ସ୍କୁଲ ଖୋଲିବାର ଦ୍ବିତୀୟ ଦିନରେ ଉପସ୍ଥାନ ବୃଦ୍ଧି ପାଇଲା

ଜୟପୁର:‌ ଗତ ୯ମାସ ଧରି ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନକୁ କରୋନା ସଂକ୍ରମଣ ଭୟରେ ସରକାର ବନ୍ଦ କରି ଦେଇଥିଲେ। ପରିସ୍ଥିତି ସାମାନ୍ୟ ସ୍ବାଭାବିକ ହେବା ପରେ ଗତକାଲି ଠାରୁ ଖୋଲିବାକୁ ନିର୍ଦେଶ ଦେଇଥିଲେ। କିଭଳି ଆଗାମୀ ଦିନରେ କେହି ସଂକ୍ରମିତ ହେବେ ନାହିଁ ଏଥି ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି। ୧୦୦ ଦିନ ମଧ୍ୟରେ ଦଶମ ଓ ଦ୍ବାଦଶ ଶ୍ରେଣୀର ପାଠ୍ୟକ୍ରମ ବି ସାରିବାକୁ ନିର୍ଦେଶ ଦେଇଛନ୍ତି।

ଗତ ୯ମାସ ଧରି ବିଦ୍ୟାଳୟ ଓ କଲେଜ ବାରଣ୍ଡା ମାଡ଼ି ନଥିବା ପିଲା ମାନେ ଗତକାଲି ଯେତେ ଉତ୍ସାହିତ ‌ଥିଲେ ତା’ ଠାରୁ ଢ଼େର ଅଧିକା ଉତ୍ସାହ ଆଜି ଦେଖିବାକୁ ମିଳିଥିଲା। ସରକାରୀ ଓ ବେସରକାରୀ ବିଦ୍ୟାଳୟ, ବିକ୍ରମ ଦେବ ଓ ମହିଳା ମହାବିଦ୍ୟାଳୟ ଜୁନିୟର କଲେଜ ସହ ବିଭିନ୍ନ ବେସରକାରୀ କଲେଜ ଗୁଡିକରେ ଗତ କାଲି ପରି ଆଜି ବି ପିଲାଙ୍କ ସହ ଅଭିଭାବକ ଆସିଥିଲେ। ଆଜି ସବୁ ପିଲା ମୁହଁରେ ମାସ୍କ ଲଗାଇ ଆସିଥିଲେ।

ଜୟପୁର ସହର ଏବଂ ବ୍ଲକ ଅଂଚଳରେ ଥିବା ସ୍କୁଲ ଓ କଲେଜ ଗୁଡିକରେ ଆଜି ୯୦ପ୍ରତିଶତ ଉପସ୍ଥାନ ଥିବା ଦେଖିବାକୁ ମିଳିଥିଲା। ସେଭଳି ଗତ ୯ମାସ ହେବ ପିଲାଙ୍କ ସହ ସିଧାସଳଖ ସଂଷ୍ପର୍ଶରେ ଆସି ପାରି ନଥିବା ଅଧ୍ୟାପକ ଓ ଶିକ୍ଷକ ମାନେ ବି ପୁରା ଜୋଶରେ ପିଲାଙ୍କୁ ସ୍ବାଗତ କରିବା ସହ ପିଲାଙ୍କ ମଧ୍ୟରେ ରହିଥିବା ବିଭିନ୍ନ ପାଠ୍ୟକ୍ରମର ସନ୍ଦେହ ଦୂର କରୁଥିବା ଦେଖିବାକୁ ମିଳିଥିଲା। କଲେଜ ଓ ସ୍କୁଲ ଗୁଡିକ ଖୋଲିବା ପରେ ମାର୍ଗଦର୍ଶିକାକୁ ପାଳନ କରୁଛନ୍ତି ନା ନାହିଁ ତାହାର ତଦାରଖ ଗତ କାଲି ପରି ଆଜି ବି ପ୍ରଶାସନ ପକ୍ଷରୁ ଗଠନ କରାଯାଇଥିବା ସ୍ବତନ୍ତ୍ର ଟିମ୍ ଯାଞ୍ଚ କରିଥିଲେ। ବିଇଓ ରାମ ଚନ୍ଦ୍ର ବିଷୋଇ ବି ବିଭିନ୍ନ ବିଦ୍ୟାଳୟକୁ ବୁଲି ତଦାରଖ କରୁଥିବା ଦେଖିବାକୁ ମିଳିଥିଲା। ଅଧ୍ୟାପକ, ଓ ଶିକ୍ଷକ ମାନେ କଲେଜଓ ସ୍କୁଲ ସମ୍ମୁଖ ଗେଟରେ ଥର୍ମାଲସ୍କାନର, ଓକ୍ସିମିଟର, ସାନିଟାଇଜର ଓ ମାସ୍କ ଧରି ଛାତ୍ରଛାତ୍ରୀଙ୍କର ଯାଂଚ କରିବା ସହ ଘରେ ରହିଥିବା ଅନ୍ୟ ସହପାଠୀଙ୍କୁ ସାଙ୍ଗରେ ଧରି ଆଣିବାକୁ କହୁଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ଆମେ କିଛି ଛାତ୍ରଛାତ୍ରୀ, ଅଭିଭାବକ, ଓ ସ୍କୁଲ ଶିକ୍ଷକ ମାନଙ୍କର ପ୍ରତିକ୍ରୀୟା ନେଇଥିଲୁ। ତାକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା:

ରାହୁଲ ନାୟକ, ୟୁକେପି, ଉଚ୍ଚବିଦ୍ୟାଳୟ: ବହୁ ଦିନ ପରେ ସ୍କୁଲକୁ ଆସି ବହୁତ ଖୁସି ଲାଗୁଛି। ପୂର୍ବରୁ ଏମିତି ସ୍କୁଲକୁ ଆସିବା ଗୋଟେ ଖୁସିର କଥାବୋଲି କେବେ ଭାବି ନଥିଲି।

ଭବାନୀ ସାହୁ, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ: ଅନଲାଇନରେ ପାଠ ପଡ଼ୁଥିଲୁ ସତ, କିନ୍ତୁ ପାଠ୍ୟକ୍ରମର ବହୁ ବିଷୟ ବୁଝି ପାରୁ ନଥିଲୁ। ଯେତେ ସବୁ ସ‌‌‌ନ୍ଦେହ ଅଛି। ତାକୁ ୧୦୦ଦିନ ମଧ୍ୟରେ ଆୟତ୍ତ କରି ଭଲ ପରୀକ୍ଷା ଫଳ କରିବି।

ଶୁଭଶ୍ରୀ ନାୟକ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର: ଅନଲାଇନ୍ କ୍ଲାସ ହେଉଥିଲା। ତଥାପି ସବୁ ଜିନିଷ ବୁଝି ହେଉ ନଥିଲା। ଏବେ ବିଦ୍ୟାଳୟକୁ ସେ ସବୁ ସମସ୍ୟା ରହିବ ନି।

ଉଷାରାଣୀ ହାଲଦାର, ପ୍ରଧାନଶିକ୍ଷୟତ୍ରୀ, ଚନ୍ଦନବାଡ ହାଇସ୍କୁଲ: କିଛି ପିଲା ମାସ୍କ ଆଣି ନଥିଲେ ସେମାନଙ୍କୁ ସ୍କୁଲ ପକ୍ଷରୁ ମାସ୍କ ପ୍ରଦାନ କରାଯାଇଥିଲା।

ଗଙ୍ଗା ଷଡଙ୍ଗୀ, ପୁଜାରୀପୁଟ ହାଇସ୍କୁଲ: ପିଲା ମାନଙ୍କ ମଧ୍ୟରେ ଏକ ଭିନ୍ନ ରକମର ଉତ୍ସାହ ଦେଖିବାକୁ ପାଇଥିଲୁ। ଏବଂ ନିଜେ ବି ଉତ୍ସାହିତ ହୋଇଥିଲୁ।

ଡ.ଜ୍ୟୋତ୍ସ୍ନାରାଣୀ ମିଶ୍ର, ପ୍ରଧାନଶିକ୍ଷୟତ୍ରୀ, ଏକମ୍ବା ହାଇସ୍କୁଲ: ଗାଇଡଲାଇନଓ ଏସଓପି ପାଳନ କରାଯାଇଥିଲା। ସ୍କୁଲରେ ସମସ୍ତ ପିଲାଙ୍କୁ ମାସ୍କ, ସାନିଟାଇଜର ବିତରଣ କରାଯାଇଥିଲା।

ସୁରେନ୍ଦ୍ର ପଟ୍ଟନାୟକ, ପ୍ରଧାନଶିକ୍ଷକ, ସରକାରୀ ଉଚ୍ଚ ବିଦ୍ୟାଳୟ: ସମସ୍ତ ପିଲାଙ୍କୁ ଅଲଗା ଅଲଗା ସାନିଟାଇଜର ଦେବା ସହ ହାତ ‌ସଫା କରିବା ପାଇଁ ୱାସିଂ ବେସିନର ବ୍ୟବସ୍ଥା କରାଯାଇଛି। ସ୍କୁଲ ସମ୍ମୁଖ ଗେଟରେ ଥର୍ମାଲସ୍କାନର, ଓକ୍ସିମିଟରରେ ବି ପରୀକ୍ଷା କରାଯାଇଛି।

ପ୍ରସନ୍ନ କୁମାର ବସ୍ତିଆ, ପ୍ରଧାନାଚାର୍ୟ୍ୟ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର: ସମସ୍ତ ବ୍ୟବସ୍ଥା କରିବା ସହ ସଂଗରୋଧ କକ୍ଷ ବି କରାଯାଇଛି। ନିର୍ଦେଶ ଅନୁସାରେ ଗୋଟିଏ ଶ୍ରେଣୀ ଗୃହରେ ମାତ୍ର ୨୦ରୁ ୨୫ଟି ପିଲା ବସିବା ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର