ମହାକାଳପଡା: ୨୦ରୁ କମ୍ ପିଲା ପଢୁଥିବା ବିଦ୍ୟାଳୟକୁ ସରକାର ପାଖ ଗ୍ରାମର ବିଦ୍ୟାଳୟ ସହ ମିଶାଇଦେଲେ। ଏହି ମିଶ୍ରଣ ପରେ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଲା। ସେଗୁଡ଼ିକୁ ଦେଖିବାକୁ କେହିନାହିଁ। ଏହି ବିଦ୍ୟାଳୟ କୋଠାଗୁଡ଼ିକ ଏବେ ଭୂତକୋଠି ପାଲଟିଛି। ଅସାମାଜିକଙ୍କ ଆସର ବି ଜମୁଛି। ଏମିତି ଅବସ୍ଥା ହୋଇଛି ଦୁର୍ବୃତ୍ତ କବାଟ, ଝରକା ବି ତାଡ଼ି ନେଇ ଗଲେଣି। ଏପଟେ ‘୫-ଟି’ ଯୋଜନାରେ ସରକାରୀ ସ୍କୁଲଗୁଡ଼ିକୁ ସ୍ମାର୍ଟ କରାଯାଉଥିବା ବେଳେ ମହାକାଳପଡ଼ାରୁ ମିଳିଥିବା ଏଭଳି ଦୃଶ୍ୟ ସରକାରୀ ଯୋଜନା ପ୍ରତି ଉପହାସ ହୋଇଛି। ସର୍ବଶିକ୍ଷା ଅଭିଯାନର ଲକ୍ଷ୍ୟ ଥିଲା ସଭିଏଁ ପଢନ୍ତୁ ଓ ସଭିଏଁ ବଢନ୍ତୁ। ଏଥିପାଇଁ ପ୍ରତି ପଡା ଗ୍ରାମରେ ବିଦ୍ୟାଳୟ ଗଢି ଉଠିଥିଲା। ନୂତନ ଅନୁଦାନ ଫଳରେ ରାତାରାତି ସ୍କୁଲ କୋଠା ନିର୍ମାଣ ହୋଇଥିଲା। ସର୍ବଶିକ୍ଷା ଅଭିଯାନ କାର୍ଯ୍ୟକାରିତାର ପ୍ରାୟ ୧୩ ବର୍ଷ ପରେ ଏବେ ମହାକାଳପଡା ବ୍ଲକରେ ୨୬ଟି ସ୍କୁଲ ବନ୍ଦ ହୋଇ ସାରିଲାଣି। ସ୍କୁଲ ବନ୍ଦ ହେବା ପଛରେ ମୁଖ୍ୟ କାରଣ ହେଉଛି ପିଲା ସଂଖ୍ୟା କମ୍। ବନ୍ଦ ହୋଇଯାଇଥିବା ଏହି ୨୬ଟି ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ଅଧିକାଂଶରେ ପିଲା ସଂଖ୍ୟା ୨୦ରୁ କମ୍ ଏବଂ କେତେକ କ୍ଷେତ୍ରରେ ୪୦ରୁ କମ୍ ଥିଲା।
ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ସବୁ ବିଦ୍ୟାଳୟ ବନ୍ଦ କରାଯାଇ ନିକଟସ୍ଥ ଗ୍ରାମର ବିଦ୍ୟାଳୟ ସହିତ ମିଶ୍ରଣ କରାଯାଇଛି। ତେବେ ବନ୍ଦ ହୋଇଯାଇଥିବା ବିଦ୍ୟାଳୟଗୁଡିକର ଶ୍ରେଣୀଗୃହ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ଅନ୍ୟପକ୍ଷରେ ଏହି ସବୁ ବିଦ୍ୟାଳୟର ରକ୍ଷଣାବେକ୍ଷଣ ଦାୟିତ୍ବରେ କୈାଣସି ସରକାରୀ ଅଧିକାରୀ ବା ବେସରକାରୀ ସଂସ୍ଥା ନାହାନ୍ତି। ଦୁର୍ବୃତ୍ତମାନେ ମନଇଛା ଶ୍ରେଣୀ ଗୃହର କବାଟ, ଝରକା ଆଦି ତାଡି ନେଇ ଗଲେଣି। ସେହିପରି ଆଉ କେତେକ ସ୍କୁଲରେ ଲୋକମାନେ ଜବରଦଖଲ ପୂର୍ବକ ଗାଈଗୋରୁ ରଖୁଛନ୍ତି। ମହାକାଳପଡା ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବିଚିତ୍ରାନନ୍ଦ ସାମଲ କବାଟ, ଝରକା ଆଦି ଚୋରି ହୋଇଥିବା କଥା ସ୍ବୀକାର କରିବା ସହିତ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ବନ୍ଦ ହୋଇଥିବା ସ୍କୁଲଗୁଡିକୁ କାହାକୁ ହସ୍ତାନ୍ତର କରାଯିବ ସେ ନେଇ କୈାଣସି ନିଷ୍ପତ୍ତି ହୋଇ ନଥିବା କହିଛନ୍ତି।