ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମହାଲିଙ୍ଗ ଗ୍ରାମ ସନ୍ସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ନିଖୋଜ ହୋଇଛନ୍ତି। ସ୍କୁଲ୍କୁ ଆସୁଥିବା ବେଳେ ବାଟରେ ଝିଅର ନିଖୋଜ ହୋଇଛି ବୋଲି ପରିବାର ଲୋକେ ବଲାଙ୍ଗୀର ସିନ୍ଧେକେଲା ଥାନାରେ ଅଭିଯୋଗ କରିଛନ୍ତି। ଏହାପରେ ବଲାଙ୍ଗୀର ପୁଲିସ ସନ୍ସାଇନ୍ ପବ୍ଲିକ୍ ସ୍କୁଲ୍ର ମାଲିକକୁ ଉଠାଇ ନେଇ ପଚରାଉଚରା କରୁଥିବା ଜଣାପଡ଼ିଛି।
ପରିବାର ଲୋକଙ୍କ କହିବା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ତୁରେକେଲା ଗ୍ରାମର ମମିତା ମେହେର କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ର ମହାଲିଙ୍ଗ ଗ୍ରାମରେ ଥିବା ସନ୍ସାଇନ୍ ପବ୍ଲିକ୍ ସ୍କୁଲ୍ର ଅଧ୍ୟକ୍ଷା ଥିଲେ। ଗତ ୮ତାରିଖରେ ଉକ୍ତ ସ୍କୁଲ୍ର ମାଲିକ ଗୋବିନ୍ଦ ସାହୁ ମମିତାଙ୍କୁ ସ୍କୁଲ୍ର କାଗଜପତ୍ର କାମ ଅଛି ବୋଲି ଆସିବାକୁ କହିଥିଲେ। ମମିତା ସ୍କଲ୍କୁ ଆସୁଥିବା ବେଳେ ବାଟରେ ଚାନ୍ଦତରା ଛକ ନିକଟରୁ ନିଖୋଜ ହୋଇଯାଇଥିଲେ ବୋଲି ଗତ ୧୨ ତାରିଖରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ବଲାଙ୍ଗୀର ପୁଲିସ କେଗାଁ ଥାନାକୁ ଆସି ସେଠାକାର ପୁଲିସ ସହିତ କଥାବାର୍ତ୍ତା ହେବାପରେ ସ୍କୁଲ୍ର ମାଲିକ ଗୋବିନ୍ଦ ସାହୁଙ୍କୁ ଉଠାଇନେଛି। ଏକ ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଥିବା ଜଣାପଡ଼ିଛି। ବୁଧବାର ଦିନ ତମାମ ପୁଲିସ ମହାଲିଙ୍ଗ ସ୍କୁଲ୍କୁ ଆସି ତଦନ୍ତ କରିବା ସହିତ ଗୋବିନ୍ଦଙ୍କ ଗାଡ଼ିକୁ ଜବତ କରିଛି। ଏନେଇ ସିନ୍ଧେକେଲା ପୁଲିସକୁ ପଚାରିବାରୁ ମମିତା ମେହେର ନିଖୋଜ ନେଇ ପରିବାର ପକ୍ଷରୁ ଅଭିଯୋଗ କରିଛନ୍ତି ବୋଲି କହିଥିଲେ।