ଷ୍ଟିୱାର୍ଟ ସ୍କୁଲ୍‌ ଅଧ୍ୟକ୍ଷଙ୍କୁ ପ୍ରାଣାନ୍ତକ ଆକ୍ରମଣ ମାମଲା: ବନ୍ଦ ରହିଲା ସ୍କୁଲ୍‌, ପରୀକ୍ଷା ବାତିଲ, ତଦନ୍ତକଲା କଟକ ସାଇଣ୍ଟିଫିକ୍‌ ଟିମ୍

କାଳିଆପାଣି: ଟାଟା କମ୍ପାନିର ଟିଏସ୍‌ଏମ୍‌ଏଲ୍‌ ସୁକିନ୍ଦା କଲୋନିସ୍ଥିତ ଷ୍ଟିୱାର୍ଟ ସ୍କୁଲ୍‌ର ଅଧ୍ୟକ୍ଷ ଚନ୍ଦନ କୁମାର ଦାସଙ୍କୁ ଗତକାଲି ସଂଧ୍ୟାରେ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ସହକର୍ମୀ ଶିକ୍ଷକ ଆଶିଷ କୁମାର ମହାନ୍ତିଙ୍କ ଏତଲାକୁ ଭିତ୍ତିକରି ଆଇପିସି ଦଫା ୪୫୨, ୩୨୬ ଓ ୩୦୭ ଆଧାରରେ ଥାନାରେ ୯୨/୨୧ରେ ଏକ ମାମଲା ରୁଜୁ ହୋଇଛି। ଆଜି କାଳିଆପାଣି ଥାନା ଅଧିକାରୀ ରମାକାନ୍ତ ମୁଦୁଲିଙ୍କ ଉପସ୍ଥିତିରେ କଟକ ସାଇଣ୍ଟିଫିକ୍‌ ଅଫିସର ସଂଧ୍ୟାରାଣୀ ଭୂୟାଁ ଓ କ୍ୟାମେରାମ୍ୟାନ ସନ୍ତୋଷ ଲେଙ୍କାଙ୍କୁ ନେଇ ଏକ ୩ ଜଣିଆ ସାଇଣ୍ଟିଫିକ୍‌ ଦଳ ଅଧ୍ୟକ୍ଷ ଶ୍ରୀ ଦାସଙ୍କ କ୍ବାର୍ଟର୍ସରେ ତଦନ୍ତ କରିଥିଲେ। ଡ୍ରଇଂରୁମ ରକ୍ତରଞ୍ଜିତ ହୋଇଥିବା ବେଳେ ୨ଟିଯାକ ବେଡରୁମ ଓ ଡାଇନିଂ ରୁମରେ ରକ୍ତଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା।

ପୁଲିସ ଏଠାରୁ ରକ୍ତ ନମୁନା ଓ ଅନ୍ୟ କିଛି ସାମଗ୍ରୀ ସଂଗ୍ରହ କରିଥିଲା। ଏଥିରେ ମୁଖ୍ୟ ଅଭିଯୁକ୍ତ ସମୀର ମାଝି ସହ ଏକାଧିକ ଅଭିଯୁକ୍ତଙ୍କ ସଂପୃକ୍ତି ରହିଥିବା ପୁଲିସ ସନ୍ଦେହ କରୁଛି। ଅଭିଯୁକ୍ତମାନେ ଅଧ୍ୟକ୍ଷଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ସ୍ପଷ୍ଟ ହୋଇଛି। ଆକ୍ରମଣ ପରେ ଅଧ୍ୟକ୍ଷ ଶ୍ରୀ ଦାସଙ୍କୁ ମୃତ ଭାବି ଅଭିଯୁକ୍ତ ସବୁ କୋଠରିରେ ପଡ଼ିଥିବା ରକ୍ତଛିଟାକୁ ଧୋଇ ସଫା କରିବାକୁ ଉଦ୍ୟମ କରିଥିଲା। ‌ନିରାପତ୍ତାରକ୍ଷୀ ପହଞ୍ଚିବା ସୂଚନା ପାଇ ସେ ପଛପଟ ତାଲା ଖୋଲି କାନ୍ଥ ଡେଇଁ ଚମ୍ପଟ୍‌ ମାରିଥିଲା। ଘଟଣାକୁ ୩୦ ଘଣ୍ଟା ବିତିଥିଲେ ବି ପୁଲିସ ଅଭିଯୁକ୍ତକୁ ଧରିପାରିନି। ଅଭିଯୁକ୍ତର ବାପା ଅମିନ ମାଝି କ୍ରମାଗତ ଭାବେ କାର୍ଯ୍ୟରେ ଅନୁପସ୍ଥିତ ରହୁଥିବା କାରଣରୁ ୩ ମାସ ତଳେ ତାଙ୍କୁ ଛଟେଇ କରାଯାଇଥିଲା। ବାପା ବଦଳରେ ପୁଅ ସମୀର ସ୍କୁଲ୍‌ରେ ସେହି କାମ କରିବାକୁ ଚାହୁଁଥିଲା। ଏହାକୁ ନେଇ ଗତ ୧୭ ତାରିଖରେ ଅମିନ ଦରଖାସ୍ତ ଧରି ଅଧ୍ୟକ୍ଷଙ୍କୁ ଭେଟିବା ପରେ ସମୀରକୁ ନିଯୁକ୍ତି ଦିଆଯିବ ବୋଲି ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିଲେ।

ପରିଚିତ ହୋଇଥିବା ସୁଯୋଗରେ ସମୀର ଗତକାଲି ଅଧ୍ୟକ୍ଷଙ୍କ କ୍ବାର୍ଟର୍ସରେ ପ୍ରବେଶ କରିବା ସୁଯୋଗରେ ଭିତରପଟୁ କବାଟ ବନ୍ଦ କରି ଅଧ୍ୟକ୍ଷଙ୍କୁ ଆକ୍ରମଣ କରିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ଅନ୍ୟପକ୍ଷରେ କଡ଼ା ନିରାପତ୍ତା ବଳୟ ଭିତରେ ଥିବା ଟିଏସ୍‌ଏମ୍‌ଏଲ୍‌ କଲୋନିରେ ଯୋଜନାବଦ୍ଧ ଆକ୍ରମଣକୁ ନେଇ ସହକର୍ମୀ, ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ଏହାର ପ୍ରତିବାଦରେ ସ୍କୁଲ୍‌ ବନ୍ଦ ରଖାଯିବା ସହ ଆଜି ହେବାକୁ ଥିବା ଷାଣ୍ମାସିକ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି। କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅଧ୍ୟକ୍ଷ ଶ୍ରୀ ଦ‌ାସଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିବା ସୂଚନା ମିଳିଛି। ଯଥାଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ ସହ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର