ତେଲକୋଇ: ବୁଧବାର ଅପରାହ୍ଣରେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ଅଞ୍ଚଳରେ କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦିନ ସାଢେ ୨ଟା ବେଳେ ହଠାତ୍ ଆକାଶରେ ଅନ୍ଧାର ଘୋଟି ଯାଇ ବିଜୁଳି ଘଡ଼ଘଡ଼ି ସହିତ ଜୋରରେ ପବନ ବର୍ଷା ହୋଇଥିଲା। ପବନରେ ଦେଉଳଡିହା ପଞ୍ଚାୟତ ନୂଆଗଡ ଗ୍ରାମ ଗୌଡୁଣୀଦର ସାହିର ଶଙ୍କର ବଇପାୟୀଙ୍କ ଆଜବେଷ୍ଟସ ଛପର ସଂପୂର୍ଣ୍ଣ ଉଡାଇ ନେଇଛି। ଘର ଭିତରେ ଥିବା ଧାନ, ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ବର୍ଷାରେ ଭିଜି ନଷ୍ଟ ହୋଇଛି। ଫଳରେ ୪ ପ୍ରାଣୀ କୁଟୁମ୍ବ ବେସାହାରା ହୋଇପଡିଛନ୍ତି। ସେହିପରି ବୁନା ପ୍ରଧାନଙ୍କ ଆଜବେଷ୍ଟସ ଘର ଭାଙ୍ଗି ଯାଇଛି। କେତେକ ସ୍ଥାନରେ ଗଛ ଡାଳ ଭାଙ୍ଗିବା ସହିତ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଛି। ପବନ ପ୍ରଭାବରେ ଆମ୍ବ ଗଛରୁ ଆମ୍ବ ଝଡ଼ି ଯାଇଥିବାରୁ ଆମ୍ବ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି।

Advertisment

କରମଙ୍ଗି ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁର ପ୍ରାଥମିକ ବିଦ୍ୟାଳୟ ଆଜବେଷ୍ଟସ ଛପର ସଂପୂର୍ଣ୍ଣ ଉଡ଼ାଇ ଦେଇଛି। କୃଷ୍ଣପୁର କନ୍ୟାଶ୍ରମ ସମ୍ମୁଖରେ ଏକ ମହୁଲ ଗଛ ଉପୁଡ଼ି ପଡିବାରୁ କୃଷ୍ଣପୁର-ବାଲିଯୋଡି-ପୁରୁଯୋଡା-ବେଣାମୁଣ୍ଡା ରାସ୍ତା ଅବରୋଧ ହୋଇଛି। ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି। ସେହିପରି ବନବିହାରୀପୁର ଗ୍ରାମର ଦୁଷ୍ମନ୍ତ ମହାକୁଡ଼ ଏବଂ ରତ୍ନାକର ସାହୁଙ୍କ ଘର ଛପର ଉଡ଼ିଯାଇଥିବା ବେଳେ ପ୍ରାଥମିକ ବିଦ୍ୟାଳୟରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଝଡ଼ତୋଫାନରେ ବହୁ ବୃକ୍ଷ ଉପୁଡ଼ି ପଡ଼ିଛି। ନୂଆଗଡ, ତେଲକୋଇ, ଖୁଣ୍ଟାପଡା, କୁଲାଡେରା, ପଡାଙ୍ଗ, କୃଷ୍ଣପୁର ପ୍ରଭୃତି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବିଶେଷ କ୍ଷତି ହୋଇଛି। ଏନେଇ ତହସିଲଦାର ଅଶ୍ବିନୀକୁମାର ନାଏକଙ୍କୁ ପଚାରିବାରୁ କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବିତ କରିଛି। ରାଜସ୍ବ ନିରୀକ୍ଷକଙ୍କ ଦ୍ବାରା ତଦନ୍ତ କରାଯାଇ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।