କେଭିଆର୍‌ କମ୍ପାନିର ୨୦ ଲକ୍ଷରୁ ଅଧିକ ଟଙ୍କାର ସ୍କ୍ରାପ୍ ଚୋରି, ମାମଲାକୁ ଚାପି ଦେବାକୁ ବଡ଼ ଡିଲ୍ !

ଜଗତସିଂହପୁର: ପାରାଦୀପ ବନ୍ଦରରେ କାର୍ଯ୍ୟରତ ଏକ କମ୍ପାନିର ନିର୍ମାଣାଧୀନ ରେଳ ଲାଇନ୍‌ ପାଇଁ କେଭିଆର ନାମକ ଏକ ଘରୋଇ କମ୍ପାନି ଆସିଥିଲା। ନେହେରୁ ବଙ୍ଗଳା ଗେଟ୍-୧ ନିକଟରେ ଏହି କମ୍ପାନି ନିଜର ଏକ ପ୍ଲାଣ୍ଟ୍ ତିଆରି କରିଥିଲା। ଏହି ପ୍ଲାଣ୍ଟ୍‌ଟି ରେଳ ଲାଇନ୍‌ ତିଆରି ସହ ରାସ୍ତା ନିର୍ମାଣ ମଧ୍ୟ କରେ। ମାତ୍ର କୌଣସି କାରଣରୁ ଏହି ପ୍ଲାଣ୍ଟ୍‌ଟି ୨୦୧୩ରୁ ବନ୍ଦ ହୋଇଗଲାଣି। ଏହାସହ ପାରାଦୀପ ବନ୍ଦର ପ୍ରଶାସନ ମଧ୍ୟ ଏହି କମ୍ପାନି ବିରୋଧରେ ମାମଲା ରୁଜୁ କରିଛି। ବର୍ତ୍ତମାନ ଏହା କୋର୍ଟରେ ବିଚାରଧୀନ ‌ଅଛି। ବନ୍ଦର ଗେଟ୍-୧ ନିକଟରେ ବନ୍ଦ ପଡ଼ିଥିବା ରାସ୍ତାରେ ଏହି ପ୍ଲାଣ୍ଟ୍ ନିର୍ମାଣ କରାଯାଇଥିଲା। ଯେହେତୁ ଦୀର୍ଘ ୯ ବର୍ଷ ହେଲା ଏହି ପ୍ଲାଣ୍ଟ୍‌ଟି ବନ୍ଦ ପଡ଼ିଛି ଓ ଏହାର ରକ୍ଷଣାବେକ୍ଷଣ କରିବାକୁ ମଧ୍ୟ କେହି ନଥିବାରୁ ଏହି ପ୍ଲାଣ୍ଟ୍‌ରେ ବ୍ୟବହାର ହୋଇଥିବା ସମସ୍ତ ସ୍କ୍ରାପ୍ ଗୁଡ଼ିକୁ ଚୋରି କରିବା ପାଇଁ ପାରାଦୀପର କିଛି ଜଣାଶୁଣା ଲୁଟେରାଙ୍କ ନଜର ପଡ଼ିଛି। ଏହାପରେ ସେମାନେ ସୁଯୋଗ ଦେଇ ପ୍ଲାଣ୍ଟ୍ ସ୍କ୍ରାପ୍ ଗୁଡ଼ିକୁ କାଟି ବିକ୍ରି କରି ଚାଲିଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୩ ଫୁଟର ଏକ ସ୍କ୍ରାପ୍ ଚୋରି ହୋଇଯାଇଥିବା ଜଣାପଡ଼ିଛି। ଚୋରି ହୋଇଥିବା

ଏହି ମାଲର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। କେବଳ ସେତିକି ନୁହେଁ ସେଠାରେ ଥିବା ବାକି ମାଲ୍ ଗୁଡ଼ିକୁ ମଧ୍ୟ ‌ଚୋରି କରିବା ପାଇଁ ସମସ୍ତ ଯୋଜନା କରାଯାଇଥିଲା। ଏହି ସମୟରେ ଖବର ପ୍ରଚାର ହୋଇଯିବା ପରେ ବନ୍ଦର ଇଷ୍ଟେଟ୍ ବିଭାଗରେ କାର୍ଯ୍ୟରତ ରାଜସ୍ବ ନିରୀକ୍ଷକ ସେଠାରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। କେବଳ ସେତିକି ନୁହେଁ ସାମୁଦ୍ରିକ ଥାନା ପୁଲିସ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଏ ନେଇ କୌଣସି ଅଭିଯୋଗ କରାଯାଇନଥିବାରୁ, ପୁଲିସ କୌଣସି ପଦକ୍ଷେପ ନେଇ ନାହିଁ। କେବଳ ସେତିକି ନୁହେଁ ପୂର୍ବରୁ ଷଣ୍ଢକୁଦ ନିକଟରେ କୋଟି କୋଟି ଟଙ୍କାର ଡିସିଆଇ ପାଇପ୍ ଚୋରି ମାମଲାରେ ଗିରଫ ହୋଇଥିବା ଯୁବକମାନେ ଏହି ଘଟଣାରେ ସମ୍ପୃକ୍ତି ଥିବା ଶୁଣିବାକୁ ମିଳୁଛି। ଏଣୁ ଏହି ମାମଲାକୁ ଚାପି ଦେବା ପାଇଁ ସେମାନେ ଏକ ବଡ଼ ଧରଣର ଡିଲ୍ କରୁଥିବା ଚର୍ଚ୍ଚା ଚାଲିଛି। ପୁଲିସ ଘଟଣାର ତଦନ୍ତ କରି ଏହ‌ି ଚୋରି ମାମଲାରେ ସମ୍ପୃକ୍ତସମସ୍ତଙ୍କୁ ଗିରଫ କରିବା ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର