କରିଛନ୍ତି। ସେପଟେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଶୋକ ଜେନା କହିଛନ୍ତି, ୩ ବର୍ଷ ତଳେ ବିଭାଗ ପକ୍ଷରୁ ବିଦ୍ୟାଳୟ ପରିସରରେ ଉକ୍ତ ରାସ୍ତା ତିଆରି କରାଯାଇଥିଲା। ଏବେ ବ୍ଲକ୍‌ ପ୍ରଶାସନ ‘୫-ଟି’ ଯୋଜନାରେ ବିଦ୍ୟାଳୟର ଉନ୍ନତିକାରଣ କାମ କରୁଛି। ତେଣୁ ଏବେ ପାଣି ନିଷ୍କାସନ ସମସ୍ୟା ସୁଧାରିବା ବ୍ଲକ୍‌ ପ୍ରଶାସନର ଦାୟିତ୍ବ ବୋଲି ସେ କହିଛନ୍ତି। ସେହିପରି ବିଦ୍ୟାଳୟରେ ପାଣି ଜମି ରହୁଥିବାରୁ ପିଲାମାନେ ଥଣ୍ଡା, କାଶ, ଜ୍ବରରେ ପୀଡ଼ିତ ହେଉଥିବା ଅଭିଯୋଗ ହୋଇଛି। ଏହାଛଡ଼ା ଅନ୍ୟାନ୍ୟ ସମସ୍ୟା ପାଇଁ ଅଭିଭାବକମାନେ ପିଲାଙ୍କୁ ଅନ୍ୟ ସ୍କୁଲ୍‌ରେ ପଢାଉଥିବା ଜଣାପଡ଼ିଛି। ଏ ନେଇ ରାମହରି ମଳିକଙ୍କ କହିବା କଥା ହେଲା, ପାଣି ଜମି ରହୁଥିବାରୁ ପିଲା ସମସ୍ୟା ଭୋଗୁଛନ୍ତି। ଜ୍ବରରେ ପଡ଼ୁଛନ୍ତି। ଏଣୁ ପିଲାଙ୍କୁ ଏଠାରେ ପଢାଇବାକୁ ଉଚିତ ମଣୁନାହିଁ। ଅନ୍ୟପକ୍ଷରେ ଏହି ପ୍ରମୁଖ ଶିକ୍ଷାନୁଷ୍ଠାନର ସମସ୍ୟା ପ୍ରତି ଅବଗତ ଥିବା କହିଛନ୍ତି ରାଜନଗର ବିଧାୟକ ଧ୍ରୁବ ସାହୁ। ଶ୍ରୀ ସାହୁ ବିଦ୍ୟାଳୟ ପରିସରରୁ ପାଣି ନିଷ୍କାସନ ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଟ୍ଟାମୁଣ୍ତାଇ ପୌରପରିଷଦକୁ ପରାମର୍ଶ ଦେଇଥିବା କହିଛନ୍ତି। ଛାତ୍ରୀମାନଙ୍କ ପାଠପଢାରେ ଯେପରି କୌଣସି ସମସ୍ୟା ସୃଷ୍ଟି ନହେବ ସେଥି ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ବିଧାୟକ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର