ବ୍ରହ୍ମପୁର: ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ପ୍ରକୃତିର ସନ୍ତୁଳନ ବିଗିଡ଼ିବାରେ ଲାଗିଛି। ଗ୍ରୀଷ୍ଣର ପ୍ରକୋପ ବଢ଼ିବା ସାଙ୍ଗକୁ ଦିନକୁ ଦିନ ସମୁଦ୍ର ଲଙ୍ଘି ଜନବସତି ପ୍ରତି ବିପଦ ସୃେ୍ଟି କରୁଛି। ଏଥିପାଇଁ ଉପକୂଳବର୍ତ୍ତୀ ଗଞ୍ଜାମ ଜିଲ୍ଲାର ୫ଟି ବ୍ଲକ୍ର ତଟବର୍ତ୍ତୀ ଗାଁଗୁଡ଼ିକ ପ୍ରତି ଆଗକୁ ବିପଦ ଘନେଇ ଆସୁଛି। ଗଞ୍ଜାମ ବ୍ଲକ୍ର ଗୋଟିଏ ମତ୍ସ୍ୟଜୀବୀ ଗାଁ ପୋଡ଼ମପେଟା ସମୁଦ୍ର ଆଁରେ ହଜି ସାରିଲାଣି। ସେପଟେ ଚିକିଟି ବ୍ଲକ୍ର ରାମେୟାପାଟଣା ଗାଁର ଖଣ୍ଡେ ଖଣ୍ଡେ ଗତ ଦଶବର୍ଷ ଭିତରେ ପର୍ଯ୍ୟାୟ କ୍ରମେ ସମୁଦ୍ର ଗିଳି ଚାଲିଛି। ବାରମ୍ବାର ଦେଖା ଦେଉଥିବା ପ୍ରାକୃତିକ ବିପର୍ଯ୍ୟାୟ ଯୋଗୁଁ ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି। ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ, ଗଞ୍ଜାମ, ଛତ୍ରପୁର, ରଂଗେଇଲୁଣ୍ଡା ଓ ଚିକିଟି ସମୁଦ୍ର କୂଳରେ ରହିଛି। ବିଶେଷ କରି ଗଞ୍ଜାମ ଓ ଚିକିଟି ବ୍ଲକ୍ର କିଛି ଗାଁକୁ ଏବେ ସମୁଦ୍ର ଭୟ ଲାଗି ରହିଛି।
ବିଶ୍ବର ୭ଟି ବିଶ୍ବବିଦ୍ୟାଳୟର ବିଶେଷଜ୍ଞଙ୍କ ଦ୍ବାରା ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଆସନ୍ତା ୨୦୫୦ ସୁଦ୍ଧା ଓଡ଼ିଶା ଉପକୂଳର ପ୍ରାୟ ୨ଶହ କିମି ବେଳାଭୂମି ଅବକ୍ଷୟ ହେବ। ଯଦି ଏ ଧାରା ଜାରି ରହେ, ତେବେ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲା ପାଇଁ ଏକ ବଡ଼ ବିପଦ ଘନେଇ ଆସୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଗଞ୍ଜାମ ଉପକୂଳ ପ୍ରାୟାଗୀ ଠାରୁ ସୁନାପୁର ପର୍ଯ୍ୟନ୍ତ ପ୍ରାୟ ୬୦ କିମି ବେଳାଭୂମି ରହିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ସମୟରେ ଉପକୂଳ ଅଞ୍ଚଳବାସୀ ପ୍ରାକୃତିକ ଦୁର୍ବିପାକର ସାମ୍ନା କରୁଛନ୍ତି। ସମୁଦ୍ର ଅଶାନ୍ତ ହୋଇ କୂଳ ଖାଇ ଆଗକୁ ମାଡ଼ି ଯାଉଛି। ଫଳରେ ସମୁଦ୍ର ନିକଟରେ ରହିଥିବା ଗାଁ ପ୍ରତି ବିପଦ ସୃଷ୍ଟି ହେଉଛି। ଗଞ୍ଜାମ ବ୍ଲକ୍ର ପୋଡ଼ମପେଟା(ପୁରୁଣା) ଗ୍ରାମରେ ୨ଶହରୁ ଅଧିକ ପରିବାରବର୍ଗ ରହୁଥିଲେ। ସମୁଦ୍ରରୁ ମାଛ ଧରି ଏହି ଗ୍ରାମବାସୀ ଜୀବନଜୀବିକା ନିର୍ବାହ କରୁଥିଲେ। କାଳକ୍ରମେ ଜଳବାୟୁରେ ପରିବର୍ତ୍ତନ ଘଟି ଗତ ୨୦୦୭ରୁ ସମୁଦ୍ର ଅଶାନ୍ତ ହୋଇ ବେଳାଭୂମି ଅବକ୍ଷୟ ଆରମ୍ଭ ହୋଇଥିଲା। ଧୀରେ ଧୀରେ କୂଳ ଖାଇ ପୋଡ଼ମପେଟା ଗ୍ରାମବାସୀଙ୍କ ଘରଦ୍ବାର ସମୁଦ୍ର ଜୁଆରରେ ଭାଙ୍ଗି ଧୋଇ ହୋଇ ଯାଇଥିଲା।
ଅନୁଧ୍ୟାନରୁ ଜଣାପଡ଼ିଛି ଯେ ୧୯୯୦ରୁ ସମୁଦ୍ର ୫୨.୩୬ ମିଟର୍ ଆଗକୁ ବଢ଼ିଛି। ୨୦୫୦ ସୁଦ୍ଧା ଆହୁରି ୪୪ମିଟର୍ ବୃଦ୍ଧି ହେବା ନେଇ ଅନୁମାନ କରାଯାଇଛି। ସାମୁଦ୍ରିକ ସୁରକ୍ଷା ଆଇନ ଅନୁସାରେ ପୋଡ଼ମପେଟା ଗ୍ରାମ ସମୁଦ୍ର ଠାରୁ ୨କିମି ଭିତରେ ଥିବା ବେଳେ ବାରମ୍ବାର କୂଳ ଖାଉଥିବା ଯୋଗୁଁ ଗାଁକୁ ସ୍ଥାନାନ୍ତର କରାଯାଇଥିଲା। ୨୦୧୭ ମସିହାରେ ଗଞ୍ଜାମ ତହସିଲ ରାମଗଡ଼ ପଞ୍ଚାୟତ ଝାଡ଼ିପଦରରେ ଓଡିଆର୍ପିରେ ସରକାରଙ୍କ ତରଫରୁ ପରିବାରବର୍ଗଙ୍କୁ ଘର ଯୋଗାଇ ଦିଆଯାଇଥିଲା। ଚିକିଟି ବ୍ଲକ୍ର ରାମେୟାପାଟଣା ଗାଁ ପ୍ରତି ମଧ୍ୟ ବିଭିନ୍ନ ସମୟରେ ବିପଦ ମାଡ଼ି ଆସୁଛି। ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଏହି ଗ୍ରାମବାସୀଙ୍କ ପାଇଁ ଗାଁ ଠାରୁ ପ୍ରାୟ ୩କିମି ଦୂରରେ ଓଡିଆର୍ପିରେ ଘର ତିଆରି କରାଯାଇଛି। ହେଲେ ମାଛ ଧରିବା ବ୍ୟତୀତ ଅନ୍ୟ କୌଣସି ରୋଜଗାର ପନ୍ଥା ନଥିବାରୁ ଗ୍ରାମବାସୀ ଗାଁ ଛାଡ଼ୁ ନାହାନ୍ତି। ଫଳରେ ପ୍ରତିବର୍ଷ ଦେଖା ଦେଉଥିବା ପ୍ରାକୃତିକ ଦୁର୍ବିପାକ ସମୟରେ ରାମେୟାପାଟଣା ଗାଁର ଘର ଭାଙ୍ଗି ଯାଉଥିବା ଦେଖିବାକୁ ମିଳୁଛି।
ଏ ସମ୍ପର୍କରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ମେରାଇନ୍ ସାଇନ୍ସ ବିଭାଗର ପ୍ରଫେସର ପ୍ରତାପ ମହାନ୍ତି କହନ୍ତି, ସମୁଦ୍ର ଲଙ୍ଘିବାର ବିଭିନ୍ନ କାରଣ ରହିଛି। ସାଧାରଣତଃ ପୂର୍ଣ୍ଣମୀରେ ସମୁଦ୍ରରେ ବଡ଼ବଡ଼ ଜୁଆର ସୃଷ୍ଟି ହୋଇଥାଏ। ଏହି ସମୟରେ ଯଦି ସାମୁଦ୍ରିକ ଝଡ଼ ବାତ୍ୟା ରୂପ ନିଏ, ସମୁଦ୍ର ଅଧିକ ଅଶାନ୍ତ ହୋଇ କୂଳ ଲଙ୍ଘିଥାଏ। ଏହା ପ୍ରାକୃତିକ ପର୍ଯ୍ୟାୟ ହୋଇଥାଏ। ଦ୍ବିତୀୟରେ ମୁହାଣର ଦିଗ ପରିବର୍ତ୍ତନ ଅବକ୍ଷୟର ଅନ୍ୟତମ କାରଣ। ଋଷିକୁଲ୍ୟା ନଦୀର ମୁହାଣ ଉତ୍ତର ଦିଗକୁ ବଢ଼ିବା ଯୋଗୁଁ ପୋଡ଼ମପେଟାରେ ଅବକ୍ଷୟ ଦେଖା ଦେଇଛି। ତୃତୀୟରେ ସମୁଦ୍ର ଭିତରେ ଯଦି କୌଣସି ସ୍ଥାୟୀ ନିର୍ମାଣ କରାଯିବ ତା’ ହେଲେ ମଧ୍ୟ ଅବକ୍ଷୟ ଦେଖା ଦେଇଥାଏ। ଗୋପାଳପୁର ବନ୍ଦର ଯୋଗୁଁ ଉତ୍ତର ଦିଗ ବେଳାଭୂମି ଅବକ୍ଷୟ ହେଉଛି। କିନ୍ତୁ ଦକ୍ଷିଣ ଦିଗରେ ଥିବା ଗୋପାଳପୁର ବେଳାଭୂମିରେ ଆଉ ଅବକ୍ଷୟ ଦେଖାଦେଉ ନାହିଁ। ୧୯୭୮ ପରଠାରୁ ଗଞ୍ଜାମ ଜିଲ୍ଲାର ବେଳାଭୂମିରେ ଅବକ୍ଷୟ ହ୍ରାସ ପାଇଛି। ଗଞ୍ଜାମ ଉପକୂଳ ଅବକ୍ଷୟ ସେଭଳି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରି ନାହିଁ। କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଏହି ୩ଟି କାରଣ ଯୋଗୁଁ ଏବେ ଅବକ୍ଷୟ ଦେଖା ଦେଉଛି ବୋଲି ପ୍ରଫେସର ମହାନ୍ତି କହିଛନ୍ତି।