ରାୟଗଡା: ୫୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଗାଁରେ ସ୍କୁଲ ଚାଲୁଥିଲା। ଯେଉଁ ସ୍ଥାନରେ ସ୍କୁଲ ଚାଲୁଥିଲା ସେହି ଜାଗା ସେତେବେଳେ ଅନାବାଦି ହୋଇ ରହିଥିଲା। କିନ୍ତୁ ଏବେ ଗ୍ରାମର ଜଣେ ବାସିନ୍ଦା ଏହି ସ୍କୁଲ ଜାଗା ମୋର ବୋଲି ଦାବି କରି ତୁରନ୍ତ ସ୍କୁଲକୁ ସ୍ଥାନାନ୍ତର କରିବାକୁ ଦାବି କରୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ନିକଟସ୍ଥ ଦେବଦଳା ଗ୍ରାମରେ। ଦେବଦଳା ଓ ବାସୁଗୁଡା ଗ୍ରାମର ଗ୍ରାମବାସୀ ଏବଂ ଅଭିଭାବକ ମାନେ ଆଜି ସୋମବାର ଜିଲ୍ଲାପାଳଙ୍କୁ ଭେଟି ସ୍କୁଲ ଜାଗାକୁ କେହି ନେଇ ପାରିବେ ନାହିଁ ବୋଲି କହିବା ସହ ଏତେ ଦିନ ପର୍ଯ୍ୟନ୍ତ କଣ ସେହି ବ୍ୟକ୍ତି ଏହା ଜାଗାକୁ ନିଜର ବୋଲି ଜାଣି ପାରି ନଥିଲେ କି ବୋଲି ପ୍ରଶ୍ନ କରିଛନ୍ତି। ଏପରିକି ଏହି ସ୍କୁଲ ରହିଥିବା ସ୍ଥାନଟି ଅନ୍ୟ ଦୁଇ ଜଣ ଗ୍ରାମବାସୀଙ୍କର ମଧ୍ୟ ଜାଗା ରହିଛି। କିନ୍ତୁ ସେମାନେ କେବେ ମଧ୍ୟ ସ୍କୁଲକୁ ହଟାଯାଉ ବୋଲି ଦାବି କରିନାହାନ୍ତି।
ତେଣୁ ସ୍କୁଲ ଦୀର୍ଘଦିନ ଧରି ଚାଲି ଆସୁଥିବା ବେଳେ ଏଠାରେ ସରକାରଙ୍କ ତରଫରୁ ଶ୍ରେଣୀ ଗୃହ ଏବଂ ଏକ ସଂସ୍ଥା ତରଫରୁ ତିନୋଟି ଶ୍ରେଣୀ ଗୃହ ମଧ୍ୟ ନିର୍ମାଣ ହୋଇଛି। ଯାହାଫଳରେ ଲକ୍ଷାଧିକ ଟକା ଖର୍ଚ୍ଚ କରାଯାଇ ଶ୍ରେଣୀ ଗୃହ ନିର୍ମାଣ କରାଯାଇଥିବା ବେଳେ ଏବେ ଦାବିଦାର କେଉଁଠୁ ଆସିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସ୍କୁଲ ସ୍ଥାନ ବଦଳିଲେ ପିଲା ମାନେ କେଉଁଠି ବସିବେ ଏବଂ ମଧ୍ୟାହ୍ନ ଭୋଜନ କେଉଁଠି ରନ୍ଧା ହେବ ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ଏନେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି।