କନ୍ଧମାଳରେ ସ୍କୁଲ୍ ଖୋଲିଲା: ପ୍ରବେଶ ପୂର୍ବରୁ ହେଲା ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ଓ ହାତସଫା

 

ଫୁଲବାଣୀ : କରୋନା ମହାମାରୀ ପାଇଁ ପ୍ରାୟ  ୯ ମାସ ହେଲା କନ୍ଧମାଳରେ ବନ୍ଦ ଥିବା ସ୍କୁଲ୍‌ ଆଜିଠୁ ଖୋଲିଛି। ଏଥିନିମନ୍ତେ ପୂର୍ବରୁ ପ୍ରସ୍ତୁତି ହୋଇଥିଲା। ସ୍କୁଲର ଶ୍ରେଣୀଗୃହକୁ ବିଶୋଧିତ କରାଯିବା ସହ ପରିସରକୁ ସଫାସୁତୁରା କରାଯାଇଥିଲା। ସକାଳ ସାଢ଼େ ୯ଟା ବେଳକୁ ସବୁ ହାଇସ୍କୁଲ ଫାଟକ ସମ୍ମୁଖରେ ଠିକ ମାଟ୍ରିକ୍‌ ବୋର୍ଡ ପରୀକ୍ଷାର ଭ୍ରମ ସୃଷ୍ଟି ହୋଇଥିଲା। କପି ଚେକ୍ କଲା ଭଳି ଫାଟକ ପାଖରେ ଜଗି ରହିଥିଲେ ଶିକ୍ଷକ ଓ କର୍ମଚାରୀ। ଛାତ୍ରଛାତ୍ରୀଙ୍କ ସ୍କ୍ରିନିଂ ଟେଷ୍ଟ ସହ ହାତସଫା କରିବାର ବ୍ୟବସ୍ଥା କରାଯାଇଥିଲା। ତାପରେ ସାମାଜିକ ଦୂରତା ରକ୍ଷା କରି ଜଣକ ପରେ ଜଣେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଭିତରକୁ ଛଡା ଯାଇଥିଲା। ଜିଲ୍ଲା ସଦର ମହକୁମା ଫୁଲବାଣୀର ଏଜେଓ, ବାଳିକା, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଶ୍ରୀସତ୍ୟସାଇ ଏବଂ ପୁଲିସ ହାଇସ୍କୁଲର କେବଳ ଦଶମଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲକୁ ଆସିଥିଲେ। ବହୁଦିନ ପରେ ସ୍କୁଲ ଖୋଲିଥିବାରୁ ଛାତ୍ରଛାତ୍ରୀଙ୍କ ମନରେ ବେଶ୍‌ ଉତ୍ସାହ ଥିବା ଦେଖିବାକୁ ମିଳିଥିଲା। ମାତ୍ର ୩ ମାସ ପାଠପଢା। ତାପରେ ବୋର୍ଡ ପରୀକ୍ଷା। ଏତେ କମ୍‌ ସମୟ ମଧ୍ୟରେ କିଭଳି ପାଠପଢି ପରୀକ୍ଷା ଦେବେ ଏନେଇ କିଛି ଛାତ୍ରଛାତ୍ରୀ ଆଶଙ୍କାରେ ରହିଥିବା କହିଥିଲେ। ହେଲେ  ବହୁ ଛାତ୍ରଛାତ୍ରୀ ଖୁସି ଥିବା ପ୍ରକାଶ କରିଥିଲେ।
ଶ୍ରୀସତ୍ୟସାଇ ସ୍କୁଲର ସମ୍ବିତ ସାହୁ, ସାବର ଚାନ୍ଦ, ଅର୍ପିତ କହଁର ଏବଂ ରୋଷନୀ ନାୟକ, ସଂଗୀତା କହଁର ଓ ଅନୁଷ୍କା ବେହେରା ପ୍ରମୁଖ ସ୍କୁଲ ଖୋଲିବାରୁ ଖୁସି ବୋଲି କହିଥିଲେ। ଘରେ  ଅନ୍‌ଲାଇନରେ ପଢୁଥିଲେ। ତେଣୁ ବୋର୍ଡ ପରୀକ୍ଷାରେ ଫଳାଫଳ ଭଲ ହେବ ବୋଲି ସେମାନେ କହିଥିଲେ। ସେହିଭଳି ସେହି ସ୍କୁଲ ଅନ୍ୟ କିଛି ଛାତ୍ରଛାତ୍ରୀ ୯ ମାସ ପାଠପଢ଼ା ବନ୍ଦ ହୋଇଯିବାରୁ ପରୀକ୍ଷା ଭଲ ହେବା ନେଇ ଆଶଙ୍କା ପ୍ରକାଶ କରିଥିଲେ। ଅନ୍‌ଲାଇନ ପାଠପଢାରୁ ସବୁ କିଛି ବୁଝି ହେଉ ନଥିଲା ବୋଲି ସେମାନେ କହିଛନ୍ତି। ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପ୍ରତୀକ ରଂଜନ ସାହାଣୀ, ରଂଜନ ଦେହୁରୀ, ସୌମ୍ୟରଂଜନ ମହାନ୍ତି ଏବଂ ମଧୁସ୍ମିତା ମିଶ୍ର, ଅଙ୍କିତା ସେଠୀ, ମୌସୁମୀ ପ୍ରଧାନ, ତୃପ୍ତିମୟୀ ମହାପାତ୍ର ପ୍ରମୁଖ ସ୍କୁଲ ଖୋଲିବା ନେଇ ଖୁସି ବୋଲି କହିଥିଲେ। ହେଲେ କମ୍‌ ସମୟ ଥିବାରୁ ଶିକ୍ଷକମାନେ ଶିକ୍ଷା ପ୍ରଦାନରେ ଅଧିକ ସମୟ ଦେବା ଦରକାର ବୋଲି ସେମାନେ କହିଛନ୍ତି। ସ୍କୁଲ ଖୋଲିଥିବାରୁ ପିଲାଙ୍କ ପାଠପଢା ନେଇ ଅଧିକ ଚିନ୍ତିତ ଥିବା କେତେକ ଶିକ୍ଷକ ଓ ଶିକ୍ଷୟିତ୍ରୀ କହିଛନ୍ତି। କମ ସମୟରେ ‌କୋର୍ସ ସାରିବା। ସେଥିରେ ପୁଣି ‌କରୋନା ଭୟ। ତେଣୁ ସତର୍କତାର ସହ ପିଲାଙ୍କ ପାଠପଢାକୁ ଗୁରୁତ୍ବ ଦେବାକୁ ପଡିବ ବୋଲି କହିଛନ୍ତି ଶ୍ରୀସତ୍ୟସାଇ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଅନୁସୂୟା ଆଚାର୍ଯ୍ୟ। ସେହିଭଳି ପିଲାଙ୍କ ସୁରକ୍ଷାକୁ ବେଶୀ ଗୁରୁତ୍ବ ଦେବୁ ବୋଲି କହିଛନ୍ତି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନଚାର୍ଯ୍ୟ ଜାନକୀ ବଲ୍ଲଭ ବିଶୋଇ। ଜିଲ୍ଲା ଶିକ୍ଷା ଅଧିକାରୀ ବିକାଶଚନ୍ଦ୍ର ପ୍ରଧାନ ଏବଂ ସମସ୍ତ ବ୍ଳକ୍‌ ଶିକ୍ଷା ଅଧିକାରୀ ବିଭିନ୍ନ ସ୍କୁଲକୁ ଯାଇ ତଦାରଖ କରିବା ସହ କୋଭିଡ୍‌ ନିୟମକୁ କଡ଼ାକଡ଼ି ମାନିବାକୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସମ୍ବନ୍ଧିତ ଖବର