୩ ବର୍ଷ ପରେ ପୂରଣ ହେଲା ଏସଡିସି ଅଧ୍ୟକ୍ଷ ପଦ: ଅନସୂୟା ମାଝି ଅଧ୍ୟକ୍ଷା, ବନମାଳୀ ଉପାଧ୍ୟକ୍ଷ

୨୦୧୯ରୁ ମୁରବି ବିହୀନ ହୋଇ ପଡିଥିଲା ସଂସ୍ଥା

ରାୟଗଡ଼ା: ୩ ବର୍ଷ ପରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି) ଅଧ୍ୟକ୍ଷ ପଦବି ପୂରଣ କରିଛନ୍ତି ରାଜ୍ୟ ସରକାର। ଆଦିବାସୀ ନାରୀ ନେତ୍ରୀ ତଥା ରାୟଗଡ଼ା ଜିଲ୍ଲା ବିଜେଡି ସଭାନେତ୍ରୀ ଅନୁସୂୟା ମାଝିଙ୍କୁ ଅଧ୍ୟକ୍ଷ ଏବଂ ବନମାଳୀ କାଡ୍ରକାଙ୍କୁ ଉପାଧ୍ୟକ୍ଷ ଭାବେ ମନୋନିତ କରିଛନ୍ତି। ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ୨୭ ତାରିଖରେ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିବା ପରେ ମୁରବି ବିହୀନ ହୋଇ ପଡିଥିବା ଏସଡିସି ପୁଣି କାର୍ଯ୍ୟକ୍ଷମ ହେବା ନେଇ ଆଶା ଉଜ୍ବଳ ହୋଇଛି।

ଆଦିବାସୀଙ୍କ ସଂସ୍କୃତି ଓ ଐତିହ୍ୟ ପୀଠ ଗୁଡ଼ିକର ବିକାଶ ପାଇଁ ରାଜ୍ୟ ସରକାର ୨୦୧୮ ମାର୍ଚ୍ଚରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଥିଲେ। ମାର୍ଚ୍ଚ  ୯ରେ ରାୟଗଡ଼ା ଏସଡିସିର ପ୍ରଥମ ଅଧ୍ୟକ୍ଷ ଭାବେ ଯୁବ ଆଦିବାସୀ ନେତା ଜଗନ୍ନାଥ ନୁଣ୍ଡ୍ରୁକା ଦାୟିତ୍ବ ଗ୍ରହଣ କରିଥିଲେ। ପରିଷଦ ପାଇଁ ଗଠିତ ୧୫ ଜଣିଆ କମିଟିରେ ରାୟଗଡ଼ା ବ୍ଲକରୁ ୨, ମୁନିଗୁଡାରୁ ଜଣେ, ବିଷମକଟକରୁ ୨, କୋଲନରାରୁ ଜଣେ, କଲ୍ୟାଣସିଂହପୁରରୁ ଜଣେ, ଚନ୍ଦ୍ରପୁରରୁ ଜଣେ, ଗୁଣପୁରରୁ ୨ ଜଣ, ଗୁଡାରିରୁ ଜଣେ, ପଦ୍ମପୁରରୁ ୨, କାଶୀପୁରରୁ ଜଣେ ସଦସ୍ୟ ରହିଥିଲେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ରାୟଗଡ଼ା ଜିଲ୍ଲାକୁ ୩୨ କୋଟିର ଅନୁଦାନ ଯୋଗାଇ ଦେଇଥିଲେ। ପରିଷଦର ନୋଡାଲ୍ ଅଫିସର ରାୟଗଡ଼ା ପିଏ ଆଇଟିଡିଏଙ୍କୁ ଚୟନ କରାଯାଇଥିଲା। ଅନୁଦାନ ପରେ ୧୧ ବ୍ଲକରେ ବିକାଶମୂଳକ କାମ ଆରମ୍ଭ କରାଯାଇ ଆଦିବାସୀଙ୍କ ସଂସ୍କୃତି ସହ ଜଡ଼ିତ ବିଭିନ୍ନ ପୀଠ ଓ ସାଂସ୍କୃତିକ କ୍ଲବର ପୁନରୁଦ୍ଧାର କରାଯାଇଥିଲା।

୨୦୧୯ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହେବା ପରେ ଏସଡିସି ଭାଙ୍ଗିଯିବା ପରେ ବିକାଶ ଅଟକି ଥିଲା। ଅନୁଦାନ ଅଭାବରୁ ବହୁ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡି ରହିଥିବା ବେଳେ ୨୦୧୯ ନିର୍ବାଚନ ଶେଷ ପରେ ମଧ୍ୟ ସରକାର ପ୍ରକଳ୍ପ ବାବଦକୁ ଟଙ୍କାଟିଏ ଅନୁଦାନ ଦେଇନାହାନ୍ତି। ବାରମ୍ବାର ଏସଡିସି ପଦବିକୁ ନେଇ ଲବି ଚାଲିଥିଲେ ମଧ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିଲେ। ଫଳରେ ଲବିରେ ଥିବା ନେତାମାନେ ଆଶା, ଆଶଙ୍କାରେ ଦିନ କାଟୁଥିଲେ। ଜଗନ୍ନାଥଙ୍କ ପରେ ଏସଡିସି ଅଧ୍ୟକ୍ଷ ପଦବି ଅନୁସୂୟା ମାଝି, ଶକୁନ୍ତଳା ମାଝି, ଅଶ୍ବିନୀ ଗମାଙ୍ଗ ଦୌଡ଼ରେ ଥିଲେ। ଶେଷରେ ସରକାର ଅନୁସୂୟା ମାଝିଙ୍କ ନାମ ଉପରେ ‌ମୋହର ଲଗାଇଛନ୍ତି।

ଦ୍ବିତୀୟ ଥର ପାଇଁ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଦାୟିତ୍ବ ତୁଲାଉଥିବା ଅନୁସୂୟାଙ୍କ ରାଜନୀତିରେ ଅଭିଜ୍ଞତା ଥିବା କାରଣରୁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଅଧ୍ୟକ୍ଷ ଭାବେ ମନୋନିତ ହେବା ପରେ ଅନୁସୂୟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କୁ କୃତଜ୍ଞତା ଜଣାଇବା ସହ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ଜିଲ୍ଲା ସଭାପତି ସୁଧୀର ଦାଶ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲିଙ୍କୁ ସାକ୍ଷାତ କରିଛନ୍ତି। ସେହିପରି ଉପାଧ୍ୟକ୍ଷ ଭାବେ କଲ୍ୟାଣସିଂହପୁରର ବନମାଳୀ କାଡ୍ରକାଙ୍କୁ ସରକାର ଉପାଧ୍ୟକ୍ଷ ପଦବିରେ ଥଇଥାନ କରିଛନ୍ତି।

 

ସମ୍ବନ୍ଧିତ ଖବର