ଏମିତି ବି ଶିକ୍ଷାନୁଷ୍ଠାନ ଅଛି..୪୦ଦିନ ହେବ ସ୍କୁଲ୍‌ରେ ତାଲା

ଅନ୍ଧାରରେ ପିଲାଙ୍କ ଭବିଷ୍ୟତ, ପ୍ରଧାନଶିକ୍ଷକ କହିଲେ ଘରକୁ ଯାଇ ପିଲାଙ୍କ ପରୀକ୍ଷା କରାଉଛି

କେନ୍ଦ୍ରାପଡା/ରାଜନଗର: ପରୀକ୍ଷା ଚାଲିଥିବା ବେଳେ ସ୍କୁଲ୍‌ରେ ତାଲା। ଦିନେ କି ଦୁଇଦିନ ନୁହେଁ, ୪୦ଦିନ ହେଲା ସ୍କୁଲ୍‌ ଖୋଲି ପାରୁନାହିଁ।  ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ। ପଟ୍ଟାମୁଣ୍ତାଇ ବ୍ଲକ୍‌ ବିଲିକଣା ପଂଚାୟତ ଅଳତାଙ୍ଗ ସତସଙ୍ଗ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଏଭଳି ଅଚଳାବସ୍ଥା ଦେଖାଦେଇଛି। ସବୁଠୁ ବଡ଼ କଥା ହେଉଛି, ସ୍କୁଲ୍‌କୁ ଗ୍ରାଣ୍ଟ୍‌ ଇନ୍‌ ଏଡ୍‌ ମିଳିବା ପରେ ନିୟମିତ ଖୋଲିବା ପରିବର୍ତ୍ତେ ମାସେରୁ ଅଧିକ ଦିନ ହେବ ବନ୍ଦ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିବା ବେଳେ ଶିକ୍ଷା ବିଭାଗ ଏ ଦିଗରେ ଚୁପ୍ ବସିବା ଘଟଣା ମାମଲାକୁ ଅଧିକ ଜଟିଳ କରି ଦେଇଛି ା ମିଳିଥିବା ସୂଚନାନୁଯାୟୀ, ଗତ ଅଗଷ୍ଟ ୨୨ ତାରିଖରେ ସ୍କୁଲ୍‌ରେ ଗଣ୍ଡଗୋଳ ହୋଇଥିଲା। ସେବେଠୁ ଆଉ ସ୍କୁଲ୍‌ ଖୋଲି ନାହିଁ। ଗଣ୍ଡ ଗୋଳ ମାମଲା ଥାନା ଯାଏ ବି ଯାଇଛି ା ପୁଲିସ ମାମଲା ରୁଜୁ କରିଥିଲେ ବି ଦୋଷୀଙ୍କ ବିରୋଧରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏପଟେ ସ୍କୁଲ୍‌ ଖୋଲୁନଥିବାରୁ ପିଲାମାନେ ବି ପରୀକ୍ଷା ଦେବାରୁ ବଂଚିତ ହୋଇଛନ୍ତି ା ସ୍କୁଲ୍‌ରେ ‌ଷଷ୍ଠ ଓ ସପ୍ତମ ଶ୍ରେଣୀ ଥିବା ବେଳେ ରେକର୍ଡରେ ମୋଟ ୩୪ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ଦର୍ଶାଯାଉଛି। ମାତ୍ର ବାସ୍ତବରେ ପିଲାଙ୍କ ସଂଖ୍ୟା ୧୦ ବି ନ ଥିବା କୁହାଯାଉଛି। ସବୁଠୁ ବଡ଼ କଥା ହେଉଛି, ବର୍ତମାନ ସବୁ ବିଦ୍ୟାଳୟରେ ପରୀକ୍ଷା ଚାଲିଛି। ପିଲାମାନେ ପରୀକ୍ଷା ଦେଉଛନ୍ତି। ମାତ୍ର ଏଠାରେ ବିଦ୍ୟାଳୟ ବନ୍ଦ ଥିବାରୁ ପିଲାମାନେ ପରୀକ୍ଷା ଦେଇପାରୁନାହାନ୍ତି।

ସ୍କୁଲ୍‌ ଗ୍ରାଣ୍ଟ୍‌ ଇନ୍‌ ଏଡ୍‌ ପାଇବା ପରଠୁ ଏଭଳି ଅଚଳାବସ୍ଥା ଦେଖାଦେଇଥିବା ଅଭିଯୋଗ ହେଉଛି। ଏ ସଂପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ୍ତରଂଜନ ପଟ୍ଟନାୟକଙ୍କୁ ପଚାରିବାରୁ ସେ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଚକିତ କଲା ଭଳି। ସେ କହିଛନ୍ତି ସ୍କୁଲ ମାସେରୁ ଅଧିକ ଦିନ ହେଲା ବନ୍ଦ ଥିବାରୁ ଆମେ ଘରକୁ ଘର ବୁଲି ପିଲାଙ୍କ ପରୀକ୍ଷା କରାଉଛୁ। ସିଆରସିସି ଉମାକାନ୍ତ ବେହେରା କହିଛନ୍ତି ସ୍କୁଲ ବନ୍ଦ ଅଛି ସତ କିନ୍ତୁ ସେ ପିଲାଙ୍କ ପରୀକ୍ଷା ଦାୟିତ୍ବ ଆମର ନୁହେଁ। ଏହି ସ୍କୁଲ ସଂପର୍କରେ ଆମେ କୌଣସି ରିପୋର୍ଟ ସରକାରଙ୍କୁ ଦିଆଯାଏନି ବୋଲି ସେ କହିଛନ୍ତି। ହେଲେ ପ୍ରଶ୍ନ ଉଠୁଛି ଯେ ସରକାର ଏହି ସ୍କୁଲ୍‌କୁ ସ୍ବୀକୃତି ଦେଉଥିବା ବେଳେ ସିଆରସିସି ଆମ ଖାତାରେ ନାହିଁ ବୋଲି କିଭଳି କହୁଛନ୍ତି? ସ୍କୁଲ୍‌ ପରିଚାଳନା ବିବାଦ ପାଇଁ କଣ ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ‌ ଠେଲି ଦିଆଯିବ? ବିବାଦ ପଛର କାରଣ ଯାହା ଥାଉନା କାହିଁକି, ଯେତିକି ବି ପିଲା ସ୍କୁଲ୍‌ରେ ପଢୁଛନ୍ତି, ସେମାନଙ୍କ ପାଠପଢ଼ା ସୁନିଶ୍ଚିତ କରିବା ଦାୟିତ୍ବରେ ଶିକ୍ଷା ବିଭାଗର। ତେଣୁ ବିଭାଗ ବିକଳ୍ପ ବ୍ୟବସ୍ଥା କାହିଁକି ଗ୍ରହଣ କରୁନାହିଁ ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର