ମାଲକାନଗିରି: ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତାହା ବଦଳରେ କୋଠା ପରେ କୋଠା ନିର୍ମାଣ ହେଉଛି ସତ କିନ୍ତୁ ପଢ଼ାଇବାକୁ ଅଧ୍ୟାପକ ନାହାଁନ୍ତି। ମହାବିଦ୍ୟାଳୟରେ ଆଜି ପର୍ଯ୍ୟନ୍ତ ନିୟମିତ ଅଧ୍ୟକ୍ଷ ପଦବି ପୂରଣ ହୋଇ ପାରୁନଥିବା ବେଳେ ଛାତ୍ରଛାତ୍ରୀ ରହିବା ପାଇଁ ନିର୍ମାଣ ହୋଇଥିବା ୨ଟି ହଷ୍ଟେଲ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁ ନାହିଁ। ମାଲକାନଗିରି ସହର ଉପକଣ୍ଠରେ ଅବସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ସ୍ଥିତି ଏଭଳି ହୋଇପଡିଛି। କେବଳ ଯେ ଗୋଟିଏ ଦୁଇଟି ସମସ୍ୟା ନୁହେଁ ମହାବିଦ୍ୟାଳୟକୁ ଯିବା ପାଇଁ ଉତ୍ତମ ରାସ୍ତାଟିଏ ନାହିଁ, ଚାରିପଟେ ପାଚେରୀ ନାହିଁ, ବସି ପଢ଼ିବା ପାଇଁ ଆବଶ୍ୟକ ଶ୍ରେଣୀଗୃହର ଅଭାବ ଲାଗି ରହିଛି। ଉଚ୍ଚ ଶିକ୍ଷା ପାଇଁ ପ୍ରଶାସନ କୋଠାଟିଏ ତିଆରି କରି ଦେଇଛି, କିନ୍ତୁ ଭିତ୍ତିଭୂମିର ବିକାଶ ପାଇଁ ଭୁଲି ଯାଇଥିବା ମନେ ହେଉଛି। ମାଲାକନଗିରି ଜିଲ୍ଲାରେ ସ୍ନାତକ ପଢ଼ିବା ପାଇଁ ସରକାରୀ ମହାବିଦ୍ୟାଳୟଟିଏ ନଥିବା ବେଳେ ୨୦୧୬ ମସିହାରେ ମାଲକାନଗିରି ଠାରେ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଆରମ୍ଭ ହୋଇଥିଲା। ପ୍ରଥମେ ୨ ବର୍ଷ ଜିଲ୍ଲା ପାଠାଗାର ଠାରେ ମହାବିଦ୍ୟାଳୟ କାର୍ଯ୍ୟକ୍ଷମ ହେବା ପରେ ମାଲକାନଗିରି ବ୍ଲକ ତମସା ପଞ୍ଚାୟତ ଅନ୍ତର୍ଗତ ଠାକୁରପାଲ୍ଲୀ ଗ୍ରାମ ନିକଟରେ ନିର୍ମାଣ ହୋଇଥିବା ନୂତନ କୋଠାରେ ୨୦୧୮ ମସିହା ଠାରୁ କାର୍ଯ୍ୟକ୍ଷମ ହେଉଛି।
ପ୍ରଥମେ ଜୁନିୟର ସାଇନ୍ସ କଲେଜରେ ଥିବା ଅଧ୍ୟକ୍ଷଙ୍କୁ ଏହି ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଥିଲା। ଏହାପରେ ମଧ୍ୟ ଜଣେ ଅଧ୍ୟାପକ ର୍ହି ଅଧ୍ୟକ୍ଷ ଦାୟିତ୍ବ ତୁଲାଇ ଆସୁଛନ୍ତି। ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଜଣେ ମଧ୍ୟ ନିୟମିତ ଅଧ୍ୟକ୍ଷଙ୍କୁ ସରକାର ନିଯୁକ୍ତି ଦେଇପାରି ନାହାନ୍ତି। ୨୦୧୯ ମସିହାରେ ମହାବିଦ୍ୟାଳୟ ପରିସରରେ ଛାତ୍ରମାନଙ୍କ ପାଇଁ ମାଲ୍ୟବନ୍ତ ଛାତ୍ରାବାସ ଓ ଛାତ୍ରୀମାନଙ୍କ ପାଇଁ ଗୁରୁପ୍ରିୟା ଛାତ୍ରୀନିବାସ ନିର୍ମାଣ ହୋଇଥିଲା। ଛାତ୍ରନିବାସରେ ୬୦ ଜଣ ଓ ଛାତ୍ରୀନିବାସରେ ୪୦ ଜଣ ଛାତ୍ରୀ ରହିବା ପାଇଁ ବ୍ୟବସ୍ଥା ହେବା ସହ ସେମାନଙ୍କ ପାଇଁ ଖଟ ଠାରୁ ଆରମ୍ଭ କରି ଆସବାପତ୍ର ଓ ରୋଷେଇ ସାମଗ୍ରୀ କିଣା ହୋଇଯାଇଥିଲା। କିନ୍ତୁ ସମସ୍ତ ଆସବାପତ୍ର ଏବେ ଗୋଦାମ ଗୃହରେ ପଡି ରହିଛି। ନିର୍ମାଣକୁ ୪ ବର୍ଷରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ କର୍ମଚାରୀ ଅଭାବରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ। ଫଳରେ ୨ଟି ହଷ୍ଟେଲ ଅବ୍ୟବହୃତ ହୋଇ ପଡି ରହିଛି।
publive-image
ଅନ୍ୟପକ୍ଷରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଦୂରଦୂରାନ୍ତରୁ ଆସୁଥିବା ଆଧିବାସୀ ଛାତ୍ରଛାତ୍ରୀମାନେ ମାଲକାନଗିରି ସହରରେ ରହି ଉଚ୍ଚ ଶିକ୍ଷା ଗ୍ରହଣ କରିବା କଷ୍ଟକର ହୋଇ ପଡୁଛି। ବାହାରେ ରହିବାଦ୍ବାରା ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା ନେଇ ମଧ୍ୟ କେତେକ ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି। ମହାବିଦ୍ୟାଳୟରେ ଯୁକ୍ତ ତିନି କଳା, ବାଣିଜ୍ୟ ଓ ବିଜ୍ଞାନ ରହିଛି। ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ, ପ୍ରାଣି ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ପଦାର୍ଥ ବିଜ୍ଞାନ, ନୃତତ୍ତ୍ବ, ଅର୍ଥଶାସ୍ତ୍ର, ଶିକ୍ଷା, ରାଜନୀତି ବିଜ୍ଞାନ, ସାମାଜିକ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ସ୍ନାତକ ରହିଥିବା ବେଳେ ଚଳିତଶିକ୍ଷା ବର୍ଷ ଠାରୁ ଓଡିଆ, ଇଂରାଜୀ, ଇତିହାସ ଓ ମନସ୍ତତ୍ବ ବିଭାଗ ଖୋଲିଛି। ମହାବିଦ୍ୟାଳୟରେ ୬୭୨ଟି ସିଟ୍ ରହିଥିବା ବେଳେ ୧୫ଟି ବିଭାଗ ପଢ଼ାଇବା ପାଇଁ ୪୫ଟି ଶ୍ରେଣୀଗୃହର ଆବଶ୍ୟକ ରହିଛି। କିନ୍ତୁ ମହାବିଦ୍ୟାଳୟରେ ୨୩ଟି ଶ୍ରେଣୀଗୃହ ରହିଥିବା ବେଳେ ଅଧ୍ୟାପକ ମାନଙ୍କୁ ଶିକ୍ଷାଦାନରେ ମଧ୍ୟ ଅସୁବିଧା ହେଉଛି। ଶିକ୍ଷାଦାନ ପାଇଁ ୩୩ ଜଣ ନିୟମିତ ଅଧ୍ୟାପକ ଆବଶ୍ୟକ ଥିବା ବେଳେ ମୋଟ ୭ ଜଣ ନିୟମିତ ଓ ଜଣେ ଆଡହକ୍ ରହିଛନ୍ତି ବଳକା ୨୬ ଜଣ ଅତିଥି ଅଧ୍ୟାପକ ରହିଛନ୍ତି।
ମହାବିଦ୍ୟାଳୟରେ ଜଣେ ମଧ୍ୟ ନିୟମିତ କିରାଣୀ ନଥିବା ବେଳେ ୨ ଜଣ ଅବସରପ୍ରାପ୍ତ କିରାଣୀଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ପିଇଟି, ଆସିଷ୍ଟାଣ୍ଟ ଲାଇବ୍ରେରୀଆନ, ଆସିଷ୍ଟାଣ୍ଟ ଲାବ୍ରୋଟେରିଆନ୍ ପଦବୀ ଗୁଡିକ ଖାଲି ପଡିଛି। ମହାବିଦ୍ୟାଳୟରେ ୧୦ ଜଣଙ୍କୁ ଆଉଟସୋର୍ସିଂରେ ରଖି ଏହି ସମସ୍ତ କାମ କରାଯାଉଛି। ୩୨୬ ନମ୍ବର ଜାତୀୟ ରାଜପଥ ଠାରୁ ଦେଢ଼ କିଲୋମିଟର ଭିତରକୁ ମହାବିଦ୍ୟାଳୟ ରହିଥିବା ବେଳେ ଭଲ ରାସ୍ତାଟିଏ ନାହିଁ। ରାସ୍ତାସାରା ଖାଲ ଓ କାଦୁଅରେ ଭର୍ତ୍ତି ହୋଇଥିବାରୁ ଯାତାୟତରେ ବହୁ ଅସୁବିଧା ହେଉଛି। ପାଚେରୀ ନଥିବା ବେଳେ ସନ୍ଧ୍ୟା ହେଲେ ଅସାମଜିକ ବ୍ୟକ୍ତିର ଅବାଧ ପ୍ରବେଶ ହେଉଛି। ଏହିଭଳି ଭାବରେ ବହୁ ସମସ୍ୟା ଲାଗି ରହିଥିଲେ ମଧ୍ୟ ସରକାର ସମସ୍ୟାର ସମାଧାନ କରୁନଥିବା ନେଇ ଛାତ୍ରଛାତ୍ରୀ ମାନେ ପ୍ରକାଶ କରିଛନ୍ତି।
Advertisment