ଚାଆଁରାକୋଲ୍ଲା ବିଦ୍ୟାଳୟରେ ଅସଜଡା ଭିତ୍ତିଭୂମି, ଅନୁଦାନ ଅର୍ଥ କୁଆଡ଼େ ଗଲା?

ରାଜନଗର: ବିଦ୍ୟାଳୟଗୁଡିକର ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର କମ୍ପୋଜିଟ ଗ୍ରାଣ୍ଟ୍‌ ମାଧ୍ୟମରେ ବିଦ୍ୟାଳୟକୁ ଆର୍ଥିକ ଅନୁଦାନ ଯୋଗାଇ ଦେଉଛନ୍ତି। ଏହି ଅର୍ଥରେ ଅଗ୍ରାଧିକାର ଭିତ୍ତିରେ ସ୍ବଚ୍ଛତା ବଜାୟ ରଖିବା ସହ ବିଦ୍ୟୁତିକରଣ ଓ ବାଡବନ୍ଦୀ କରିବା ପାଇଁ କୁହାଯାଇଛି। ରାଜନଗର ବ୍ଲକରେ ଅଧିକାଂଶ ବିଦ୍ୟାଳୟରେ ଏହି ଅର୍ଥକୁ ଚଳୁ କରି ଦିଆଯାଇଛି। ଚାଆଁରାକୋଲା ବିଦ୍ୟାଳୟର ଅବ୍ୟବସ୍ଥାର ଚିତ୍ର ଦେଖିଲେ ଏହା ବୁଝାପଡୁଛି। ୩ ବର୍ଷ ହେଲା ଅନୁଦାନ ମିଳୁଥିଲେ ହେଁ ଏଠାରେ ଶୌଚାଳୟ ଭଙ୍ଗା ପଡ଼ିଛି।
ରଂଗଣୀ ପଂଚାୟତ ଚାଆଁରାକୋଲ୍ଲା ୟୁଜିୟୁପି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ୩୩ଜଣ, ୨ୟରେ ୧୧, ୩ୟରେ ୨୫, ୪ର୍ଥରେ ୧୪, ୫ମରେ ୧୮ଜଣ, ୬ଷ୍ଠରେ ୪୮, ୭ମରେ ୫୨ଓ ୮ମରେ ୭୦ଜଣ ଛାତ୍ରଛାତ୍ରୀ, ମୋଟ ୨୭୧ଜଣ ପାଠ ପଢୁଛନ୍ତି। ୮ଟି ଶ୍ରେଣୀର ୨୭୧ଜଣ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୪ଜଣ ଶିକ୍ଷକ ଅଛନ୍ତି। ପିଲାମାନଙ୍କୁ ପାଠ ପଢାଇବା ପରିବର୍ତ୍ତେ ମଧ୍ୟାହ୍ନଭୋଜନ ଏବଂ ପିଲାଙ୍କୁ ଜଗିବାରେ ଶିକ୍ଷକଙ୍କ ସମୟ ଯାଉଛି। ଏହାବାଦେ ୮ଟି ଶ୍ରେଣୀ ପାଇଁ ମାତ୍ର ୪ଟି ଶ୍ରେଣୀଗୃହ ରହିଛି। ରୋଷେଇ ଘର ନ ଥିବାରୁ ଶ୍ରେଣୀଗୃହକୁ ରୋଷେଇ ଘର ଭାବେ ବ୍ୟବହାର କରାଯାଉଛି। ୧୦ବର୍ଷ ତଳେ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ନିର୍ମାଣ ହୋଇଥିବା ଶୌଚାଳୟ ଭାଙ୍ଗି ଯାଇଛି। ଅନ୍ୟ ଦୁଇଟି ଶୌଚାଳୟ ବ୍ୟବହାର ଉପଯୋଗୀ ହୋଇନାହିଁ। ଛାତ୍ରଛାତ୍ରୀ ଶୌଚ ହେବା ପାଇଁ ବିଦ୍ୟାଳୟ ବାହାରକୁ ଯାଉଛନ୍ତି। ବି୨୦୧୯-୨୦ ଆର୍ଥିକ ବର୍ଷରୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟଗୁଡିକୁ କମ୍ପୋଜିଟ ଗ୍ରାଂଟ ଯୋଗାଇ ଦେଉଛନ୍ତି। ୧୦୦ ଯାଏ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ୨୫ ହଜାର, ୧୦୦ ରୁ ୨୦୦ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ୫୦ହଜାର ଏବଂ ୨ଶହରୁ ଅଧିକ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ୭୫ ହଜାର ଟଙ୍କା ଯୋଗାଇ ଦେଉଛନ୍ତି।

୩ ବର୍ଷ ହେଲା ସରକାର ଏହି ଅର୍ଥ ସିଧାସଳଖ ବିଦ୍ୟାଳୟକୁ ଯୋଗାଇ ଦେଉଛନ୍ତି। ବିଦ୍ୟାଳୟର ଶିକ୍ଷକ ଓ ପରିଚାଳନା କମିଟି ଏହି ଅର୍ଥକୁ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଦିଗରେ ଖର୍ଚ୍ଚ କରିବେ। ଅଗ୍ରାଧିକାର ଭିତ୍ତିରେ ପ୍ରଥମେ ବିଦ୍ୟାଳୟର ସ୍ବଚ୍ଛତା ବଜାୟ ରଖିବା ସହ ଓ ଶୌଚାଳୟ ସଜାଡିବେ। ୩ ବର୍ଷ ହେଲା ଏହି ଅର୍ଥ ଆସୁଥିବା ବେଳେ ଚାଆଁରାକୋଲା ୟୁଜିୟୁପି ବିଦ୍ୟାଳୟର ଶୌଚାଳୟ କାହିଁକି ଭଙ୍ଗା ହୋଇ ପଡିଛି, ତାହାକୁ ନେଇ ପ୍ରଶ୍ନ ଉଠିଛି। ପ୍ରଧାନଶିକ୍ଷକ ମାଧବ ଚନ୍ଦ୍ର ବରଙ୍କୁ ପଚାରିବାରୁ ସେ ନଭେମ୍ବର ୨୦୨୧ରେ ଯୋଗଦେଲେ। ଗତବର୍ଷ ଟଙ୍କା ଷ୍ଟୋରରୁମ ସଜାଡ଼ିବାରେ ଅନୁଦାନ ଖର୍ଚ୍ଚ କରିଛନ୍ତି। ପୂର୍ବବର୍ଷ ଟଙ୍କା କ’ଣ ହେଲା ଜାଣିନାହାନ୍ତି। ପୂର୍ବରୁ ପ୍ରଧାନଶିକ୍ଷକ ଥିବା ଅଶୋକ କୁମାର ଦଳାଇ ପଦୋନ୍ନତି ପାଇ ଅନ୍ୟତ୍ର ବଦଳି ହୋଇଯାଇଥିଲେ ମଧ୍ୟ ଆଜି ଯାଏ ଦାୟିତ୍ବ ଦେଇନାହାନ୍ତି ବୋଲି କହିଛନ୍ତି। ଏହାବାଦ ପୁରୁଣା ଶୌଚାଳୟ ସମ୍ପୂର୍ଣ୍ଣ ବ୍ୟବହାର ଅନୁପଯୋଗୀ। ଅନ୍ୟ ଦୁଇଟି ଶୌଚାଳୟ ମଧ୍ୟରୁ ବାଳିକା ଶୌଚାଳୟରେ କବାଟ ଭଙ୍ଗା ବୋଲି କହିଛନ୍ତି। ସରକାର ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ଆର୍ଥିକ ଅନୁଦାନ ଯୋଗାଇ ଦେଉଥିବା ବେଳେ ତାହା କୁଆଡେ ଯାଉଛି ବୋଲି ପ୍ରଶ୍ନ ଉଠିଛି। ବିଦ୍ୟାଳୟର ଏହି ଅବ୍ୟବସ୍ଥା ସଂପର୍କରେ ବିଦ୍ୟାଳୟ ପରିଚାଳନା କମିଟି ଲିଖିତ ଭାବେ ବ୍ଲକ ଶିକ୍ଷାଧିକାରୀଙ୍କ ପାଖରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର