ଶିକ୍ଷକ ପଦ ଖାଲି, ଭଙ୍ଗାଘରେ ପାଠ ପଢ଼ା, ବର୍ଷା ଦିନେ ସକାଳୁଆ ସ୍କୁଲ ପାଇଁ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ

ମାଛଗାଁ: ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ ୫-ଟି ଯୋଜନାରେ ସାମିଲ କରି ଅନେକ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ସୃଷ୍ଟି କରିଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ବାଲିକୁଦା ବ୍ଲକ ଅପଣ୍ଡରା ପଞ୍ଚାୟତ ପୋଦରୁଆଁ ଠାରେ ଥିବା ଉତ୍ତରେଶ୍ୱର ଉଚ୍ଚବିଦ୍ୟାଳୟରେ। ଏଠାରେ ଆବଶ୍ୟକ ଶ୍ରେଣୀ ଗୃହ ଓ ଶିକ୍ଷକଙ୍କ ଅଭାବ ରହିଥିବା ବେଳେ ଭଙ୍ଗା ଛାତତଳେ ପିଊଲାମାନେ ପାଠ ପଢ଼ୁଛନ୍ତି। ସମସ୍ୟାର ସମାଧାନ ବାଟ ବାହାର କରାଯାଉନାହିଁ। ବରଂ ଜିଲ୍ଲା ଶିକ୍ଷାଧିକାରୀ ଏକ ଅଜବ ନିର୍ଦ୍ଦେଶନାମାରେ ଅଷ୍ଟମରୁ ୧୦ ମ ଶ୍ରେଣୀ ପିଲାଙ୍କ ପାଇଁ ସକାଳୁଆ ସ୍କୁଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସ୍କୁଲକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଶୋଚନୀୟ ଥିବା ବେଳେ ବର୍ଷା ଦିନେ ପିଲାମାନେ ସ୍କୁଲ ଆସିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଅଭିଭାବକ ପ୍ରଶ୍ନ କରିଛନ୍ତି। ଏହି ସ୍କୁଲଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ସ୍କୁଲ ହୋଇଥିବାରୁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗରେ ଉପଲବ୍ଧ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛି। ଶିକ୍ଷକମାନଙ୍କ ଅବସର ପରେ ନୂତନ ନିଯୁକ୍ତି ପ୍ରଦାନ ବ୍ୟବସ୍ଥା ନାହିଁ। ଶ୍ରେଣୀ ଗୃହ ଛାତରୁ ସିମେଣ୍ଟ ଖଣ୍ଡ ଖସି ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ସ୍କୁଲକୁ ସଂଯୋଗ କରୁଥିବା ପ୍ରାୟ ୪୦୦ ମିଟର ରାସ୍ତା ବର୍ଷା ଦିନରେ କାଦୁଅ ପଚ୍‌ପଚ୍‌। ବର୍ତ୍ତମାନ ବିଦ୍ୟାଳୟରେ ବିଜ୍ଞାନ, ସାହିତ୍ୟ, ହିନ୍ଦୀ ଓ ସଂସ୍କୃତ ବିଭାଗର ଜଣେ ଲେଖାଁ ଶିକ୍ଷକଙ୍କ ଦ୍ବାରା ବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ସଂସ୍କୃତ ଶିକ୍ଷକଙ୍କୁ ଡେପୁଟେସନ୍‌ରେ ୩ ଦିନ ଗାରୋହି ଉଚ୍ଚବିଦ୍ୟାଳୟ ଯିବାକୁ ପଡୁଛି। ଗଣିତ ଓ ଇଂରାଜି ଶିକ୍ଷକ ନଥିବାରୁ ଅନ୍ୟ ବିଭାଗ ଶିକ୍ଷକଙ୍କ ଦ୍ବାରା ସେସବୁ ବିଷୟ ପାଠପଢ଼ା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

 

Sambad

ବିଦ୍ୟାଳୟର ଶ୍ରେଣୀ ଗୃହର ସମସ୍ୟା ନେଇ ସ୍କୁଲର ପ୍ରଧାନଶିକ୍ଷକ ଅକ୍ଷୟ ମହାନ୍ତି ବାଲିକୁଦା ବ୍ଲକ ବିଡିଓ ଡ. କଲ୍ୟାଣ ସୌରଭ ଦାସଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ। କିନ୍ତୁ ବ୍ଲକରେ ଶିକ୍ଷା ଅନୁଷ୍ଠାନ ପାଇଁ କିଛି ଅନୁଦାନ ବ୍ୟବସ୍ଥା ନାହିଁ ବୋଲି ନିରାଶ ବାଣୀ ଶୁଣାଇବା ସହ ସେ ରାସ୍ତା ଓ ଗୃହ ସମସ୍ୟା ସମ୍ପର୍କରେ ବିହିତ ବ୍ୟବସ୍ଥା ଗ୍ରହଣ କରିବାକୁ କନିଷ୍ଠ ଯନ୍ତ୍ରୀଙ୍କୁ ଦାଇତ୍ୱ ଦେଇଥିଲେ। ପରେ ପ୍ରଧାନଶିକ୍ଷକ ଶ୍ରୀ ମହାନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରାଙ୍କୁ ଭେଟି ଶ୍ରେଣୀଗୃହ ବାବଦରେ ଅଭିଯୋଗ କରିବା ପରେ ଶ୍ରୀ ବେହେରା ତୁରନ୍ତ ଏକ ଚିଠି କରି ବିପଦପୂର୍ଣ୍ଣ ଶ୍ରେଣୀଗୃହକୁ ବନ୍ଦ ରଖିବା ପାଇଁ  ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରାଥମିକ ବିଦ୍ୟାଳୟରେ ସକାଳ୬ ଠାରୁ୯ ଟା ୩୦ ପର୍ଯ୍ୟନ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ତେବେ ସକାଳୁ ଆସି ଏତେ କମ ସମୟ ମଧ୍ୟରେ ପିଲାଙ୍କ ସିଲାବାସ୍‌ କିପରି ସମ୍ପୂର୍ଣ୍ଣ ହେବ ବୋଲି ପ୍ରଶ୍ନ ହୋଇଛି। ତେଣୁ ତୁରନ୍ତ ଉକ୍ତ ଶ୍ରେଣୀ ଗୃହର ମରାମତି ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଅର୍ଥ ବ୍ୟବସ୍ଥା କରାଯିବା ଓ ସ୍କୁଲକୁ ୧୦ ରୁ ୪ ପର୍ଯ୍ୟନ୍ତ ଖୋଲାଯାଉ ବୋଲି ଅଭିଭାବକ ମହଲରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର