ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା କିପରି ରହିଛି ତାହା ଜାଣିବାକୁ ହେଲେ ଦୁର୍ଗମ ସ୍କୁଲ ଗୁଡିକରେ ଥରେ ବୁଲି ଆସିଲେ ସବୁ ସ୍ପଷ୍ଟ ହୋଇଯିବ। ତେବେ ବିଭାଗୀୟ ଅଧିକାରୀ ମାନେ ସବୁ ଜାଣି ମଧ୍ୟ ଅଜଣା ଭଳି ରହୁଥିବା କେବଳ ମାଲକାନଗିରି ଜିଲ୍ଲାରେ ହିଁ ଦେଖିବାକୁ ମିଳିଛି। ମାସମାସ ବର୍ଷବର୍ଷ ଧରି ସ୍କୁଲ ଗୁଡିକ ଖୋଲାଯାଉ ନାହିଁ। ନାମକୁ ମାତ୍ର ଶିକ୍ଷକ ସେଠାରେ ଦାୟୀତ୍ବ ନେଇଥିବା ବେଳେ ନିଜ ମନ ହେଲେ କେବେ ଥରେ ଘେରାଏ ବୁଲି ପୁଣି ଫେରି ଆସୁଥିବା ଜଣାପଡିଛି। ଜିଲ୍ଲାର ସବୁଠାରୁ ବେଶୀ ଦୁର୍ଗମ ଏବଂ ଅପହଞ୍ଚ ଅଂଚଳ ମଧ୍ୟରେ ଚିତ୍ରକୋଣ୍ଡା ବ୍ଲକ ଅନ୍ୟତମ।
ଏହି ବ୍ଲକରେ ରହିଥିବା ୧୮ଟି ପଞ୍ଚାୟତ ନକ୍ସଲ ପ୍ରବଣ ରହିଥିବା ବେଳେ ଦୁର୍ଗମ ପାହାଡିଆ ମଧ୍ୟରେ ରହିଛି। ତେବେ ଏହି ବ୍ଲକର ପାପଲୁର, କୁରମାନୁର ଏବଂ କୋପାତୁଟି ଅଂଚଳରେ ରହିଥିବା ସ୍କୁଲ ଗୁଡିକରେ ଶିକ୍ଷକ ମାନେ ମାସମାସ ଧରି ଯାଉନଥିବା ଦେଖିବାକୁ ମିଳିଛି। ସମସ୍ତେ ଶିକ୍ଷକ ମାଲକାନଗିରି, ବାଲିମେଳା ଏବଂ ଚିତ୍ରକୋଣ୍ଡା ଅଂଚଳରେ ରହୁଥିବାରୁ ଚିତ୍ରକୋଣ୍ଡା ଠାରୁ ପ୍ରାୟ ୩୦ରୁ ୪୦ କିଲୋମିଟର ଦୁରରେ ରହିଥିବା ଏହି ପଞ୍ଚାୟତ ଗୁଡିକର ସ୍କୁଲରେ ନା ଶିକ୍ଷକ ନିୟମିତ ଯାଉଛନ୍ତି ନା ପିଲା ମାନେ ସ୍କୁଲ ମୁହାଁ ହେଉଛନ୍ତି।କୋପାତୁଟି ପଞ୍ଚାୟତର ମାଜାଗୁଡା ଗ୍ରାମର ରାମା ରାଓ, ସୁକାନ୍ତ ଭତ୍ରା, କମଳୁ ଖିଲ, ଧନିଆ ହନ୍ତାଳ, ରାମ ଭତ୍ରା, ବାଲା ରାୟ ପ୍ରମୁଖ ଗ୍ରାମବାସୀ ମାସମାସ ଧରି ସ୍କୁଲ ଖୋଲୁ ନଥିବା ଅଭିଯୋଗ କରିଛନ୍ତି।
ମାଜାଗୁଡାରେ ରହିଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୀର୍ଘ ମାସ ହେଲା ତାଲା ପଡି ରହିଛି। ନା ସ୍କୁଲକୁ ଶିକ୍ଷକ ଆସୁଛନ୍ତି ନା ପିଲାମାନେ ସ୍କୁଲକୁ ଯାଉଛନ୍ତି। ଏହି ଅଂଚଲର ପିଲା ମାନେ କେଉଁ ଶ୍ରେଣୀରେ ପାଠ ପଢନ୍ତି ଜାଣନ୍ତି ନାହିଁ। ଏହି ସ୍କୁଲରେ ଶିକ୍ଷକ ଆସୁନଥିବାରୁ ପାଠ ପଢା ସଂପୂର୍ଣ୍ଣ ରୂପେ ଠପ୍ ହୋଇଛି। ଗତ ଦୁଇବର୍ଷ ହେଲା କରୋନା ଯୋଗୁଁ ସ୍କୁଲ ଖୋଲା ଯାଉନଥିଲେ ମଧ୍ୟ ଶିକ୍ଷକ ମାନେ ସ୍କୁଲରେ ଉପସ୍ଥିତ ରହିବା ପାଇଁ ନିର୍ଦେଶ ରହିଛି। କିନ୍ତୁ କୌଣସି ଶିକ୍ଷକ ଆଜି ପର୍ଯ୍ୟନ୍ତ ସ୍କୁଲ ମୁହାଁ ହୋଇନାହାନ୍ତି। ପିଲା ମାନଙ୍କୁ ସରକାରଙ୍କ ତରଫରୁ ଯେଉଁ ସବୁ ସୁବିଧା ମିଳିବା କଥା ତାହା ମଧ୍ୟ ଠିକ ଭାବେ ମିଳୁନଥିବା ଏହି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
/sambad/media/post_attachments/wp-content/uploads/2021/10/Mkg-Majaguda-School-not-open-since-long-year-1.jpg)
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବର୍ତ୍ତମାନ ସ୍କୁଲ ବନ୍ଦ ଥିବାରୁ ଶିକ୍ଷକ ମାନେ ପିଲା ମାନଙ୍କ ଘରେ ଯାଇ ପ୍ରଶ୍ନତ୍ତୋର କିପରି କରାଯିବ ତାଲିମ ଦେବା କଥା କିନ୍ତୁ ଏସବୁ କାମ ଜିଲ୍ଲାର ପ୍ରାୟ ସମସ୍ତ ଦୁର୍ଗମ ବିଦ୍ୟାଳୟରେ କରାଯାଉ ନାହିଁ। ବିଶେଷକରି ତୃତୀୟ, ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀର ପିଲାଙ୍କ ଘରକୁ ଯାଇ ଶିକ୍ଷକ ଏଭଳି ଶିକ୍ଷାଦାନ କରିବା ନେଇ ସରକାର ନିର୍ଦେଶ ଦେଇଛନ୍ତି। ଶିକ୍ଷକ ମାନେ ସ୍କୁଲକୁ ଯାଉନଥିବାରୁ ସ୍କୁଲରେ ଏବେ କୃତ୍ରିମ ଜଂଗଲ ସୃଷ୍ଟି ହେଲାଣି। ଏହି ଅଂଚଳ ଗୁଡିକୁ କୌଣସି ଶିକ୍ଷା ବିଭାଗର ଅଧିକାରୀଙ୍କ ପାଦ ପଡୁନଥିବାରୁ ଶିକ୍ଷକ ମାନେ ମଧ୍ୟ ଘରେ ରହି ନିଜର ଅନ୍ୟ କାମ ସବୁ ତୁଲାଉଥିବା ଅଭିଯୋଗ ହେଉଛି।
ଅନ୍ୟ ଦିଗରେ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଜାଣି ଅଜଣା ଭଳି ରହିଥିବା ଅଭିଯୋଗ ହୋଇଛି।ଶିକ୍ଷକ ମାନେ ସ୍କୁଲ ନଯାଇ ସିଆରସିସି ଏବଂ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନିଜର କରି ମାସମାସ ଧରି ସ୍କୁଲ ଯାଉନାହାନ୍ତି। ଯାହା ସଂପର୍କରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ କୌଣସି ଖବର ନଥିବା ଜିଲ୍ଲା ଶିକ୍ଷାଧିକାରୀ ମାନସ ଜେନା କହିଥିଲେ। ତେବେ ସେ ଏନେଇ ନିଶ୍ଚିତ ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କେବେଳ ଯେ ଚିତ୍ରକୋଣ୍ଡା ବ୍ଲକରେ ହିଁ ନୁହେଁ ଜିଲ୍ଲାର ଅନ୍ୟ ବ୍ଲକ ଗୁଡିକରେ ମଧ୍ୟ ସ୍କୁଲ ଗୁଡିକର ଅବସ୍ଥା ଏହିପରି ରହିଛି। ତେବେ ଚିତ୍ରକୋଣ୍ଡା ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିବାରୁ ତାଂକ ପ୍ରତିକ୍ରିୟା ଦିଆଯାଇପାରି ନାହିଁ।