ଗୋପାଳପୁର: ଜଗତସିଂହପୁର ଜିଲ୍ଲାର ସର୍ବପୁରାତନ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରୁ ତରିକୁନ୍ଦ ହାଇସ୍କୁଲ ଅନ୍ୟତମ ପ୍ରତିଷ୍ଠିତ ବିଦ୍ୟାଳୟ। ଚଳିତ ବର୍ଷ ଏହି ଶିକ୍ଷାନୁଷ୍ଠାନର ୭୫ବର୍ଷ ପୂର୍ତ୍ତିରେ ‘ହୀରକ ଜୟନ୍ତୀ’ ପାଳନ ପାଇଁ ପୁରାତନ ଛାତ୍ର ସଂସଦ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ୫-ଟି ଯୋଜନା ଓ ‘ମୋ ସ୍କୁଲ’ ଯୋଜନାରେ ସାମିଲ ହୋଇ ପୁରାତନ ଛାତ୍ର ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ସନ୍ୟାସୀ ସ୍ବାମୀ ସୁଧାନନ୍ଦଙ୍କ ସହଯୋଗରେ ଗୁରୁଦକ୍ଷିଣା ହଲ୍ ନିର୍ମାଣ ଚାଲିଛି। ଏଠାରେ ଜଣେ ଦକ୍ଷ ପ୍ରଧାନଶିକ୍ଷକଙ୍କୁ ନିଯୁକ୍ତି, ମୁଖ୍ୟ ପ୍ରବେଶପଥରେ ଥିବା ଆଜବେଷ୍ଟସ୍ ହଲ୍କୁ ତୁରନ୍ତ ଛାତଘର କରାଯିବା ଏବଂ ଅସ୍ଥାୟୀଭାବରେ ସ୍କୁଲ ହତାରେ ଚାଲୁଥିବା କେନ୍ଦ୍ରୀୟ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯିବା ଆବଶ୍ୟକ। ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଗଲେ ହୀରକ ଜୟନ୍ତୀ ପାଳନ ସଫଳ ହେବ ବୋଲି ପୁରାତନ ଛାତ୍ରସଂସଦ ତରଫରୁ ସଭାପତି ରଘୁନାଥ ପତି, ବିଚିତ୍ରା ନନ୍ଦ ଦାସ ଓ ସମ୍ପାଦକ ପ୍ରାଣକୃଷ୍ଣ ସାହୁ ଦାବି କରିଛନ୍ତି।
୧୯୪୭ରେ ଫେବୃୟାରି ୧୮ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଦ୍ବାରା ହାଇସ୍କୁଲର ମୂଳଦୁଆ ସ୍ଥାପନ କରାଯାଇଥିଲା। ତରିକୁନ୍ଦ ଓ ଏହାର ଆଖପାଖର ପ୍ରାୟ ୨୧ଖଣ୍ତ ଗ୍ରାମରେ କୌଣସି ସ୍କୁଲ ନଥିଲା। ୭ ମାଇଲ ଦୂର ବାଗଲପୁର ମାଇନର ସ୍କୁଲ, ଅଳକା ହାଇସ୍କୁଲରେ ପାଠ ପଢ଼ିବାକୁ ପଡ଼ୁଥିଲା। ଶିକ୍ଷାପ୍ରେମୀ, ବଦାନ୍ୟ ବ୍ୟକ୍ତି ଏକଜୁଟ ହୋଇ ତରିକୁନ୍ଦ ସ୍କୁଲ ପାଇଁ ବିଭିନ୍ନ ଗ୍ରାମରେ ଭିକ୍ଷା କରିଥିଲେ। ବିଲରୁ ଧାନ ହଳା, ନଡା, ବାଉଁଶ ଇତ୍ୟାଦି ସଂଗ୍ରହ କରି ସ୍କୁଲ ପ୍ରତିଷ୍ଠା କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଏଠାରେ ଏକ ଜମିଦାରୀ ଖମାର ଘର ଥିଲା। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମହାନ୍ତି, ପୂର୍ଣ୍ଣାନନ୍ଦ ପାତ୍ର, କୃଷ୍ଣ ଚନ୍ଦ୍ର ମହାନ୍ତିଙ୍କ ସମେତ ବିଭିନ୍ନ ଗ୍ରାମର ମୁରବି ଶ୍ରୀ ଚୌଧୁରୀଙ୍କୁ ସାକ୍ଷାତ କରି ସ୍କୁଲ ପାଇଁ ଜମି ଆଣିଥିଲେ।
ପ୍ରଥମେ ପ୍ରାଇମେରି, ମାଇନର ସ୍କୁଲ ଛଣଛପର ଘର ନିର୍ମାଣ ନିମନ୍ତେ ଏକଟଙ୍କା ଠାରୁ ୨୦ଟଙ୍କା ପର୍ଯ୍ୟନ୍ତ ଭିକ୍ଷା ଆଦାୟ କରି ଏକ ଶୈଖିକ ପରିବେଶ ସୃଷ୍ଟି କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିରେନ୍ ମିତ୍ର ପ୍ରଥମ ସଭାପତି, ମହେଶ୍ବର ରାଉତରାୟ ସମ୍ପାଦକ ଓ ପ୍ରଧାନଶିକ୍ଷକ ଭାବେ ଯୁଧିଷ୍ଠିର ଦାସ ଶିକ୍ଷାଦାନ ଆରମ୍ଭ କଲେ। କେତେକ ସ୍ବେଚ୍ଛାସେବୀ ପିଲାଙ୍କୁ ପାଠ ପଢ଼ାଇଲେ। ସାତପୁରା ଓ ନବାପାଟଣା ଦୁଇ ଗ୍ରାମବାସୀଙ୍କୁ ନେଇ ନାଟକ ପ୍ରଦର୍ଶନ ଜରିଆରେ ଆଦାୟ ଅର୍ଥ ସ୍କୁଲର ଉନ୍ନୟନ କାମରେ ଲାଗିଲା। ୧୯୫୮ରେ ଟାଙ୍ଗୀ ବିଦ୍ୟାପୀଠରେ କାର୍ଯ୍ୟରତ ନରଣପୁର ଗ୍ରାମର ସୋମନାଥ ମିଶ୍ରଙ୍କୁ ଆଣି ହାଇସ୍କୁଲର ପ୍ରଧାନଶିକ୍ଷକ କରାଗଲା। ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟଙ୍କ ଦାନରେ ବିଜ୍ଞାନ ଭବନ ନିର୍ମାଣ କରାଯାଇଥିଲା। ୧୯୬୨ରେ ପ୍ରଥମ ବ୍ୟାଚ୍ ମାଟ୍ରିକ୍ ପରୀକ୍ଷା ଠାରୁ ଦୀର୍ଘ ୨୦ବର୍ଷ ଧରି ବୋର୍ଡ ପରୀକ୍ଷାରେ ବେଷ୍ଟଟେନ୍ ତାଲିକାରେ ଏହି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ସ୍ଥାନ ପାଉଥିଲେ। ସ୍କୁଲ ହଷ୍ଟେଲରେ ୫୦ରୁ ଅଧିକ ପିଲା ରହୁଥିଲେ। ତେଣୁ ଏହି ଐତିହ୍ୟ ସଂପନ୍ନ ଶିକ୍ଷାନୁଷ୍ଠାନ ହୀରକ ଜୟନ୍ତୀକୁ ସଫଳ କରିବାକୁ ପୁରାତନ ଛାତ୍ରଛାତ୍ରୀଙ୍କୁ କମିଟି ପକ୍ଷରୁ ନିବେଦନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/TARIKUNDA-HIGH-SCHOOL_6.jpg)