ଗାରୋଇ: ୫-ଟିରେ ରୂପାନ୍ତରିତ ହୋଇଛି। ବିଦ୍ୟାଳୟର ଚିତ୍ର ବଦଳିଛି। ପରିସର ଝଟକୁଛି। କିନ୍ତୁ ଶିକ୍ଷାଦାନ ପାଇଁ ଶିକ୍ଷକ କି କାର୍ଯ୍ୟାଳୟ ପରିଚାଳନା ପାଇଁ କର୍ମଚାରୀ ନାହାନ୍ତି। ଏମିତି ସମସ୍ୟାଦେଇ ଗତି କରୁଛି ନାଉଗାଁ ବ୍ଲକ୍ କୋରୁଅ ପଞ୍ଚାୟତ ସ୍ଥିତ ଗାରୋଇ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ।
ଏହି ସ୍କୁଲ୍ରେ ନବମ ଓ ୧୦ମ ଶ୍ରେଣୀକୁ ମିଶାଇ ମୋଟ୍ ୧୨୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟକୁ ୫-ଟିରେ ରୂପାନ୍ତରଣ କରାଯାଇ ୨ଟି ସ୍ମାଟ୍ କ୍ଲାସ୍ ରୁମ୍, ଇ-ଲାଇବ୍ରେରି ଓ ବିଜ୍ଞାନଗାର ନିର୍ମିତ ହୋଇଛି। ସୁନ୍ଦର ରଙ୍ଗରେ ବିଦ୍ୟାଳୟକୁ ରଙ୍ଗେଇ ଦିଆଯାଇଛି। ମାତ୍ର ଜଣେ ହିନ୍ଦୀ ଓ କ୍ରୀଡ଼ା ଶିକ୍ଷକଙ୍କୁ ନେଇ ଚାଲିଛି ପାଠପଢ଼। ଆବଶ୍ୟକ ଶିକ୍ଷକ ଓ କର୍ମଚାରୀ ନଥିବାରୁ ଶିକ୍ଷାଦାନରେ ବାଧା ସୃଷ୍ଟି ହୋଇଛି। ଯାହାକୁ ନେଇ ଶିକ୍ଷାର୍ଥୀ ଓ ଅଭାବକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ସୂଚନା ଅନୁସାରେ୨୦୧୪ ଜୁନ୍ରେ ଶିକ୍ଷକ ସୁରେନ୍ଦ୍ର ଦାସ, ୨୦୨୦ ଜୁନ୍ରେ ବିଜ୍ଞାନ ଶିକ୍ଷକ ହଟକିଶୋର ବିଶ୍ବାଳ ଓ ୨୦୨୨ ଜୁଲାଇ ମାସରେ ଦାୟିତ୍ବରେ ଥିବା ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଜେନା ଓ ଚଳିତ ବର୍ଷ ଏପ୍ରିଲ୍ ୩୦ ତାରିଖରେ ଶିକ୍ଷକ ରବୀନ୍ଦ୍ର ସ୍ବାଇଁ ଅବସର ଗ୍ରହଣ କରିଛନ୍ତି। ଆସନ୍ତା ୩୦ ତାରିଖରେ ଶିକ୍ଷକ ସୁନିଲ ମହାପାତ୍ର ଅବସର ନେବେ। କେବଳ ଶିକ୍ଷକ ନୁହନ୍ତି, ଦୀର୍ଘ ଦିନଧରି ବିଦ୍ୟାଳୟର କିରାଣି ଓ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ପଦବି ବି ଖାଲି ପଡ଼ିଛି। ରାତ୍ର ଜଗୁଆଳି ଦିନରେ ପିଅନ କାମ କରୁଛନ୍ତି। ଏପରି ସ୍ଥିତିରେ ବିଦ୍ୟାଳୟରେ କିପରି ଶିକ୍ଷାଦାନ ଓ ଆନୁସଙ୍ଗିକ କାର୍ଯ୍ୟ ପରିଚାଳନା ହେବ ତାକୁ ନେଇ ନାନା ପ୍ରଶ୍ନ ଉଙ୍କିମାରୁଛି।
ସୂଚନା ଥାଉ କି ବ୍ଲକ୍ରେ ଥିବା ସମୁଦାୟ ୧୭ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨ଟି, ଦ୍ବିତୀୟ ପର୍ଯ୍ୟାୟରେ ୬ଟି, ତୃତୀୟ ପର୍ଯ୍ୟାୟରେ ୫ଟି ଏବଂ ଚତୁର୍ଥ ପର୍ଯ୍ୟାୟରେ ୪ଟି ଉଚ୍ଚ ବିଦ୍ୟାଳୟକୁ ୫-ଟିରେ ରୂପାନ୍ତରଣ କରାଯାଇ ଶିକ୍ଷାର୍ଥୀଙ୍କ ମାନସିକ, ବୌଦ୍ଧିକ ବିକାଶ ସହ ସେମାନଙ୍କ ମନରେ ଶିକ୍ଷା ଗ୍ରହଣ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ସରକାର ଯୋଜନା କରିଛନ୍ତି। କିନ୍ତୁ ଶିକ୍ଷକ ଅଭାବ ଏହି ଯୋଜନାର ସଫଳ ରୂପାୟନକୁ ନେଇ ପ୍ରଶ୍ନ ଶୃଷ୍ଟି କରିଛି। କେବଳ ଏହି ବିଦ୍ୟାଳୟ ନୁହଁ, ୫-ଟି ଯୋଜନାରେ ଅର୍ନ୍ତଭୁକ୍ତ ବ୍ଲକ୍ର ୧୭ଟି ଉଚ୍ଚ ବିଦ୍ୟାଳୟରେ କର୍ମଚାରୀଙ୍କ ଅଭାବ ରହିଥିବା ସୂଚନା ମିଳିଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଚଳିତ ଶିକ୍ଷା ବର୍ଷ ଆରମ୍ଭରୁ ଜଣେ ହିନ୍ଦି ଭାଷାଭିତିକ ଓ ଜଣେ କ୍ରିଡା ଶିକ୍ଷକଙ୍କୁ ନେଇ ବିଦ୍ୟାଳୟର ଶିକ୍ଷାଦାନ କିପରି ଚାଲିବ ଯାହାକୁ ନେଇ ଛାତ୍ର ଛାତ୍ରୀ ଓ ଅବିଭାବକ ମହଲରେ ଆସଙ୍କା ସୃଷ୍ଟି ହୋଇଛି। ଅନ୍ୟପଟରେ ଶିକ୍ଷକ ଅଭାବରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟ ପରିସରରେ ଥିବା ପ୍ରାଣ କୃଷ୍ଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରିଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/PHOTO-1_6.jpg)