ଲକଡାଉନ୍ ପରେ ସେବାଶ୍ରମ ବନ୍ଦ : ୧୩ କିମି ଚାଲି ଘରକୁ ଗଲେ ଅନ୍ତେବାସୀ, ଫସି ରହିଛନ୍ତି ହଜାର ହଜାର ଛାତ୍ରଛାତ୍ରୀ

ଷ୍ଟାଇପେଣ୍ଡ ଦେଇ ନିଜ ଦାୟିତ୍ବରେ ଯିବାକୁ କହିଲେ ଅଧିକାରୀ

ରାୟଗଡ଼ା: ଗତକାଲି ମଧ୍ୟରାତ୍ରିରୁ ଭାରତ ଲକଡାଉନ୍ ନିଷ୍ପତ୍ତି ପରେ ଆଜି ରାୟଗଡ଼ା ଜିଲ୍ଲାରେ ସମାଜ ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ସେବାଶ୍ରମଗୁଡ଼ିକୁ ଛୁଟି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଲକଡାଉନ୍ ଯୋଗୁ ଗାଡ଼ି ଚଳାଚଳ ବନ୍ଦ ରହିବା ସହିତ ଅତି ଆବଶ୍ୟକ ନଥିଲେ ବାହାରକୁ ଆସିବା ଉପରେ କଟକଣା ଜାରି କରିଛି ପ୍ରଶାସନ। ଏପରିସ୍ଥଳେ ୩ ମାସର ଷ୍ଟା‌ଇପେଣ୍ଡ ଟଙ୍କା ଦେଇ ନିଜ ବ୍ୟବସ୍ଥାରେ ଘରକୁ ଫେରିବାକୁ ଛାତ୍ରଛାତ୍ରୀଙ୍କୁ କହିଛି ସମାଜ ମଙ୍ଗଳ ବିଭାଗ। ଫଳରେ ସେବାଶ୍ରମରେ ରହୁଥିବା ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ନିଜ ଘରକୁ ଫେରିବାରେ ଦୁର୍ଦ୍ଦଶା ଭୋଗିଛନ୍ତି। ଗାଡ଼ି ନଥିବା କାରଣରୁ କିଏ ୧୩ କିମି ତ, କିଏ ୫ କିମି ଚାଲି ବ୍ଲକ୍ ଓ ଜିଲ୍ଲା ସଦର ମହକୁମାରେ ପହଞ୍ଚିବା ପରେ ଅଟୋ ମାଧ୍ୟମରେ ଘରକୁ ଫେରିଥିବା ଜଣା ପଡ଼ିଛି।

ପେଣ୍ଟା ହାଇସ୍କୁଲରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ରୀନା ମାଝି ଆଜି ସକାଳେ ନିଜ ବାପା ପଇଲି ମାଝି ସହ ହଷ୍ଟେଲ୍ ଛାଡ଼ିଥିଲେ। ନିଜ ଘର କାଶୀପୁର ବ୍ଲକର ଘାଟିଗୁଡାକୁ ଯିବା ପାଇଁ ପେଣ୍ଟା ଛକରେ ଦୀର୍ଘ ଦୁଇ ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ କୌଣସି ଗାଡ଼ି ନ ଆସିବା ଯୋଗୁ ପେଣ୍ଟାରୁ ୧୩ କିମି ଦୂର ରାୟଗଡ଼ାକୁ ଚାଲି ଚାଲି ଆସିଥିଲେ। ରାୟଗଡ଼ାରୁ ଟିକିରି ଯିବାକୁ ଗାଡ଼ି ନ ମିଳିବା ପରେ ବାପା ପଇଲି ଓ ରୀନା କୋରାପୁଟ ଛକରେ ଅପେକ୍ଷା କରି ରହିଥିଲେ।

କେବଳ ରୀନା ନୁହଁ, ରୀନାଙ୍କ ଭଳି ୧୫ରୁ ଅଧିକ ଛାତ୍ରଛାତ୍ରୀ ରାୟଗଡ଼ାରୁ ୩ କିମି ଦୂରରେ ଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟ, ୫ କିମି ଦୂରରେ ଥିବା ପିତାମହଲ ସେବାଶ୍ରମରୁ ଚାଲି ଚାଲି ଆସି କୋରାପୁଟ ଛକରେ ପହଞ୍ଚିଥିଲେ। ସମସ୍ତେ ନିଜ ଅଭିଭାବକଙ୍କ ସହ ଟିକିରି, କୈଳାସପୁର, ଜଗନ୍ନାଥପୁର, ପିତାମହଲ ଯିବାକୁ ସକାଳଠୁ ଗାଡ଼ିକୁ ଅପେକ୍ଷା କରି ବସଷ୍ଟାଣ୍ଡ୍ ଓ କୋରାପୁଟ ଛକରେ ଅଟକି ରହିଥିଲେ। ଖବର ପାଇ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ପରେ ଏ ସଂପର୍କରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ଜିଲ୍ଲାପାଳଙ୍କ ନିର୍ଦେଶରେ ପିଏ ଆଇଟିଡିଏ ଟୁକୁ ବାରିକ୍ ବିଭାଗୀୟ କର୍ତୃପକ୍ଷଙ୍କୁ କୋରାପୁଟ ଛକକୁ ପଠାଇବା ପରେ ଅଟୋ କରାଯାଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଜକୁ ଘରକୁ ପଠା ଯାଇଥିଲା। ଲକଡାଉନ୍ ପରେ ସାରା ଜିଲ୍ଲାରେ କଟକଣା ଲାଗୁ କରାଯିବା ସହ ସମସ୍ତ ଯାନବାହନ ଚଳାଚଳ ଉପରେ ରୋକ୍ ଲଗାଇଛି ପ୍ରଶାସନ। ଏହା ସତ୍ତ୍ବେ ସ୍କୁଲ୍ କର୍ତୃପକ୍ଷ ପିଲାଙ୍କୁ ନିଜ ବ୍ୟବସ୍ଥାରେ ଯିବାକୁ କହି କେବଳ ହାତଲେଖା ଚିଠିଟିଏ ଦେଇ ଛାଡ଼ି ଦେଇଛନ୍ତି। ମଙ୍ଗଳ ବିଭାଗ ଦ୍ବାରା ସକାଳୁ ୫/୬ଟି ବସରେ ଦୂର ଦୂରାନ୍ତର ଛାତ୍ରଛାତ୍ରୀଙ୍କୁ ନେଇ ଛଡ଼ା ଯାଇଥିବା ପିଏ ଆଇଟିଡିଏ ଟୁକୁ ବାରିକ୍ ପ୍ରକାଶ କରିଛନ୍ତି। ୩୫ ହଜାର ଛାତ୍ରଛାତ୍ରୀ ଘରକୁ ଯିବାକୁ ଥିବା ବେଳେ ୫/୬ଟି ବସ୍ କରି ବିଭାଗୀୟ କର୍ତୃପକ୍ଷ ଚୁପ୍ ବସିବାକୁ ନେଇ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି। ବାଇକ୍ କିମ୍ବା ଅନ୍ୟ କୌଣସି ଗାଡ଼ିର ସୁବିଧା ନଥିବାରୁ କାଶୀପୁର ବ୍ଲକର ବିଭିନ୍ନ ସେବାଶ୍ରମରୁ ଆଜି ବହୁ ଅଭିଭାବକ ନିଜ ପିଲାଙ୍କୁ ନେଇ ମାଇଲ୍ ମାଇଲ୍ ଦୂର ଚାଲି ନିଜ ଗାଁରେ ପହଞ୍ଚିଛନ୍ତି।

ଜିଲ୍ଲାର ୩୦୩ ସେବାଶ୍ରମରେ ରହୁଛନ୍ତି ୫୦ ହଜାର ୯ ଶହ ଛାତ୍ରଛାତ୍ରୀ। ମାଟ୍ରିକ୍ ପରୀକ୍ଷା ଶେଷ ହେବା ପରେ କିଛି ଛାତ୍ରଛାତ୍ରୀ ଘରକୁ ଫେରି ଯାଇଛନ୍ତି। ଗତକାଲି ସୁଦ୍ଧା ୨୪ ହଜାର ଛାତ୍ରଛାତ୍ରୀ ଏବଂ ଆଜି ଅପରାହଣ୍ ସୁଦ୍ଧା ୧୩୧ ସେବାଶ୍ରମରୁ ଅନ୍ତେବାସୀଙ୍କୁ ଘରକୁ ପଠାଇ ଦିଆଯାଇଛି। ସଂଧ୍ୟା ସୁଦ୍ଧା ସମସ୍ତ ସେବାଶ୍ରମରୁ ଛାତ୍ରଛାତ୍ରୀଙ୍କୁ ଘରକୁ ଛାଡ଼ିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ଯାହା ମଙ୍ଗଳ ବିଭାଗର ମୁଣ୍ଡବ୍ୟଥାକୁ ବଢ଼ାଇଛି।

ସମ୍ବନ୍ଧିତ ଖବର