ରାୟଗଡ଼ା: ଲଗାଣ ବର୍ଷାରେ ନଦୀନାଳରେ ଏବେ ପାଣି ବଢ଼ିବାରେ ଲାଗିଛି। କେଉଁଠି ଆଣ୍ଠୁଏ ପାଣି ତ କେଉଁଠି ଅଂଟାଏ ପାଣି ହେଲାଣି। ଆଉ ଉଛୁଳା ନଦୀନାଳ ପାର ହୋଇ ଯିବା ବେଳେ ଟିକିଏ ଅସାବଧାନତା ହେଲେ ଘଟିଯାଇପାରେ ଅଭାବନୀୟ ଘଟଣା। ତେବେ ଲଗାଣ ବର୍ଷାରେ ମଧ୍ୟ ପାଠପଢ଼ାକୁ ବନ୍ଦ ନ କରି କାଦୁଅ ପଚପଚ ରାସ୍ତାରେ ବହିବସ୍ତାନୀ ଧରି କୁନି କୁନି ପିଲାମାନେ ସ୍କୁଲକୁ ଯାଉଥିବା ବେଳେ ବର୍ଷାଜଳରେ ଉଛୁଳା ନାଳର ଆରପାରିରେ ରହିଯାଉଛନ୍ତି ଶିକ୍ଷକ। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଳା ଅନ୍ତର୍ଗତ କାଶୀପୁର ବ୍ଳକର କାହ୍ନୁଗୁଡା ଗ୍ରାମରେ।
ବର୍ଷା ଦିନେ ନଦୀନାଳରେ ବନ୍ୟାଜଳ ପ୍ରବାହିତ ହେବା କିଛି ନୁଆ କଥା ନୁହେଁ। ହେଲେ ନଦୀ ଆରପାରିରେ ଥିବା ଗାଁକୁ ବାଟ ଓଗାଳୁଥିବା ଏଭଳି ନଦୀନାଳ ଯୋଗୁଁ ସ୍କୁଲ ପିଲାମାନେ ପାଠପଢାରୁ ବଂଚିତ ହେବେ। ରାୟଗଡା ଜିଲ୍ଳା କାଶୀପୁର ବ୍ଳକର କାହ୍ନୁଗୁଡା ଗ୍ରାମ ଏହାର ଏକ ଜ୍ୱଳନ୍ତ ଉଦାହରଣ। ଗତ ଦୁଇ ତିନି ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ବେଳେ କାହ୍ନୁଗୁଡା ଗାଁ ମୁଣ୍ଡରେ ପ୍ରବାହିତ ସତ୍ୟବତୀ ନଦୀରେ ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଛି। ଏହି ଉଛୁଳା ନଦୀ ପାର ହେଲେ ହିଁ ଆପଣ ଯାଇ ପାରିବେ କାହ୍ନୁଗୁଡା ଗ୍ରାମକୁ। ଆଉ ଏଭଳି ସମସ୍ୟାରେ ଦଶନ୍ଧି ଦଶନ୍ଧି ଧରି ଛନ୍ଦି ହୋଇ ଉଛୁଳା ପାଣିର ନାଳ ପାର ହୋଇ ଗାଁକୁ ଯାଉଛନ୍ତି କାହ୍ନୁଗୁଡା ଗ୍ରାମବାସୀ। ନିଜ ଜୀବନକୁ ବାଜି ଲଗାଇ ବାଧ୍ୟ ହୋଇ ଉଛୁଳା ନାଳ ପାର ହୋଇଥାନ୍ତି ଗ୍ରାମବାସୀ। ବର୍ଷା ଆସିଲେ କାହ୍ନୁଗୁଡା ଗ୍ରାମବାସୀଙ୍କ ଦୁଃଖ ଦ୍ୱିଗୁଣିତ ହୋଇଥାଏ।
ତେବେ ଏହି ନଦୀକୁ ପାର କରି ଶିକ୍ଷକ ମଧ୍ୟ ପ୍ରତିଦିନ କାହ୍ନୁଗୁଡା ବିଦ୍ୟାଳୟକୁ ପାଠ ପଢାଇବାକୁ ଆସନ୍ତି। ନିଜ ଜୀବନକୁ ବାଜି ଲଗାଇ ସତ୍ୟବତୀ ନଦୀକୁ ପାର କରି ସ୍କୁଲକୁ ଯାଇଥାନ୍ତି। ଶିକ୍ଷକ ଜୀବନକୁ ବାଜି ଲଗାଇ ଆସୁଥିବାରୁ ଅଭିଭାବକମାନେ ମଧ୍ୟ ଯେତେ ବର୍ଷା ହେଲେ ନିଜ ପିଲାଙ୍କୁ ବିଦ୍ୟାଳୟକୁ ଛାଡିବାକୁ ବାଧ୍ୟ ହେଉଛନ୍ତି। କାହ୍ନୁଗୁଡ଼ା ଗ୍ରାମବାସୀ ଜିଲ୍ଳା ପ୍ରଶାସନ ଠାରେ ବାରମ୍ବାର ଦାବି କରିଥିଲେ ମଧ୍ୟ ଗାଁ ପାଇଁ ଆଜି ଯାଏଁ ପକ୍କା ରାସ୍ତାଟିଏ ତଥା ସତ୍ୟବତୀ ନଦୀ ଉପରେ ସେତୁଟିଏ ନିର୍ମାଣ ହୋଇପାରୁନାହିଁ।ଯାହାକୁ ନେଇ ଗ୍ରାମବାସୀମାନେ ଅନ୍ୟ କୈାଣସି ବିକଳ୍ପ ନ ପାଇଁ ଉଛୁଳା ନାଳରେ ନିଜ ପିଲାଛୁଆ, ବୃଦ୍ଧବୃଦ୍ଧା, ମହିଳାଙ୍କୁ ନେଇ ଯାଆସ କରିଥାନ୍ତି। ସତ୍ୟବତୀ ନଦୀ କାହ୍ନୁଗୁଡା ଗ୍ରାମ ପାଇଁ ଦୁଃଖ ପାଲଟିଥିବା ବେଳେ ସରକାର ଓ ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନନେବା ଲୋକଙ୍କ ଦୁଃଖକୁ ଆହୁରି ବଢାଇ ଦେଇଛି।