ରାଜ୍ୟ ରାଜଧାନୀର ଜିଲ୍ଲା, ଦୁରାବସ୍ଥାରେ ୮୦ ପ୍ରତିଶତ ବିଦ୍ୟାଳୟରେ ଶିକ୍ଷଣୀୟ ବ୍ୟବସ୍ଥା

ଖୋର୍ଦ୍ଧା: ରାଜ୍ୟରେ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରୀକରଣ ଓ ଆଧୁନିକ ଶିକ୍ଷଣୀୟ ପରିବେଶ ସୃଷ୍ଟି କରିବାକୁ ମୋ ସ୍କୁଲ ଯୋଜନା, ୫-ଟି ଯୋଜନାରେ ସ୍ମାର୍ଟ ସ୍କୁଲ ନିର୍ମାଣ କରିବାର ଯୋଜନା କରାଯାଉଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଇତିମଧ୍ୟରେ ଅନେକ ସ୍କୁଲରେ ସ୍ମାର୍ଟ ଶ୍ରେଣୀ ପ୍ରକୋଷ୍ଠ ଓ ଅନ୍ୟ ଭିତ୍ତିଭୂମି ନିର୍ମାଣ କରାଯାଇଛି। କିନ୍ତୁ ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାରେ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବିଦ୍ୟାଳୟ ଗୁଡ଼ିକର ସ୍ଥିତିରୁ ସ୍ମାର୍ଟ ସ୍କୁଲ ଯୋଜନା ବାସ୍ତବତା ଠାରୁ ବହୁତ ଦୂରରେ ଥିବା ଜଣାଯାଉଛି। ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷରେ କରୋନା ସଂକ୍ରମଣ ଜନିତ କଟକଣାରେ ସ୍ମାର୍ଟ ସ୍କୁଲ ଅଭିଯାନ କିଛି ପରିମାଣରେ ଫିକା ପଡ଼ିଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷ ପୂର୍ବରୁ, ଅର୍ଥାତ୍ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କେତେକ ସ୍କୁଲର ରୂପାନ୍ତରୀକରଣ ଓ ସ୍କୁଲ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଯୁଦ୍ଧକାଳୀନ ଭିତ୍ତିରେ କରିଥିଲେ। ବର୍ତ୍ତମାନ ସୁଦ୍ଧା ପ୍ରାୟ ଶହେ ସ୍କୁଲକୁ ସ୍ମାର୍ଟ ସ୍କୁଲ ଯୋଜନାରେ ବିକାଶ କରାଯାଇଥିବା ବେଳେ ୨୦୨୧-୨୨ରେ ଜିଲ୍ଲାର ସରକାରୀ ବିଦ୍ୟାଳୟ ଗୁଡ଼ିକର ଯେଉଁ ସ୍ଥିତି ଥିଲା ସେମଧ୍ୟରୁ ୮୫ ପ୍ରତିଶତରୁ ଅଧିକ ବିଦ୍ୟାଳୟର କୌଣସି ଉନ୍ନତି ହୋଇନାହିଁ। ଏପରିକି ଅନେକ ସ୍କୁଲରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଆନୁପାତିକ ହାର ନଥିବା ବେଳେ ଉପଯୁକ୍ତ ବ୍ୟବସ୍ଥା ଓ ରକ୍ଷଣାବେକ୍ଷଣ ଅଭାବରୁ ସ୍କୁଲ କୋଠା, ଶୌଚାଳୟ, ବିଦ୍ୟୁତ୍ ଆଦି ଆନୁସଙ୍ଗିକ ଭିତ୍ତିଭୂମି ମଧ୍ୟ ଅନୁପଯୋଗୀ ହୋଇଗଲାଣି। ୨୦୨୧-୨୨ ଶିକ୍ଷାବର୍ଷର ପରିସଂଖ୍ୟାନ ଅନୁସାରେ, ରାଜ୍ୟ ଗଣଶିକ୍ଷା ବିଭାଗ ଅଧୀନରେ ଜିଲ୍ଲାରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଥିବା ୮ଟି ବର୍ଗର ୧୩୨୦ଟି ବିଦ୍ୟାଳୟ ରହିଛି।

ଏହା ମଧ୍ୟରୁ, ଉଚ୍ଚ ମାଧ୍ୟମିକ (୬ ଶ୍ରେଣୀରୁ ଦ୍ୱାଦଶ) ଓ ୧୧ଶରୁ ଦ୍ୱାଦଶ ଶ୍ରେଣୀ ଥିବା ବିଦ୍ୟାଳୟ ସଂଖ୍ୟା ୮ଟି, ପ୍ରାଥମିକ ପ୍ରଥମରୁ ପଞ୍ଚମ ଶ୍ରେଣୀ ଥିବା ବିଦ୍ୟାଳୟ ସଂଖ୍ୟା ୬୫୨, ମାଧ୍ୟମିକ ବିଦ୍ୟାଳୟ (ପ୍ରଥମରୁ ୧୦ମ, ୯ମରୁ ୧୦ଓ ଷଷ୍ଠରୁ ୧୦ମ) ସଂଖ୍ୟା ୨୧୫ଟି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ପ୍ରଥମରୁ ୮ମ ଓ ୬ଷ୍ଠରୁ ଅଷ୍ଟମ) ୪୪୭ଟି ବିଦ୍ୟାଳୟ ରହିଛି। ସେହି ଶିକ୍ଷାବର୍ଷର ତଥ୍ୟାନୁସାରେ, ମୋଟ ୧୩୨୦ ସ୍କୁଲ ମଧ୍ୟରୁ ୬୭୭ ସ୍କୁଲରେ ପ୍ରଧାନ ଶିକ୍ଷକଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ରକୋଷ୍ଠ ରହିଛି। ୯୭୩ଟି ବିଦ୍ୟାଳୟର ନିଜ ନାମରେ ଜମି ରହିଛି। ୧୧୮୯ଟି ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ରହିଛି, କିନ୍ତୁ ଏହା ମଧ୍ୟରୁ ୧୦୭୭ଟି ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ସଚଳ ରହିଛି। ୮୬୭ଟି ବିଦ୍ୟାଳୟରେ ଖେଳପଡ଼ିଆ ରହିଛି। ୧୨୦୦ ବିଦ୍ୟାଳୟରେ ଲାଇବ୍ରେରୀ, ପାଠାଗାର ଆଦି ରହିଛି, କିନ୍ତୁ ଏହା ମଧ୍ୟରୁ କେବଳ ୬୫୪ଟି ବିଦ୍ୟାଳୟକୁ ନିୟମିତ ଭାବେ ଖବରକାଗଜ ଆଦି ଅଣାଯାଉଛି। ୨୦୨୧-୨୨ରେ ଗ୍ରାମାଞ୍ଚଳର ୧୩ଟି ସ୍କୁଲରେ କେବଳ ସମସ୍ତ ଛାତ୍ରଛାତ୍ରୀଙ୍କ ବସିବା ପାଇଁ ଚେୟାର ଓ ଟେବୁଲ ଥିଲା। ୧୨୯୨ଟି ବିଦ୍ୟାଳୟରେ ଛାତ୍ରଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ଓ ୧୨୯୩ଟି ବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ନିର୍ମାଣ କରାଯାଇଥିଲା, କିନ୍ତୁ ଏହା ମଧ୍ୟରୁ ୧୨୩୯ଟି ଶୌଚାଳୟ ବ୍ୟବହାର ଯୋଗ୍ୟ ହୋଇରହିଛି। ୧୧୮୧ଟି ବିଦ୍ୟାଳୟରେ ପିଇବା ପାଣିର ବ୍ୟବସ୍ଥା ରହିଛି। ୫୮ଟି ବିଦ୍ୟାଳୟରେ ଇଣ୍ଟରନେଟ୍ ଓ ୨୭୨ଟି ସ୍କୁଲରେ କମ୍ପ୍ୟୁଟର ଅଛି।

ସମ୍ବନ୍ଧିତ ଖବର