ଜମି ମାଫିଆଙ୍କ କବଳରେ ସରକାରୀ ବିଦ୍ୟାଳୟ ଜମି, ଉଦ୍ଧାର କରିବାକୁ ଦାବି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଜମି ମାଫିଆଙ୍କ ଆତଙ୍କ ଦିନକୁ ଦିନ ବଢ଼ିଚାଲିଥିବା ବେଳେ ଆଜି ଆଉ ଏକ ଘଟଣା ସମ୍ନାକୁ ଆସିଛି । ଖୋର୍ଦ୍ଧା ଓ କଟକ ସୀମାନ୍ତରେ ଥିବା ଧଳାପଥର-କଳାପଥର ସରକାରୀ ଉଚ୍ଚବିଦ୍ୟାଳୟର ଜମିକୁ କେତେକ ଜମି ମାଫିଆ ଜବରଦଖଲ କରିରଖିଥିବା ଏପରିକି ପୁଲିସ ଓ ରାଜସ୍ୱ ବିଭାଗକୁ ମଧ୍ୟ ଖାତିର କରୁନଥିବା ନେଇ ସ୍କୁଲ କର୍ତ୍ତୃପକ୍ଷ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଜି ପୂର୍ବାହ୍ଣରେ କଳାପଥର ସରକାରୀ ଉଚ୍ଚବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟମାନେ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି । ଦାବିପତ୍ର ନେଇ ସୌମ୍ୟପ୍ରକାଶ ସାହୁ, ମଳୟ ରଂଜନ ସ୍ୱାଇଁ, ବିଶ୍ୱଜିତ ସାହୁ, ସନ୍ତୋଷ ସାହୁ, କିରଣ କୁମାର ସ୍ୱାଇଁ, ସୁବାସ ଚନ୍ଦ୍ର ନାୟକ ପ୍ରମୁଖ କହିଛନ୍ତି ଯେ ଉକ୍ତ ସ୍କୁଲ ୧୯୫୭ରେ ପ୍ରତିଷ୍ଠା ହୋଇଥିଲା ।

କଟକ ଓ ଖୋର୍ଦ୍ଧାର ଅନେକ ବଦାନ୍ୟ ବ୍ୟକ୍ତି ଜମି ଓ ଅର୍ଥ ଦାନସୂତ୍ରରେ ଦେଇଥିଲେ । ଏହାସହ କେତେକ ଜମି ବିଦ୍ୟାଳୟ ପକ୍ଷରୁ କିଣାଯାଇଥିଲା । ସ୍କୁଲର ଖେଳପଡ଼ିଆର ଅନେକ ଭାଗ ବର୍ତମାନ ସ୍କୁଲର ନାମରେ ପଟ୍ଟା ହୋଇନାହିଁ ଓ ସ୍କୁଲର ଆର୍ଥିକ ସମସ୍ୟା ହେତୁ ପ୍ରାଚୀର ନିର୍ମାଣ ହୋଇନାହିଁ । ଏହାର ସୁଯୋଗରେ କେତେକ ଜମି ମାଫିଆ ଉକ୍ତ ଜମିକୁ ଜବରଦଖଲ କରି ନିର୍ମାଣ କରିଛନ୍ତି । ଏନେଇ ସ୍ଥାନୀୟ ତହସିଲଦାର ଓ ପୁଲିସଙ୍କୁ ଅଭିଯୋଗ କରିବା ପରେ ଜଣେ ଜବରଦଖଲକାରୀଙ୍କୁ ହଟାଇଦିଆଯାଇଛି ।

କିନ୍ତୁ ଅର୍ଥ ସଂଗ୍ରହ କରି ବର୍ତମାନ ପ୍ରାଚୀର ନିର୍ମାଣ କରିବାକୁ ଯୋଜନା କରାଯାଉଥିବାବେଳେ କେତେକ ଜମି ମାଫିଆ ଧମକଚମକ ଦେଉଛନ୍ତି । ପୁଲିସ ଉପସ୍ଥିତିରେ ନିର୍ମାଣ ଆରମ୍ଭ କରାଯାଇଥିବା ବେଳେ ମଧ୍ୟ ସେମାନେ ପୁଲିସକୁ କିମ୍ବା ସ୍ଥାନୀୟ ତହସିଲଦାରଙ୍କ ନିଦେ୍ର୍ଦଶକୁ ଖାତିର କରୁନାହାନ୍ତି । ଏଣୁ ଆବଶ୍ୟକ ପଦକ୍ଷେପ ନେଇ ସ୍କୁଲର ଜମିକୁ ଜବରଦଖଲ ମୁକ୍ତ କରିବା ସହ ଏହାର ଜମିକୁ ସ୍କୁଲ ଖାତାକୁ ପ୍ରଦାନ କରିବାକୁ ସେମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ସ୍କୁଲର ଜମି କଟକ ଜିଲ୍ଲାରେ ମଧ୍ୟ ରହିଥିବାରୁ ସେମାନେ ଅନୁରୂପ ଅନୁରୋଧ କଟକ ଜିଲ୍ଲାପାଳ ଓ ବାଙ୍କୀ ଉପଜିଲ୍ଲାପାଳଙ୍କୁ ମଧ୍ୟ କରିଥିବା କହିଛନ୍ତି ।

ସମ୍ବନ୍ଧିତ ଖବର