ବିଦ୍ୟାଳୟରେ ତାଲା ପକାଇଲେ ଜମି ମାଲିକ, ପ୍ରଶାସନ ପହଞ୍ଚି ଖୋଲିଲା

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବେହେରାମୁଣ୍ଡା ପଂଚାୟତ ବାବୁରିଆ ବିଦ୍ୟାଳୟ ଗେଟ୍ ରେ ଆଜି ଜମି ମାଲିକ ତାଲା ପକାଇଥିବା ବେଳେ ପୁଲିସ ଓ ବ୍ଲକ ପ୍ରଶାସନ ପହଞ୍ଚି ବିଦ୍ୟାଳୟର ତାଲା ଖୋଲିଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ବାବୁରିଆ ଗ୍ରାମର ପରୀକ୍ଷୀତ ନାଗଙ୍କ ପିତା ବୈଦର ନାଗଙ୍କ ପଟ୍ଟା ଜମିରେ ଆଜକୁ ପଚାଶ ବର୍ଷରୁ ଉର୍ଦ୍ଧ୍ବ ହେବ ବିଦ୍ୟାଳୟ ନିର୍ମାଣ ହୋଇଛି । ତେବେ ବିଦ୍ୟାଳୟରେ ରୋଷେୟା ନିଯୁକ୍ତି ଦାବି କରି ପରୀକ୍ଷୀତ ନାଗ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି । ଏନେଇ ପୂର୍ବରୁ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ପରୀକ୍ଷୀତଙ୍କୁ ଅତିରିକ୍ତ ରୋଷେୟା ନିଯୁକ୍ତ କରିବା ନିମନ୍ତେ ଚନ୍ଦାହାଣ୍ଡି ବ୍ଲକ ସଭାଗୃହଠାରେ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶିବିରରେ ଲିଖିତ ଭାବେ ପ୍ରଦାନ କରିଥିଲେ । ତେବେ ବିଦ୍ୟାଳୟରେ କାର୍ଯ୍ୟରତ ରୋଷେୟା ଭଗବତ ସୋରୀ ୧୯୯୨ ମସିହାରେ ରୋଷେୟା ଭାବେ କୋରାପୁଟ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଚିଠି ନମ୍ବର ୩୯୯/୧୯୯୨ ପ୍ରକାରେ ନିଯୁକ୍ତ ହୋଇଥିବାବେଳେ ୨୦୨୮ ମସିହାରେ ସେ ଅବସର ନେବେ ।

ପରୀକ୍ଷୀତ ନାଗ ବାରମ୍ବାର ବିଦ୍ୟାଳୟ କୁ ଯାଇ ତାଲା ପକେଇବେ ବୋଲି ପ୍ରଧାନ ଶିକ୍ଷକଙ୍କୁ ଧମକ ଦେଇ ଆସୁଥିବା ନେଇ ଗତ ୨୨/୬/୨୨ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦାହାଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ଚନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ । କିନ୍ତୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ନଥିଲେ । ଫଳ ସ୍ବରୂପ ଆଜି ପରୀକ୍ଷୀତ ନାଗ ବିଦ୍ୟାଳୟରେ ତାଲା ପକେଇ ଥିଲେ । ବିଦ୍ୟାଳୟରେ ତାଲା ପକେଇବା ଖବର ପାଇ ଚନ୍ଦାହାଣ୍ଡି ବିଡିଓ ଧର୍ମରାଜ ମାଝୀ ଏବଂ ଚନ୍ଦାହାଣ୍ଡି ଥାନା ଏସ ଆଇ ବିଜୁରାମ ବାଘ ପହଞ୍ଚି ବୁଝାସୁଝା କରିବା ସହ ବିଦ୍ୟାଳୟ ଗେଟରୁ ତାଲା ଖୋଲିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା ।

ପ୍ରକାଶ ଥାଉକି ଏହି ବିଦ୍ୟାଳୟରେ ଅନ୍ତେବାସୀ ଛାତ୍ରଛାତ୍ରୀ ରହୁଥିବା ବେଳେ ଶନିବାର ଓ ରବିବାର ବିଦ୍ୟାଳୟ ଛୁଟି ଥିବାରୁ ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କୁ ନେଇ ନିଜ ନିଜ ଅଭିଭାବକଙ୍କ ସହ ବିଦ୍ୟାଳୟକୁ ଆସିଥିବା ବେଳେ ଗେଟ୍ ରେ ତାଲା ପଡିଥିବା ସହ ବର୍ଷା ଲାଗିରହିଥିବାରୁ ଛାତ୍ର ଛାତ୍ରୀ ଓ ଅଭିଭାବକ ବର୍ଷାରେ ଭିଜି ହିନସ୍ତା ହୋଇଥିଲେ । ଏଥି ପ୍ରତି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର