ପ୍ରବଳ ବର୍ଷା: ଯୋରକୁ ଖସିଲା ସ୍କୁଲ ଭ୍ୟାନ-ମାରୁତି, ବର୍ତ୍ତିଲେ ଚାଳକ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଗୁରୁବାର ଲଘୁଚାପ ଜନିତ ବର୍ଷା ଯୋଗୁଁ ପରିସ୍ଥିତି ବେହାଲ ହୋଇପଡ଼ିଛି। ପ୍ରବଳ ବର୍ଷାରେ ଆଜି ଦୁଇ ଗୋଟି କାର ମୁହାଁମୁହଁ ଧକ୍କାରୁ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ସାଇଡ଼ ଓ୍ଵାଲରେ ଧକ୍କା ହୋଇ ଉଭୟ ଗାଡ଼ି ନୟନୀ ଯୋରକୁ ଖସିପଡ଼ିଥିଲା। ସୈାଭାଗ୍ୟ ବସତଃ ଗାଡ଼ିରେ ଜଣେ ଲେଖାଏଁ ଡ୍ରାଇଭର ଥିବା ବେଳେ କାହାରି କିଛି କ୍ଷତି ହୋଇନାହିଁ।

ଖବର ନେବାରୁ ଜଣାଯାଇଛି ଯେ, ଚାନ୍ଦବାଲି ବ୍ଲକ ମତୋ-ଧାମରା ରାସ୍ତା ମଦ କାଉଣ୍ଟର ନିକଟରେ ଆଜି ପୂର୍ବାହ୍ନ ୧୧ଟାରେ ଏହି ଦୁର୍ଘଟଣା ଘଟିଛି। ୨ଟି ଗାଡ଼ି ଦ୍ରୁତ ଗତିରେ ଯାଉଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ଏଥିରେ ବସିଥିବା ଚାଳକମାନେ ରାସ୍ତାର ସାମନା ପଟୁ ଆସୁଥିବା ଗାଡ଼ିକୁ ଦେଖିପାରି ନଥିଲେ। ଏହି ସମୟରେ ଅଚାନକ ଦୁଇ ଗାଡ଼ିର ଚାଳକ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଷ୍ଟିୟରିଗ ବୁଲାଇଥିବା ବେଳେ ଗାଡ଼ି ରାସ୍ତା ତଳକୁ ଖସିପଡ଼ିଥିଲା।

ଗୋଟିଏ ସ୍କୁଲ ଭ୍ୟାନ ଓ ଅନ୍ୟଟି ମାରୁତି କାର ସ୍କୁଲ ପିଲାଙ୍କୁ ଛାଡ଼ି ଫେରୁଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାଯାଇଛି। ଦୁର୍ଘଟଣାର ଶବ୍ଦ ଶୁଣି ରାସ୍ତା ନିକଟରେ ଥିବା ଲୋକମାନେ ଦୌଡ଼ି ଆସି ସେମାନଙ୍କୁ ଗାଡ଼ି ମଧ୍ୟରୁ ବାହାର କରିଥିଲେ।

ସମ୍ବନ୍ଧିତ ଖବର