ଉଜୁଡ଼ୁଛି ବେଳାଭୂମି ସୌନ୍ଦର୍ଯ୍ୟ; ଇକୋ-ରିଟ୍ରିଟ୍ ଯୋଜନା ପ୍ରହସନ!

୬ ମାସ ନ ପୂରୁଣୁ କାଠ ପୋଲ ମରାମତି, ଦୁଇ ବର୍ଷ ହେଲା ସଜଡ଼ା ହେଉନି ଖେଳ ଉପକରଣ

ଜଗତସିଂହପୁର: ପାରାଦୀପ ସମୁଦ୍ର ବେଳାଭୂମି ପ୍ରତି ପର୍ଯ୍ୟଟକମାନେ ଖୁବ୍‌ ଆକୃଷ୍ଟ ହେଉଛନ୍ତି। ଏଥିପାଇଁ ଛୁଟିଦିନରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ବେଳାଭୂମିରେ ଭିଡ଼ ଜମାଉଛନ୍ତି। ମାତ୍ର ବେଳାଭୂମିର ସୌନ୍ଦର୍ଯ୍ୟ ଦିନକୁ ଦିନ ବିଗିଡ଼ି ଯାଉଥିବାରୁ ପର୍ଯ୍ୟଟକମାନେ ଅସନ୍ତୁଷ୍ଟ ହେଉଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବେଳାଭୂମିରେ ଏକ କାଠ ପୋଲ ତିଆରି କରାଯାଇଥିଲା। ଏହି ପୋଲ ନିର୍ମାଣକୁ ୬ ମାସ ହୋଇନି, ଏହା ଭାଙ୍ଗି ଗଲାଣି। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସମ୍ପୃକ୍ତ ଠିକାଦାର ପୁଣି ଥରେ ଏହାକୁ ମରାମତି କରାଇଛନ୍ତି। କେବଳ ସେତିକି ନୁହେଁ ବେଳାଭୂମିରେ ଛୋଟ ଛୋଟ ପିଲାମାନଙ୍କ ପାଇଁ ଥିବା ବିଭିନ୍ନ ଉପକରଣ ୨ ବର୍ଷରୁ ଅଧିକ ଦିନ ହେବ ଭାଙ୍ଗି ଗଲାଣି। ତଥାପି ପାରାଦୀପ ପୌରପାଳିକା ପକ୍ଷରୁ ଏଥିପ୍ରତି ଗୁରୁତ୍ବ ଦିଆଯାଉ ନାହିଁ। ଏମିତି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାରେ ଇକୋ-ରିଟ୍ରିଟ୍ ଯୋଜନାକୁ କାର୍ଯ୍ୟକାରୀ କରାଇବା କେତେ ଯୁକ୍ତିଯୁକ୍ତ, ଏହା ଜଣାପଡ଼ୁ ନାହିଁ। ବେଳାଭୂମିରେ କାଠ ପୋଲ ନିର୍ମାଣ ପାଇଁ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହି ପୋଲ ଦ୍ବାରା ପର୍ଯ୍ୟଟକ ଚାଲି ଚାଲି ଯାଇ ସମୁଦ୍ର ନିକଟରେ ପହ‌ଞ୍ଚି ଢେଉର ମଜା ନେଇପାରିବେ। ଏଭଳି ଚିନ୍ତା କରି ତତ୍‌କାଳୀନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏମିତି ଏକ ଯୋଜନା କରିଥିଲେ। ଏହି ପୋଲ ନିର୍ମାଣ ହେବା ପରେ ପର୍ଯ୍ୟଟକଙ୍କ ଦ୍ବାରା ଏହା ବେଶ୍ ଆଦୃତ ହେଲା। ବାଲିରେ ଚାଲି ଚାଲି ଯାଉଥିବା ପର୍ଯ୍ୟଟକଙ୍କୁ ଏହା ଦ୍ବାରା ବେଶ୍ ସହାୟକ ହେଉଥିଲା। ମାତ୍ର ଏହି ପୋଲ ନିର୍ମାଣର ୬ମାସ ନ ପୂରୁଣୁ ଏଥିରୁ କାଠ ଭାଙ୍ଗିବା ଆରମ୍ଭ କଲା। ଏମିତିକି ପୋଲ ନିର୍ମାଣ କରିଥିବା ଠିକାଦାର ଜଣକ ଏପର୍ଯ୍ୟନ୍ତ ତାଙ୍କର ସମ୍ପୂର୍ଣ୍ଣ ବିଲ୍ ମଧ୍ୟ ପାଇ ନାହାନ୍ତି।

Sambad

କେମିତି କାମ ହୋଇଥିଲା ଯେ, ଏହା ଏତେ ଶୀଘ୍ର ଭାଙ୍ଗି ଗଲା। ଏହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦାୟିତ୍ବରେ ଥିବା ଅତିରିକ୍ତ ଜିଲ୍ଲାପାଳ ଡ. କାହ୍ନୁଚରଣ ଧୀରଙ୍କ ତାଗିଦ ପରେ ଠିକାଦାର ଜଣକ ଏହାକୁ ପୁଣି ଥରେ ମରାମତି କରାଇଛନ୍ତି। ଏତେ ଟଙ୍କା ବ୍ୟୟରେ ପୋଲଟି ନିର୍ମାଣ କରାଯାଉଥିବା ସମୟରେ ପୌର ପ୍ରଶାସନ ତଦାରଖ ନକରିବା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମରାମତି ପରେ ପୁଣି ଥରେ ଏହି ପୋଲଟି କେତେ ସୁଦୃଢ଼ ରହିଛି, ଏହା କିଛି ଦିନ ପରେ ଜଣାପଡ଼ିଯିବ। ସେହିପରି ବେଳାଭୂମିରେ ପୂର୍ବରୁ ପ୍ଲାଷ୍ଟିକ୍‌ ଖେଳଣା ସହ ଦୋଳି ଲଗାଯାଇଥିଲା। ମାତ୍ର ସେଗୁଡ଼ିକ ଭାଙ୍ଗି ଯାଇଛି। ଦୋଳି ଗୁଡ଼ିକୁ ଖୋଲି ନିଆଯାଇଛି। ଏହାସହ ପିଲାମାନେ ବୋଟିଂ କରିବା ପାଇଁ ସେଠାରେ ଏକ ପାଣିକୁଣ୍ତ ତିଆରି କରାଯାଇଥିଲା। ମାତ୍ର କୋଭିଡ୍ କଟକଣା ଆରମ୍ଭ ହେବା ସମୟରେ ହିଁ ଏହାକୁ ବନ୍ଦ କରି ଦିଆଯାଇଛି। ଏଣୁ ପୁଣି ଥରେ ବେଳାଭୂମିର ସୌନ୍ଦର୍ଯ୍ୟ କେବେ ଫେରିବ, ତାହା କାହାକୁ ଜଣାନାହିଁ। ପର୍ଯ୍ୟଟକମାନେ ମଧ୍ୟ ଏହି ସୁବିଧା ସୁଯୋଗ ନ ପାଇ ହଇରାଣ ହେବା ସହ ଅସନ୍ତୁଷ୍ଟ ଅଛନ୍ତି। ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ଓ ପୌର ପ୍ରଶାସନକୁ ନିବେଦନ କରିଛନ୍ତି। ଏ ନେଇ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ବରେ ଥିବା ଡ.ଶ୍ରୀ ଧୀର କହିଛନ୍ତି ଯେ, ମାସକ ମଧ୍ୟରେ ପିଲାଙ୍କ ଖେଳିବା ପାଇଁ ସମସ୍ତ ବନ୍ଦୋବସ୍ତ କରାଯିବ। ପିଲାମାନଙ୍କ ବୋଟିଂର ବ୍ୟବସ୍ଥା ମଧ୍ୟ କରାଯିବ। ସମସ୍ତ ଯୋଜନା ଏଥିପାଇଁ ପ୍ରସ୍ତୁତ କରାଯାଇଛି। କୌଣସି ଏକ ଯୋଗ୍ୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଏହାର ନିର୍ମାଣ ଦାୟିତ୍ବ ଦିଆଯିବାକୁ ଯୋଜନା କରାଯାଇଛି।

ସମ୍ବନ୍ଧିତ ଖବର