ନାବାଳିକାଙ୍କ ଶବ ଠାବ ଘଟଣାରେ ସାଇଣ୍ଟିଫିକ୍ ଟିମ୍, ପୁଲିସର ତଦନ୍ତ

ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ସନ୍ଦେହ, ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

ପାତ୍ରପୁର: ଗଂଜାମ ଜିଲ୍ଲା ଜରଡ଼ା ଥାନା ଆଦିବାସୀ ଅଧ୍ୟୁଷିତ ବୁରାତାଲ୍ ପଞ୍ଚାୟତ ବଡ଼ଅଞ୍ଚୁପା ଗ୍ରାମରେ ଗତକାଲି ରାତିରେ ଜଣେ ନାବାଳିକାଙ୍କ ଶବ ଠାବ ହୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଆଜି ବ୍ରହ୍ମପୁରରୁ ସାଇଣ୍ଟିଫିକ୍ ଟିମ୍ ସହ ତହସିଲଦାର ଅମିତ କୁମାର ନାୟକ ଓ ଜରଡ଼ା ଥାନାଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ପରେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ନାବାଳିକାଜଣକ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ନିଜ ଓଢ଼ଣିକୁ ବେକରେ ବାନ୍ଧି ଝୁଲି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ମୃତ୍ୟୁ ପୂର୍ବରୁ ସେ ନିଜ ସାବତ ଭାଇଙ୍କ ସହ କଥାବାର୍ତ୍ତା କରିଥିଲେ।

ନାବାଳିକା ଜଣକ ଗ୍ରାମର ଜଣେ ପୁରୁଷଙ୍କ ସହ ପ୍ରେମ ସଂପର୍କ ରଖିଥିଲେ। ଏହା ଜାଣିବା ପରେ ଭାଇ ତାଙ୍କୁ ବୁଝାସୁଝା କରିଥିଲେ। ଏହାସହ ଗତକାଲି ନାବାଳିକାଜଣକ ଭାଇଙ୍କୁ ମୋବାଇଲ୍‌ରେ ‌କଲ୍ କରି ୭ହଜାର ଟଙ୍କା ମାଗିଥିଲେ। ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହାପରେ ନାବାଳିକାଜଣକ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି। କିନ୍ତୁ ନାବାଳିକାଙ୍କ ମାମୁ ଏହାକୁ ହତ୍ୟା ବୋଲି କହୁଛନ୍ତି। କେସ୍ ନମ୍ବର ୨୮୩ ଅନୁସାରେ ଏକ ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ କାରଣ ସ୍ପଷ୍ଟ ହେବ ବୋଲି ଥାନାଧିକାରୀ ଶ୍ରୀ ସ୍ବାଇଁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର