ମାଥିଲି: ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ମେକା ପଞ୍ଚାୟତରେ ୧୯୮୩ ମସିହାରେ ପ୍ରଥମେ ପ୍ରାଥମିକ ବିଦ୍ୟାଳୟଟିଏ ନିର୍ମାଣ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଉଚ୍ଚ ବିଦ୍ୟାଳୟରେ ପରିଣତ ହେଲା। ବର୍ତ୍ତମାନ ଏହି ବିଦ୍ୟାଳୟରେ ୩୮୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୧୧ ଜଣ ଶିକ୍ଷକ ରହିଛନ୍ତି। ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଏହି ବିଦ୍ୟାଳୟଟି ରହିଥିବା ବେଳେ ସରକାରୀ ବାବୁମାନଙ୍କ ଉଦାସୀନତା ଯୋଗୁଁ ବହୁ ସମସ୍ୟା ଦେଇ ଗତି କରୁଛି। ଶ୍ରେଣୀ ଗୃହ ରହିଥିଲେ ମଧ୍ୟ ସେହି ଶ୍ରେଣୀ ଗୃହରେ ରହି ପାଠ ପଢିବା ବିପଦପୂର୍ଣ୍ଣ ଅଟେ। ସବୁ ଶ୍ରେଣୀ ଗୃହ ଜରାଜିର୍ଣ୍ଣ ଅବସ୍ଥାରେ ରହିଛି। ବର୍ଷା ଦିନେ ଶ୍ରେଣୀ ଗୃହରେ କୃତ୍ରିମ ବନ୍ଧ ସୃଷ୍ଟି ହେଉଛି। ପିଲାମାନଙ୍କୁ ଶ୍ରେଣୀରେ ବସି ପାଠ ପଢାଇବା ଏକ ପ୍ରକାର ମୁସକିଲ ହୋଇ ପଡୁଛି।
ବାରମ୍ବାର ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ସୂଚନା ପ୍ରଦାନ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିିଳି ପାରୁନଥିବା ପ୍ରଧାନ ଶିକ୍ଷକ କହନ୍ତି। କୌଣସି ମୁହୁର୍ତ୍ତରେ ଶ୍ରେଣୀ ଗୃହ ଗୁଡିକ ଭୁଷୁଡି ଯିବାର ଆଶଂକା ମଧ୍ୟ ରହିଛି। ଯାହାକୁ ନେଇ ଅଭିଭାବକ ମାନେ ଚିନ୍ତାରେ ରହିଛନ୍ତି। ତୁରନ୍ତ ଶ୍ରେଣୀ ଗୃହଗୁଡିକର ମରାମତି ସହ ନୂତନ କୋଠାଗୃହ ନିର୍ମାଣ ପାଇଁ ଅଭିଭାବକ ମହଲରେ ଦାବି ହୋଇଛି। ସ୍କୁଲର ପରିବେଶ ସୁନ୍ଦର ହୋଇଥିବା ବେଳେ ପାଠ ପଢା କିନ୍ତୁ ଭଲ ହେଉଥିବା ଅଭିଭାବକ ମାନେ କହନ୍ତି। ତେବେ କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ ତୁରନ୍ତ କାଳିଆଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ଶ୍ରେଣୀ ଗୃହ ଗୁଡିକକୁ ଭାଙ୍ଗି ନୂତନ ଶ୍ରେଣୀ ଗୃହ ନିର୍ମାଣ କରାଯାଉ ବୋଲି ଦାବି ହୋଇଛି।