ଜଗତସିଂହପୁର: ସଭିଏଁ ପଢ଼ିବା, ସଭିଏଁ ବଢ଼ିବା ସ୍ଲୋଗାନ୍ ଦେଇ ଆରମ୍ଭ ହୋଇଥିବା ଶିକ୍ଷାଦାନ କାର୍ଯ୍ୟକ୍ରମ ବାଟବଣା ହେଉଛି। ପବିତ୍ର ଉତ୍କଳ ଦିବସ ଠାରୁ ଚଳିତ ଶିକ୍ଷାବର୍ଷ (୨୦୨୨-୨୩) କାର୍ଯ୍ୟକ୍ରମ ଆରମ୍ଭ ହେଉଥିବା ପରିପ୍ରେକ୍ଷୀରେ ଏକାଧିକ ଦ୍ବନ୍ଦ୍ବ ଓ ସମସ୍ୟା ସାମ୍ନାକୁ ଆସିଛି। ଏଥିରେ କେବଳ ଛାତ୍ରଛାତ୍ରୀ ଅଭିଭାବକ ନୁହନ୍ତି ଶିକ୍ଷକମାନେ ମଧ୍ୟ ଶିକ୍ଷାବର୍ଷର ପାଠପଢ଼ାକୁ ନେଇ ହଟହଟା ହେଉଥିବା ଲକ୍ଷ୍ୟ କରାଯାଇଛି। ସରକାରଙ୍କ ନିର୍ଦ୍ଦେଶାନୁସାରେ ନୂଆ ଶିକ୍ଷାବର୍ଷରେ ଏପ୍ରିଲ ୨ ତାରଖରୁ ସକାଳୁଆ ସ୍କୁଲ ହେବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ସକାଳ ସାଢ଼େ ୬ରୁ ଦିନ ସାଢ଼େ ୧୦ ପର୍ଯ୍ୟନ୍ତ ଏବଂ ନବମରୁ ଦ୍ବାଦଶ ଶ୍ରେଣୀଯାଏଁ ଦିନ ୭ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ସ୍କୁଲରେ ପାଠ ପଢ଼ିବେ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ କାରଣରୁ ଏହି ସମୟ ପରେ ବାହାରେ ବୁଲିବେ ନାହିଁ। କିନ୍ତୁ ଏବେ ନାମ ଲେଖା ଋତୁ ଆରମ୍ଭ ହୋଇଯାଇଥିଲେ ହେଁ ଅଧିକାଂଶ ସ୍କୁଲରେ ପିଲାଙ୍କ ନାମ ଲେଖା ହୋଇ ପାରି ନାହିଁ। ଏଣେ ମଧ୍ୟାହ୍ନ ଭୋଜନ ଆରମ୍ଭ କରାଗଲେ ତାହା କେଉଁ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଭୁକ୍ତ କରାଯିବ ସେ ସମ୍ପର୍କରେ କିଛି ମାର୍ଗଦର୍ଶିକା ଦିଆଯାଇ ନାହିଁ। ପ୍ରଥମେ ଏପ୍ରିଲ ପହିଲାରୁ ମଧ୍ୟାହ୍ନ ଭୋଜନ ଆରମ୍ଭ ହେବ ବୋଲି ଚିଠି ଆସିଲା। ପରେ ତାହା ୨ ତାରିଖକୁ ଘୁଞ୍ଚିଲା। ନୂଆ ଉପସ୍ଥାନ ଅନୁସାରେ ମଧ୍ୟାହ୍ନ ଭୋଜନ ଦେବାକୁ କୁହାଯାଇଛି। ତେବେ ଏପର୍ଯ୍ୟନ୍ତ ନୂଆ ଉପସ୍ଥାନ ପ୍ରସ୍ତୁତ ହେଲାଣି କି ? ପିଲାଙ୍କ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇ ନଥିବା ବେଳେ ମଧ୍ୟାହ୍ନ ଭୋଜନ କାହାକୁ ଦିଆଯିବ ବୋଲି ମଧ୍ୟ ପ୍ରଶ୍ନ ହେଉଛି। ଗତ ୨ ବର୍ଷ ଭିତରେ କୋଭିଡ୍ ମହାମାରୀ କାରଣରୁ ବିନା ପରୀକ୍ଷାରେ ସମସ୍ତେ ଶ୍ରେଣୀ ଉତ୍ତୀର୍ଣ୍ଣ ହେବେ ବୋଲି ସରକାର ଘୋଷଣା କଲେ। ତେଣୁ ଗତ ବର୍ଷ ନାମ ଲେଖା ବେଳେ ସମସ୍ୟା ହୋଇଥିଲା। ଶେଷ ମୁହୂର୍ତରେ ଜୁନ୍ ମାସରେ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ପରେ ସ୍କୁଲରେ କେହି ନାମ ଲେଖାଇ ନଥିଲେ। ତେଣୁ ରଜ ସଂକ୍ରାନ୍ତି ବେଳକୁ ଶିକ୍ଷକଶିକ୍ଷୟିତ୍ରୀଙ୍କ ଛୁଟି ବାତିଲ ହେଲା।
ସେମାନେ କୋଭିଡ୍ ସତ୍ତ୍ବେ ଘରକୁ ଘର ବୁଲି ନାମ ଲେଖା ସର୍ଭେ କାମ କରିବାକୁ କୁହାଯିବାରୁ ପ୍ରକ୍ରିୟା ବିଳମ୍ବ ହୋଇଥିଲା। ବର୍ତମାନ ଯେଉଁମାନେ ୫ମରୁ ଷଷ୍ଠକୁ ଓ ଅଷ୍ଟମରୁ ୯ମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ ସେମାନେ ବିନା ପରୀକ୍ଷାରେ କିପରି ପାସ୍ କରିବେ ? କୌଣସି ପ୍ରକାରେ ସ୍କୁଲ ଲିଭିଙ୍ଗ୍ ସାର୍ଟିଫିକେଟ୍ ହାସଲ କରିଥିବା ଅଭିଭାବକ ଉପର ପିଲାଙ୍କୁ ନେଇ ଉପର ଶ୍ରେଣୀରେ ନାମ ଲେଖାଇବାକୁ ଯିବା ବେଳେ ସେଠାରେ ଶିକ୍ଷକ ଅଡ଼ୁଆରେ ପଡ଼ୁଛନ୍ତି। କାରଣ ଔପଚାରିକ ଭାବେ ଯେଉଁ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଉତ୍ତୀର୍ଣ୍ଣ ଘୋଷଣା କରାଯାଇଛି ସେମାନଙ୍କ ପାଇଁ ଏକ ବେସ୍ଲାଇନ୍ ଆସେସ୍ମେଣ୍ଟ୍ ବା ପ୍ରାରମ୍ଭିକସ୍ତର ଆକଳନ କରିବାକୁ ସ୍କୁଲ କର୍ତୃପକ୍ଷଙ୍କୁ କୁହାଯାଇଥିଲା। ଏପର୍ଯ୍ୟନ୍ତ ଅଧିକାଂଶ ସ୍କୁଲରେ ତାହା କାର୍ଯ୍ୟକାରୀ ହୋଇ ନାହିଁ। ତେଣୁ ନୂଆ କରି ନାମ ଲେଖାଇବାରେ ସେମାନେ ସମସ୍ୟାର ସାମ୍ନା କରୁଛନ୍ତି। ଉଦାହରଣ ଦେଇ ଜଗତସିଂହପୁର ଜିଲ୍ଲାର ଜଣେ ଶିକ୍ଷକ କହିଛନ୍ତି ଏକ ସରସ୍ବତୀ ଶିଶୁ ମନ୍ଦିରରୁ ଜଣେ ୪ର୍ଥ ଶ୍ରେଣୀର ଛାତ୍ରୀ କୌଣସିମତେ ସ୍କୁଲ ଲିଭିଙ୍ଗ୍ ସାର୍ଟିଫିକେଟ୍ ଆଣି ଏକ ସରକାରୀ ସ୍କୁଲରେ ନାମ ଲେଖାଇବାକୁ ଆସିଲେ। ତାଙ୍କୁ ୫ମରେ ନାମ ଲେଖାଇବାରେ ସମସ୍ୟା ଦେଖା ଦେଉଛି। କାରଣ ୫ମ ଶ୍ରେଣୀ ପିଲା ଷଷ୍ଠକୁ ଉତ୍ତୀର୍ଣ୍ଣ ହୋଇ ପାରି ନାହାନ୍ତି। ସେମାନଙ୍କ ପାଇଁ ଆସେସ୍ମେଣ୍ଟ୍ ଟେଷ୍ଟ ହୋଇପାରିନଥିବାରୁ ନୂଆ ପିଲାଙ୍କ ପାଇଁ ନାମ ଲେଖା କେଉଁ ସ୍ଥାନରେ ହେବ ? ଏପର୍ଯ୍ୟନ୍ତ ପୁରୁଣା ଉପସ୍ଥାନ ଖାତା ଅନୁସାରେ ଶିକ୍ଷା ଋତୁ ମାର୍ଚ ମାସରେ ଶେଷ ହେଉଛି। ଏପ୍ରିଲ ନୂଆ ଶିକ୍ଷା ଋତୁ ପାଇଁ ନୂଆ ଉପସ୍ଥାନ ଖାତା ମଧ୍ୟ ଯୋଗାଇ ଦିଆଯାଇ ନାହିଁ। ଅଧିକାଂଶ ବିଦ୍ୟାଳୟରେ ଏପରି ଅବ୍ୟବସ୍ଥା ଯୋଗୁଁ ଛାତ୍ରଛାତ୍ରୀଙ୍କ ନାମ ଲେଖାରେ ସମସ୍ୟା ଦେଖା ଦେଇଛି। କେବଳ ନାମଲେଖା ନୁହଁ ବରଂ ପୁସ୍ତକ ବଣ୍ଟନ କ୍ଷେତ୍ରରେ ମଧ୍ୟ ଅନୁରୂପ ସମସ୍ୟା ଦେଖା ଦେଇଛି। ଅଧିକାଂଶ ବ୍ଲକ୍ ଶିକ୍ଷାଧିକାରୀ ଅଫିସ୍ରେ ସ୍କୁଲ ବହି ବଣ୍ଟା ନହୋଇ ପଡ଼ି ରହିଛି। ତେଣୁ ନୂଆ ଶିକ୍ଷା ବର୍ଷ କେବଳ ଏପ୍ରିଲ୍ ଫୁଲ୍ ହେବା ସାର ହେବ ବୋଲି ଅଭିଭାବକ ମହଲରେ କଟାକ୍ଷ କରାଯାଉଛି। ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ବିହିତ ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହୋଇଛି।