ଏରସମା: ଏରସମା ବ୍ଳକ ପଦ୍ମପୁର ପଂଚାୟତ ସ୍ଥିତ କଳାବେଦିଠାରୁ ରାମତରା ପର୍ଯ୍ୟନ୍ତ ଲଘୁଚାପ ଜନିତ ବଷାର୍ ଓ ପୁଣ୍ଣିମା ପାଇଁ ସମୁଦ୍ର ଅଶାନ୍ତ ହେବା ଫଳରେ ସମୁଦ୍ର ଜୁଆର ମାଡ଼ରେ ନୋଳିଆ ସାହି ଓ ରାମତରା ପର୍ଯ୍ୟନ୍ତ ଘାଇ ହେବା ଦ୍ବାରା ଗାଁ ଗଣ୍ତାରେ ଲୁଣି ପାଣି ମାଡ଼ି ଯାଇଛି। ଫଳରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବ୍ଳକ ପ୍ରଶାସନ ପକ୍ଷରୁ ନୋଳିଆସାହି ଗ୍ରାମର ଲୋକମାନଙ୍କୁ ନୋଳିଆସାହିରେ ଥିବା ରେଡ଼କ୍ରସ ଘରେ ଆଶ୍ରୟ ଦିଆଯାଇଛି। ଲୋକମାନଙ୍କର କ୍ଷୟକ୍ଷତି କିପରି ନହେବ ବ୍ଲକ ପକ୍ଷରୁ ବିଡିଓ କୈଳାସ ଚନ୍ଦ୍ର ବେହେରା ,ପଦ୍ମପୁର ଓ ଗଡ଼ ହରିଶପୁର ପଂଚାୟତର ସରପଞ୍ଚ ଓ କାର୍ଯ୍ୟନିବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ କଳାବେଦି ପାଖରେ ଗତବର୍ଷ ଏହି ବର୍ଷା ଦିନରେ ସମୁଦ୍ର ଜୁଆରମାଡ଼ି ଆସି ୫୦ଫୁଟର ଘାଇ ହେବା ଦ୍ବାରା ଲୋକମାନେ ନାହିଁ ନଥିବାର ସମସ୍ୟାର ସମ୍ମୁଖୀନ ହୋଇଥିଲେ। ପଥର ବନ୍ଧ ନିର୍ମାଣ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଠିକାଦାରଙ୍କ ଜରିଆରେ ଗଡ଼ ହରିଶପୁର ଠାରୁ ନୋଳିଆସାହି ପର୍ଯ୍ୟନ୍ତ ପଥର ବନ୍ଧ ନିର୍ମାଣ କରାଯାଇଥିଲେ ମଧ୍ୟ ତାହା ନିମ୍ନମାନର ହୋଇଥିବାରୁ ଜୁଆର ମାଡ଼ରେ ସେହି ପଥର ପ୍ୟାକିଂ ଭାଙ୍ଗିଯାଉଛି। ନୋଳିଆସାହି ଗାଁ ପାଖରେ ପଥରବନ୍ଧ କରା ନ ଯାଇଥିବା କାରଣରୁ ସମୁଦ୍ରପାଣି ଗାଁ ଭିତରକୁ ପଶି ଆସୁଛି। ସେହି ବନ୍ଧକୁ ଶିଆଳି ଦେଇ ରାମତରା ପର୍ଯ୍ୟନ୍ତ ନିର୍ମାଣ କରାଗଲେ ଜୁଆର ପାଣି ଗ୍ରାମ ଭିତରକୁ ପ୍ରବେଶ କରିପାରିବ ନାହିଁ ବୋଲି ଦୁଇ ପଞ୍ଚାୟତର ପୂର୍ବତନ ସରପଂଚ କେଶବ ପାତ୍ର ଓ ଭିମସେନ ରାଉତ ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ। ଏହା ସହିତ ଶିଆଳି ବେଳାଭୂମିର ଭ୍ୟୁ ଟାୱାର୍କୁ ରକ୍ଷା କରିବା ପାଇଁ ପ୍ରତି ବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ସମୁଦ୍ର ଜୁଆର ମାଡ଼ରେ ଧୋଇ ହୋଇଯାଉଛି।
୨୦୧୩ରେ ଏହି ଶିଆଳି ବେଳାଭୂମି ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିଲେ ମଧ୍ୟ ସେଠାରେ କିଛି ଆଖିଦୃଶିଆ ଉନ୍ନୟନ କାର୍ଯ୍ୟ କରାଯାଉନାହିଁ। ଫଳରେ ପର୍ଯ୍ୟଟକମାନେ ପିକ୍ନିକ୍ ଋତୁରେ ନାହିଁ ନଥିବା ହଇରାଣ ହେଉଛନ୍ତି। ସେଠାରେ ୫୦ ଫୁଟର ଘାଇ ହେବା ଦ୍ବାରା ଏକ ନୂଆ ମୁହାଣ ସୃଷ୍ଟି ହୋଇଛି। ସେହିବାଟେ ମାଡ଼ି ଆସୁଥିବା ସମୁଦ୍ର ଜୁଆର ପାଣି ମେରାଇନ୍ବିଚ୍କୁ ଧୋଇ ନେଇଯାଇଛି। ବିଶେଷ କରି ସମୁଦ୍ର ଉପକୂଳରୁ ଚୋରାରେ ବାଲି ନେଇଯିବା, ଅବାଧ ଗଛ କଟା, ଲୁଣା ଜଙ୍ଗଲ ନଷ୍ଟହେବା ଯୋଗୁଁ ସମୁଦ୍ରକୂଳ ଖାଇ ପାଣି ଗାଁ ଭିତରକୁ ପଶିଆସୁଛି। ଏଥିପ୍ରତି ପ୍ରଶାସନର କୌଣସି ପଦକ୍ଷେପ ନେଉନାହିଁ ବୋଲି ଗ୍ରାମବାସୀ କ୍ଷୋଭର ସହ କହିଛନ୍ତି। ନୋଳିଆସାହି ଠାରେ ଘାଇ ହେବା ଯୋଗୁଁ ସଂପୂର୍ଣ୍ଣ ନୋଳିଆସାହିର ସମସ୍ତ ପରିବାର ଆତଙ୍କିତ ଅବସ୍ଥାରେ ରହିଥିବାବେଳେ ରାମତରା ଗ୍ରାମବାସୀ ମଧ୍ୟ ଆତଙ୍କିତ ହୋଇପଡିଛନ୍ତି। ଶିଆଳିରେ ପାଣି ପଶି ଭ୍ୟୁ ଟାୱାର ଭୁଶୁଡି ପଡିବାକୁ ବସିଲାଣି। ବାରମ୍ବାର ପ୍ରଶାସନ ନିକଟରେ ଦାବିକଲେ ମଧ୍ୟ କୈଣସି ସୁଫଳ ମିଳୁନାହିଁ ବୋଲି ନୋଳିଆସାହି ଓ ରାମତରା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ନୋଳିଆସାହିଠାରେ ପଥରବନ୍ଧ କରିବାକୁ ଗଡହରିଶପୁରର ସମାଜସେବୀ ଗୌରାଙ୍ଗ ଜେନା, ନୋଳିଆସାହି ଗ୍ରାମବାସୀଙ୍କ ପକ୍ଷରୁ ଶଶଧର ମଂଡଳ, ନୀଳକଣ୍ଠ ମଂଡଳ, ଲାଲୁ ଦାସ ପ୍ରମୁଖ ଦାବି କରିଛନ୍ତି। ସମୁଦ୍ର କୂଳେ କୂଳେ ଦୃଢ଼ ପଥର ବନ୍ଧ ନିର୍ମାଣ କରାନଗଲେ ସମୁଦ୍ର ଜୁଆରରେ ଗଡ଼ହରିଶପୁର ଓ ପଦ୍ମପୁର ପଂଚାୟତର କେତେକ ଗ୍ରାମ ସମୁଦ୍ରରେ ଲୀନ ହେବ ବୋଲି ବୁଦ୍ଧିଜୀବୀ ଆଶଙ୍କା ବ୍ୟକ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/2_6.jpg)