୫୧ ବର୍ଷର କୁରାଞ୍ଜ ଉଚ୍ଚପ୍ରାଥମିକ ବିଦ୍ୟାଳୟ: ସାତଟି ଶ୍ରେଣୀ ପାଇଁ ୪ ଗୃହ, ଦୁଇଟି ଅସୁରକ୍ଷିତ

ନରସିଂହପୁର: ନରସିଂହପୁର ବ୍ଲକ୍‌ ବାଲିଝରି ପଞ୍ଚାୟତ ଅନ୍ତର୍ଗତ କୁରାଞ୍ଜ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ, ଶ୍ରେଣୀଗୃହ ଅଭାବ ସମେତ ନାନା ସମସ୍ୟା ଲାଗି ରହିଛି। ୧୯୭୨ ମସିହାରେ ସ୍ଥାପନ କରାଯାଇଥିବା ଏହି ୫୧ବର୍ଷର ଶିକ୍ଷାନୁଷ୍ଠାନରେ ବର୍ତ୍ତମାନ ପ୍ରଥମରୁ ସପ୍ତମ ଶ୍ରେଣୀରେ ୯୮ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେମାନଙ୍କ ପାଇଁ ଚାରିଟି ଶ୍ରେଣୀଗୃହ। ସେଥିମଧ୍ୟରୁ ଗୋଟିଏ ଶ୍ରେଣୀଗୃହରେ ଅଫିସ୍‌ କାର୍ଯ୍ୟ ଚାଲୁଛି। ସେହିପରି ଦୁଇଟି ଅସୁରକ୍ଷିତ ଶ୍ରେଣୀଗୃହରୁ ବର୍ଷାଦିନେ ପାଣି ଗଳୁଥିବା ଜଣାପଡ଼ିଛି। ସେହିପରି ବିଦ୍ୟାଳୟରେ ପ୍ରଧାନଶିକ୍ଷକ ବିଶ୍ୱନାଥ ନାୟକ ଓ ସହକାରୀ ଶିକ୍ଷୟିତ୍ରୀ ଗୀତାଞ୍ଜଳି ଛତ୍ର କାର୍ଯ୍ୟ କରୁନ୍ତି। କୌଣସି କାରଣରୁ ଜଣେ ଶିକ୍ଷକ ଛୁଟିରେ ରହିଲେ ଅନ୍ୟ ଜଣେ ସାତଟି ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଉଛନ୍ତି।

ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ଓ ଶ୍ରେଣୀଗୃହ ନ ଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଅସୁରକ୍ଷିତ ଶ୍ରେଣୀଗୃହ ପୁନରୁଦ୍ଧାର କରାଯିବା ସହ ଆବଶ୍ୟକ ଶିକ୍ଷକ ନିଯୁକ୍ତି ପାଇଁ ଅଭିଭାବକ ଓ ଗ୍ରାମବାସୀ ବାରମ୍ବାର ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସୂଚନା ଦେଇଛନ୍ତି। ସେହିପରି ବିଦ୍ୟାଳୟରେ ଖେଳପଡ଼ିଆ ନ ଥିବାରୁ ପିଲାମାନେ ଖେଳକୁଦ କରିପାରୁ ନାହାନ୍ତି। ଏଥିଯୋଗୁଁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଗ୍ରାମ୍ୟ ପଡ଼ିଆକୁ ଯିବାକୁ ପଡ଼ୁଛି ବୋଲି ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଛତ୍ର କହିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଧରଣୀଧର ମହାପାତ୍ରଙ୍କ ସମେତ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ, ବିଡିଓ, ତହସିଲଦାର ଓ ବ୍ଲକ୍‌ ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି। ସ୍ଥାନୀୟ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀ ତୁରନ୍ତ ବିଦ୍ୟାଳୟର ସମସ୍ୟା ସମାଧାନ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର