ରାଜ୍ୟସ୍ତରୀୟ ବିଦ୍ୟାର୍ଥୀ ବିଜ୍ଞାନ ମନ୍ଥନ କାର୍ଯ୍ୟକ୍ରମ

ଖୋର୍ଦ୍ଧା: ଟାଙ୍ଗିଆପଡ଼ା ସ୍ଥିତି ବିବେକାନନ୍ଦ ଇନଷ୍ଟିଚ୍ୟୁଟ୍‌ ଅଫ୍ ଆଡଭାନ୍ସ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟେକ୍ନୋଲଜି ଠାରେ ରବିବାର ରାଜ୍ୟସ୍ତରୀୟ ବିଦ୍ୟାର୍ଥୀ ବିଜ୍ଞାନ ମନ୍ଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଆଇଆଇଟିର ନିର୍ଦ୍ଦେଶକ ଶ୍ରୀପ୍ରସାଦ କର୍ମାଲକର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଜ୍ଞାନିକ ମନୋଭାବ, ବୈଷିୟକ ଶିକ୍ଷା ଓ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ସମ୍ପର୍କରେ ଆଲୋଚନା କରିଥିଲେ। ସଶକ୍ତ ବିଜ୍ଞାନ ଦ୍ୱାରା ହିଁ ସଶକ୍ତ ଦେଶ ଗଠନ ହୋଇପାରିବ ବୋଲି ମତ ଦେଇଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ ବିଜ୍ଞାନ ଛାତ୍ର ଯୋଗଦେଇ ବିଜ୍ଞାନ ସମ୍ପର୍କରେ ମୌଖିକ ଓ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୈବଉଦ୍ଭିଦ ବିଜ୍ଞାନ ଓ ଗଣିତ ସମ୍ପର୍କରେ ପ୍ରୟୋଗାତ୍ମକ ପରୀକ୍ଷା ଦେଇଥିଲେ। ସୌଭାଗ୍ୟ ସ୍ୱାଇଁ, ଲିଙ୍ଗରାଜ ପ୍ରଧାନ, କିଶୋର ପାତ୍ର ପରୀକ୍ଷା ପରିଚାଳନା କରିଥିବା ବେଳେ କିଟ୍ ବିଶ୍ୱ ବିଦ୍ୟାଳୟର ସହକାରୀ ପ୍ରଫେସର ଡଃ. ଗୋପାଳକୃଷ୍ଣ ଚୌଧୁରୀ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ।

ବିପିୟୁଟିର ପୂର୍ବତନ କୁଳପତି ତଥା ଓଡ଼ିଶା ବିଜ୍ଞାନ ମଣ୍ଡଳର ସଭାପତି ଡଃ. ଚିତ୍ତରଂଜନ ତ୍ରିପାଠୀ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ। ଅନ୍ୟତମ ଅତିଥି ଭାବେ ନାଇଜରର ରେଜିଷ୍ଟାର ଡଃ. ଅଭୟ ନାୟକ ମଞ୍ଚାସୀନ ଥିଲେ। ବିଜ୍ଞାନ ମଣ୍ଡଳର ରାଜ୍ୟ ସମ୍ପାଦକ ଡଃ. ବିକାଶ ଜେନା ଅତିଥି ପରିଚୟ, ରାଜ୍ୟ ସଂଗଠନ ସମ୍ପାଦକ ଇଂ. ଅରୁଣ କୁମାର ସାହୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ବିଦ୍ୟାର୍ଥୀ ବିଜ୍ଞାନ ମନ୍ଥନର ରାଜ୍ୟ ସଂଯୋଜକ ଡଃ. ବିଦ୍ୟ କିଶୋର ପଣ୍ଡା ଧନ୍ୟବାଦ ଦେଇଥିଲେ। ଅନୁଷ୍ଠାନର ମୁଖ୍ୟ ଡଃ. ଧୀରେନ୍ଦ୍ର ନନ୍ଦ, ବିଜ୍ଞାନ ମଣ୍ଡଳର ରାଜ୍ୟ କୋଷାଧ୍ୟକ୍ଷ ସଂଜୟ ପଟ୍ଟନାୟକ, ଡଃ. ସ୍ମୃତି ତ୍ରିପାଠୀ, ଡଃ. ସୁଶାନ୍ତ ଦାଶ, ଡଃ. ଦେବଲକାନ୍ତି ସିଂହ, ଡଃ. ଗଣେଶ୍ୱର ପାଢ଼ୀ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର