ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ୫-ଟି ଅଧୀନରେ ଚାଲୁଥିବା ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ଆଜି ଖୋର୍ଦ୍ଧା ଗ୍ରାମାଞ୍ଚଳର ବିଭିନ୍ନ ୩୪ଟି ବିଦ୍ୟାଳୟକୁ ପଟ୍ଟା ବଣ୍ଟନ କରାଯାଇଛି। ତେବେ ଏହାକୁ ନେଇ ବର୍ତମାନ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଗ୍ରାମାଞ୍ଚଳରେ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର, ଖେଳ ପଡ଼ିଆ, କୋଠଘର ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ନିର୍ବାଚନ ସମୟରେ ସ୍କୁଲ ଗୁଡ଼ିକର ପଟ୍ଟା ବଣ୍ଟନ ନିଶ୍ଚିତ ଭାବେ ଭୋଟରଙ୍କୁ ପ୍ରଭାବିତ କରିବ ବୋଲି ବିରୋଧୀ ରାଜନୈତିକ ଦଳ ପ୍ରତିକ୍ରିୟା ଦେଇଛନ୍ତି।

Advertisment

ଅପରପକ୍ଷରେ, ନିର୍ବାଚନ ପର୍ଯ୍ୟବେକ୍ଷକ ପଟ୍ଟା ବଣ୍ଟନ ଆଚରଣବିଧିର ଉଲ୍ଲଂଘନ ବୋଲି କହିଥିବା ବେଳେ ଖୋଦ୍ ଜିଲ୍ଲାପାଳ ଏହା ସରକାରଙ୍କ ସଇରାତକୁ ଯାଉଥିବା ଓ ଏହାଦ୍ୱାରା କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତିବିଶେଷ ଲାଭବାନ ହେଉନଥିବାରୁ ଏହା ଆଚରଣ ଉଲ୍ଲଂଘନ ନୁହେଁ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି। ଆଜି ଅପରାହ୍ଣରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବ୍ଲକର ୫ଟି, ଚିଲିକା ବ୍ଲକର ୫ଟି, ବାଣପୁରର ୪ଟି, ବେଗୁନିଆର ୨ଟି, ବାଲିଅନ୍ତାର ୫ଟି, ବାଲିପାଟଣାର ୮ଟି, ଜଟଣୀର ୩ଟି, ଭୁବନେଶ୍ୱର ଗୋଟିଏ ଓ ଟାଙ୍ଗୀ ବ୍ଲକର ଗୋଟିଏ ବିଦ୍ୟାଳୟକୁ ଜିଲ୍ଳାପାଳ ସଂଗ୍ରାମ କେଶରୀ ମହାପାତ୍ର ସେମାନଙ୍କ ନିଜସ୍ୱ ପଟ୍ଟା ବଣ୍ଟନ କରିଛନ୍ତି। ଏହି ଅବସରରେ ଜିଲ୍ଳାପାଳ ଶ୍ରୀ ମହାପାତ୍ର କହିଛନ୍ତି ଯେ ୫-ଟି ଅଧୀନରେ ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ୩୮ଟି ଉଚ୍ଚ ବିଦ୍ୟାଳୟକୁ ଆକାଂକ୍ଷିତ ବିଦ୍ୟାଳୟରେ ରୂପାନ୍ତରୀକରଣ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଧାର୍ଯ୍ୟ ୮୧ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଚାଲୁ ରହିଛି। ବିଦ୍ୟାଳୟର ବିକାଶ ପାଇଁ ସେମାନଙ୍କର ସ୍ୱପଟ୍ଟା ଥିବା ଜରୁରୀ ଅଟେ। ଏହାକୁ ଉପଲବ୍ଧି କରି ଉଭୟ ରାଜସ୍ୱ ଓ ଶିକ୍ଷା ବିଭାଗର ସମନ୍ୱୟରେ ତହସିଲଦାରଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। ପଟ୍ଟା ପରେ ସମସ୍ତ ବିଦ୍ୟାଳୟର ପାଚେରୀ ନିର୍ମାଣ କରାଯିବ। ପରବର୍ତୀ ପର୍ଯ୍ୟାୟରେ ମାର୍ଚ୍ଚ ୫ ତାରିଖରେ ପଟ୍ଟା ବଣ୍ଟନ କରାଯିବ। ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଯୁକ୍ତ ଦୁଇ ମହାବିଦ୍ୟାଳୟକୁ ନେଇ ସମୁଦାୟ ୧୧୦୩ଟି ଶିକ୍ଷାନୁଷ୍ଠାନ ଗୁଡ଼ିକ ପର୍ଯ୍ୟାୟକ୍ରମେ ପଟ୍ଟା ବଣ୍ଟନ କରାଯିବ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅନୁଜ ଦାସପଟ୍ଟନାୟକ, ପ୍ରକଳ୍ପ ନିର୍ଦେଶକ ଦିଗନ୍ତ ରାଉତରାୟ, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇ, ତହସିଲଦାର, ବିଡ଼ିଓଙ୍କ ସହ ୩୪ଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ଉପସ୍ଥିତ ଥିଲେ। ତେବେ ରାତି ପାହିଲେ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ଏଭଳି ସ୍କୁଲର ପଟ୍ଟା ବଣ୍ଟନ କରି ପ୍ରଶାସନ ଦ୍ୱାରା ଭୋଟରଙ୍କୁ ପ୍ରଭାବିତ କରିବାକୁ ବିଜେଡି ଚେଷ୍ଟା କରୁଛି ବୋଲି ବିଜେପିର କେତେକ ନେତା କହିଛନ୍ତି। ନିର୍ବାଚନରେ ବିଜେପି ନିକଟରୁ ପରାଜୟ ବରଣ କରିବାର ଭୟ ଘାରିଛି, ଏଣୁ ପ୍ରଶାସନକୁ ଲଗାଇ ଏଭଳି ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରୁଛନ୍ତି । ଆଜି ମଧ୍ୟ ପଞ୍ଚାୟତ ଗୁଡ଼ିକରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟଙ୍କୁ ଟଙ୍କା ବଂଟନ କରାଯାଉଛି ବୋଲି ରାଜ୍ୟ କୃଷକ ମୋର୍ଚ୍ଚାର ଉପସଭାପତି ଶ୍ରୀରଂଜନ ମଙ୍ଗରାଜ କହିଛନ୍ତି।

ସେହିଭଳି ରାଜ୍ୟ କଂଗ୍ରେସ ସଦସ୍ୟ ଶିଶିର ପରିଡ଼ା କହିଛନ୍ତ, ଯଦି ଆଗରୁ କଂଗ୍ରେସ ଏନେଇ ଅବଗତ ଥାନ୍ତା, ତେବେ ନିଶ୍ଚିତ ଭାବେ ନିର୍ବାଚନ ଆଚରଣବିଧିର ଖୋଲା ଉଲ୍ଲଂଘନକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରନ୍ତା। ଏନେଇ ତୁରନ୍ତ ସେ ଦଳର ଜିଲ୍ଲାସ୍ତରର କର୍ମକର୍ତାଙ୍କ ସହ ଆଲୋଚନା କରି ପ୍ରତିବାଦ କରିବ ବୋଲି କହିଛନ୍ତି। ଏନେଇ ନିର୍ବାଚନ ପର୍ଯ୍ୟବେକ୍ଷକ ଧନଂଜୟ ସ୍ୱାଇଁଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯଦି ପଟ୍ଟା ବଣ୍ଟନ ଭଳି କାର୍ଯ୍ୟକ୍ରମ ହେଉଛି, ତେବେ ଏହା ଆଚରଣବିଧିର ଉଲ୍ଲଂଘନ । ତେବେ ଏନେଇ ସେ ସୂଚନା ପାଇବା ପରେ ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ମାଗିଛନ୍ତି। ରିପୋର୍ଟ ଆଧାରରେ ସେ ସମୀକ୍ଷା କରି ପଦକ୍ଷେପ ନେବେ। ଅପରପକ୍ଷରେ ଜିଲ୍ଳାପାଳ ଶ୍ରୀ ମହାପାତ୍ର କହିଛନ୍ତି ଯେ ୨-୩ ଦିନ ପୂର୍ବେ ବିଭିନ୍ନ ଜିଲ୍ଲାରେ ଏଭଳି ପଟ୍ଟା ବଣ୍ଟନ କରାଯାଇଛି। ଯେହେତୁ ପଟ୍ଟା କୌଣସି ବ୍ୟକ୍ତିଙ୍କୁ ଦିଆଯାଉନାହିଁ, ରାଜ୍ୟ ସରକାରଙ୍କ ଶିକ୍ଷାବିଭାଗକୁ ପ୍ରଦାନ କରାଯାଉଛି ଏଣୁ ଏହା ନିର୍ବାଚନ ଆଚରଣବିଧିର ଉଲ୍ଲଂଘନ ନୁହେଁ।