ରାୟଗଡା: ଶିକ୍ଷାର ଉନ୍ନତି ପାଇଁ ସରକାରଙ୍କ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି କିନ୍ତୁ କାଶୀପୁର ବ୍ଲକର ଦୁରୂପାଇ ପ୍ରାଥମିକ ବିଦ୍ୟାଳୟରେ ଏହି ଯୋଜନାଗୁଡିକ କିଭଳି ପାଣିର ଗାର ସଦୃଶ୍ୟ ପାଲଟିଛି ତାହା ନଦେଖିଲେ ବିଶ୍ବାସ କରିହେବ ନାହିଁ। ଏହି ବିଦ୍ୟାଳୟର ପରିବେଶକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି ଯେ ଶିକ୍ଷା ବ୍ୟବସ୍ଥା କିପରି ଚାଲିଛି। ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ଶିକ୍ଷା ବ୍ୟବସ୍ଥା ଏକପ୍ରକାର ଭୁଷୁଡି ପଡ଼ିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ବ୍ଳକର ଦୁର୍ଗମ ଅଂଚଳରେ କିପରି ଶିକ୍ଷା ପ୍ରଦାନ କରାଯାଉଛି ତାହା ଜିଲ୍ଲା ଶିକ୍ଷା ବିଭାଗ ଜାଣି ଅଜଣା ପାଲଟିଛନ୍ତି କି ବୋଲି ସାଧାରଣରେ ପ୍ରଶ୍ନ ହୋଇଛି। ଜିଲ୍ଲାର ଏଭଳି ଏକ ପ୍ରାଥମିକ ବିଦ୍ୟାଳୟ ହେଉଛି କାଶୀପୁର ବ୍ଲକର ଗୋଡିବାଲି ପଞ୍ଚାୟତର ଦୁରୁପାଇ ପ୍ରାଥମିକ ବିଦ୍ୟାଳୟ। ଯେଉଁଠି ବିଦ୍ୟାଳୟକୁ ରାସ୍ତା ନଥିବା ବେଳେ କପା ବାଡ ଭିତର ଦେଇ ଯିବାକୁ ପଡ଼େ। ବିଦ୍ୟାଳୟର ଦେଖରେଖ ହେଉନଥିବାରୁ କୃତ୍ରିମ ଜଂଗଲ ସୃଷ୍ଟି ହୋଇଗଲାଣି। ପିଲାଙ୍କ ମଧ୍ୟାହ୍ନ ଭୋଜନ ଏକ ଗଛ ତଳେ ରନ୍ଧା ହେଉଛି। ବିଦ୍ୟାଳୟର ପରିବେଶ ଶୋଚନୀୟ ହୋଇପଡିଛି। ଏହି ବିଦ୍ୟାଳୟର ୫ଟି ଶ୍ରେଣୀରେ ମାତ୍ର ୨୫ ଜଣ ଛାତ୍ରଛାତ୍ରୀ ଥିବାବେଳେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଛାତ୍ରୀ "ଅ,ଆ" ଡାକିବା ଭୁଲିଗଲେଣି। ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀ କେବଳ ଅ ଆ ହିଁ ଜାଣନ୍ତି। ଯାହାକି ସିଧାସଳଖ କାଶୀପୁର ବ୍ଲକର ଶିକ୍ଷାବିଭାଗର ପରିଚାଳନାକୁ ଆଙ୍ଗୁଳି ନିର୍ଦେଶ କରୁଛି। ଏହି ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି ୩ ଜଣ। ସେଥିମଧ୍ୟରୁ ଜଣେ ସହକାରୀ ଶିକ୍ଷକ ନିୟମିତ ବିଦ୍ୟାଳୟକୁ ଆସୁଥିବାବେଳେ ପ୍ରଧାନ ଶିକ୍ଷକ କେତେବେଳେ କେମିତି ବୁଲିବା ପାଇଁ ଯାଆନ୍ତି।
କିନ୍ତୁ ଅନ୍ୟ ଜଣେ ଶିକ୍ଷକ ଆଜିକୁ ୬ ମାସ ହେବ ସ୍କୁଲ ପିଣ୍ଡା ମାଡି ନଥିବା ବେଳେ ନିୟମିତ ଦରମା କିନ୍ତୁ ପାଉଥିବା ସୂତ୍ରରୁ ଖବର ମିଳିଛି। ଏନେଇ ଗୋଡ଼ିବାଲି ସିଆରସିସିଙ୍କୁ ପଚାରିବାରୁ ସେ ତାଙ୍କ ଦେହ ଭଲ ନାହିଁ ଆଉ ଏବେ କଥା ହୋଇପାରିବେ ନାହିଁ ବୋଲି କହି ପ୍ରଶ୍ନର ଉତ୍ତରକୁ ଟାଳିଦେଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗଣମାଧ୍ୟମ ନିକଟରେ ଖବର ପହଞ୍ଚିପାରୁଥିବାବେଳେ ବ୍ଲକ ଶିକ୍ଷା ବିଭାଗ ଓ ଜିଲ୍ଲା ଶିକ୍ଷା ବିଭାଗ ନିକଟରେ କିପରି ପହଞ୍ଚିପାରୁ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଏହାର କାରଣ ସିଆରସିସି ଘଣ୍ଟ ଘୋଡ଼ାଇ ଏଭଳି ଶିକ୍ଷକମାନଙ୍କୁ ସାହାସ ପ୍ରଦାନ କରିଛନ୍ତି ବୋଲି ବୁଦ୍ଧିଜୀବିମାନେ ମତବ୍ୟକ୍ତ କରିଛନ୍ତି। ଏ ନେଇ ଆମେ ଯେତେବେଳେ ଘଟଣାଟିକୁ କାଶୀପୁର ଗୋଷ୍ଠୀ ଶିକ୍ଷାଧିକାରୀ ଦୀପ୍ତି ମୟୀ ସିଂହଙ୍କୁ ପଚାରିଲୁ ସେ ଏହାର ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଥିଲେ।ଏ ନେଇ ଜିଲ୍ଳା ଶିକ୍ଷା ବିଭାଗର ଅଧିକାରୀଙ୍କୁ ଜଣାଇବା ପରେ ତାଙ୍କ ନିକଟରେ କୌଣସି ଖବର ନାହିଁ ସେ କାଶୀପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପଚାରିବେ ଉତ୍ତର ଦେଇଥିଲେ।
ଦୂରୁପାଇ ଓ ପୋଡେଙ୍ଗ ଗ୍ରାମର ଗ୍ରାମବାସୀ ବିଦ୍ୟାଳୟ ସବୁବେଳେ ଖୋଲା ଯାଉନଥିବା କହୁଥିବା ବେଳେ ଏହି ବିଦ୍ୟାଳୟ ବାରଣ୍ଡାରେ ଜମିରୁ ଅମଳ କରି ଆଣୁଥିବା ଖାଦ୍ୟ ଶସ୍ୟକୁ ଶୁଖାଇଥାନ୍ତି। ହେଲେ ଏହି ବିଦ୍ୟାଳୟକୁ ଯିବାକୁ କେବଳ ଦୁଇଚକିଆ ଯାନ କିମ୍ୱା ଚାଲି ଚାଲି ଯିବାକୁ ପଡିଥାଏ। ସେଥିପାଇଁ ଏହି ବିଦ୍ୟାଳୟକୁ କୌଣସି ଅଧିକାରୀଙ୍କ ପାଦ ପଡୁନଥିବାରୁ ବିଦ୍ୟାଳୟର ଅବସ୍ଥା ଏଭଳି ରହିଥିବା କୁହାଯାଇଛି।ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଶିକ୍ଷାର ମାନର ଉନ୍ନତି ଆଣିବା ପାଇଁ ସରକାର ଲକ୍ଷ ଲକ୍ଷ ଟଂକା ଖର୍ଚ୍ଚ କରୁଥିଲେ ମଧ୍ୟ ଶିକ୍ଷା ବିଭାଗରେ ଚାଲିଥିବା ଭିତିରିଆ ସଲାସୁତରା ଯୋଗୁଁ ଶିକ୍ଷା ଏକ ପ୍ରକାର ନଷ୍ଟ ହେବାକୁ ବସିଲାଣି। ବିଶେଷକରି କାଶୀପୁର ବ୍ଲକର ଦୁର୍ଗମ ଅଂଚଳରେ ଶିକ୍ଷା ସଂପୂର୍ଣ୍ଣ ଭୁଷୁଡିଥିବାରୁ ଏହାକୁ ତୁରନ୍ତ ସଜାଡିବାକୁ ଦାବି ହୋଇଛି।