ନୂତନ ବିଦ୍ୟାଳୟ ନିର୍ମାଣ ନାମରେ ପୁରାତନ ବିଦ୍ୟାଳୟର ସମସ୍ତ ସାମଗ୍ରୀ ହରଣଚାଲ କରିନେଇଥିବା ଅଭିଯୋଗ

ଖୋର୍ଦ୍ଧା: ନୂତନ ବିଦ୍ୟାଳୟ କୋଠା ନିର୍ମାଣ ପାଇଁ ଟଙ୍କା ଆସିଲା । ନୂଆ ବିଦ୍ୟାଳୟ ନିର୍ମାଣ କରିବାକୁ ପୁରାତନ କୋଠାକୁ ଭଙ୍ଗା ଗଲା । ନିୟମାନୁସାରେ, ପୁରାତନ କୋଠାର ଝରକା, କବାଟ, ଭଲ ପଥର ଆଦି ନିର୍ମାଣ କାର୍ଯ୍ୟରେ ଲଗାଇବା କଥା କିନ୍ତୁ ସେଗୁଡ଼ିକ ବିଦ୍ୟାଳୟ କମିଟିର କେତେକ ସଦସ୍ୟ ନିଜ କାର୍ଯ୍ୟରେ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଆଜି ପୂର୍ବାହ୍ଣରେ ଚିଲିକା ବ୍ଲକ ସୋରଣ ପ୍ରାଥମିକ ବିଦ୍ୟାଳୟର ଅଭିଭାବକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏନେଇ ଅଭିଯୋଗ କରିଛନ୍ତି । ଅଭିଭାବକ ବୃନ୍ଦାବନ ବିଶ୍ୱାଳଙ୍କ କହିବାନୁସାରେ, ୨୦୧୯-୨୦ ଆର୍ଥିକ ବର୍ଷରେ ନୂତନ ସ୍କୁଲଗୃହ ନିର୍ମାଣ କରିବାକୁ ୨୧ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା । ଫଳରେ ପୁରୁଣା ସ୍କୁଲ ଘରକୁ ଭାଙ୍ଗି ଦିଆଯାଇଥିଲା । ବର୍ତମାନ ନୂତନ କୋଠା ନିର୍ମାଣ ଚାଲିଛି ।

କିନ୍ତୁ ସ୍କୁଲ ପରିସରରେ ଥିବା ମୂଲ୍ୟବାନ ଗଛ, ସ୍କୁଲରୁ ବାହାରିଥିବା କବାଟ, ଝରକା, ଟେବୁଲ୍, ଆଲମାରି ଆଦି ସ୍କୁଲ କମିଟିର କେତେକ ସଦସ୍ୟ ସ୍କୁଲର ପ୍ରଧାନଶିକ୍ଷକଙ୍କ ଅବଗତିରେ ସେଗୁଡ଼ିକୁ ନିଜ କାର୍ଯ୍ୟରେ ଲଗାଇଛନ୍ତି । ଏନେଇ ସେମାନେ ୩ଥର ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀ, ବିଡିଓ ଆଦିଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ । ସେହିଭଳି ଅନ୍ୟଜଣେ ଅଭିଭାବକ ରମେଶ ବେହେରା କହିଛନ୍ତି ଯେ ନୂତନ କୋଠା ନିର୍ମାଣ ପାଇଁ ଅନୁଦାନ ଆସିବାର କିଛି ମାସ ପୂର୍ବରୁ ରୋଷେଇ ଘର ପାଇଁ ୫ହଜାର, ଲାଇବ୍ରେରୀ ପାଇଁ ୭ ହଜାର, କ୍ରୀଡ଼ା ସାମଗ୍ରୀ ପାଇଁ ୧୦ହଜାର, କମ୍ପୋଜିଟ୍ ଗ୍ରାଂଟ୍ ୭୫ ହଜାର ଟଙ୍କା ଦିଆଯାଇଥିଲା ।

କିନ୍ତୁ ନୂତନ କୋଠା ନିର୍ମାଣ ଅନୁଦାନ ଆସିବା ଜଣାପଡ଼ିବା ପରେ ଏହି ଅର୍ଥରୁ କାଣିଚାଏ ମଧ୍ୟ ଖର୍ଚ୍ଚ କରାଯାଇନାହିଁ । ଅନ୍ୟଜଣେ ଅଭିଭାବକ ବ୍ରଜକିଶୋର ପାଇକରାୟ କହିଛନ୍ତି ଯେ ପୁରୁଣା ସ୍କୁଲରୁ ୨୦୦ ଖଣ୍ଡ ଆଜ୍ବେସଟସ, ଝରକା କବାଟ ୮ଟି, କାଠ ଟେବୁଲ୍ ୮ଟି, କାଠ ଚେୟାର୍ ୨ଟି, କାଠ ଆଲମିରା, ଚାଉଳ ରଖିବାକୁ ୨ଟି ଡ୍ରମ ଆଦିକୁ ପ୍ରଧାନ ଶିକ୍ଷକ ବିଦ୍ୟାଳୟ କମିଟି, ଅଭିଭାବକ କମିଟିର ଅଜାଣତରେ, ପ୍ରଶାସନର ବିନା ଅନୁମୋଦନରେ ୨୦ହଜାର ଟଙ୍କାରେ ଫେବ୍ରୁଆରୀ ୨୩ ତାରିଖରେ ନିଲାମ କରିଦେଇଛନ୍ତି । ବିଦ୍ୟାଳୟରେ ଘଟିଥିବା ଏ ସମସ୍ତ ଦୁର୍ନୀତିର ପୁଂଖାନୁପଂଖ ତଦନ୍ତ କରାଯାଇ ଦୋଷୀ ଶିକ୍ଷକ ଓ କମିଟି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅଭିଭାବକମାନେ ଲିଖିତ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର