ରାଉରକେଲା: ସୁନ୍ଦରଗଡ଼ରେ ପ୍ରଦୂଷଣ ସୃଷ୍ଟିକାରୀ କାରଖାନାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଛାଟ। ଜିଲ୍ଲାରେ ବଢ଼ିଚାଲିଥିବା ପ୍ରଦୂଷଣର ମାତ୍ରା ହ୍ରାସ କରିବାକୁ ବିଭାଗ ମାର୍ଗଦର୍ଶିକାକୁ କଡ଼ାକଡି କରିଛି। ଜିଲ୍ଲାରେ ଯେଉଁମାନେ ପ୍ରଦୂଷଣ ନିୟମ ଭଙ୍ଗ କରୁଛନ୍ତି, ସେମାନଙ୍କ ବି‌ରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ ହୋଇଛି। କଲୁଙ୍ଗା ଗୋଇଭଙ୍ଗାସ୍ଥ ମେଟା ସ୍ପଞ୍ଜ ଆଇରନ୍‌ କାରଖାନା ଓ ରାଜଗାଙ୍ଗପୁରର ଟାୟାର ପଲିମର କାରଖାନାକୁ ସିଲ୍‌ କରାଯାଇଛି। ମାଜିଷ୍ଟ୍ରେଟ୍‌ ଓ ଆଞ୍ଚଳିକ ପ୍ରଦୂଷଣ ଅଧିକାରୀଙ୍କ ଉପସ୍ଥିତିରେ ଏସବୁ କାରଖାନାକୁ ସିଲ୍‌ କରା ଯାଇଥିବା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସେମିତି ୧୧ଟି ସ୍ପଞ୍ଜ ଆଇରନ୍‌, କେମିକାଲ, ଷ୍ଟିଲ, ପେପର୍‌, ରାଇସ୍‌ ମିଲ୍‌ ଓ ଫେବ୍ରିକେସନ ୟୁନିଟ୍‌କୁ କାରଣଦର୍ଶାଅ ନୋଟିସ୍‌ ଜାରି ହୋଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୃକ୍ତ କାରଖାନା ମାଲିକ ସନ୍ତୋଷଜନକ ଉତ୍ତର ରଖି ନ ପାରିଲେ, କାରଖାନାଗୁଡ଼ିକୁ ସିଲ୍‌ କରାଯିବ ବୋଲି ତାଗିଦ କରାଯାଇଛି। ସେମିତି ଆଉ ୨୧ଟି ସ୍ପଞ୍ଜ ଆଇରନ୍, ଫର୍ଣ୍ଣେସ୍‌, ଷ୍ଟିଲ୍‌, ୱାର୍କସପ୍‌ ଓ ଅଟୋମୋବାଇଲ୍‌ ସଂସ୍ଥାର ମାଲିକଙ୍କୁ ପ୍ରଦୂଷଣ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ଚେତାବନୀ ଦିଆଯାଇଛି। ପ୍ରଦୂଷଣ ବିଭାଗ ପକ୍ଷରୁ ଗଠିତ ସ୍ବତନ୍ତ୍ର ଟିମ୍‌ ଗତ ଜୁନ୍‌ ଓ ଜୁଲାଇ ମାସରେ ପ୍ରଦୂଷଣ ସୃଷ୍ଟିକାରୀ ଜିଲ୍ଲାର ବହୁ କାରଖାନା ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ କିଛି ସ୍ପଞ୍ଜ ଆଇରନ୍‌ କାରଖାନା ନିୟମିତ ଭାବେ ଇଏସ୍‌ପି ନ ଚଳାଇବା ଓ କାରଖାନାରୁ ନିର୍ଗତ ବର୍ଜ୍ୟଜଳକୁ ଟ୍ରିଟ୍‌ମେଣ୍ଟ ନକରି ଛାଡି ଦେଉଥିବା ଯାଞ୍ଚରୁ ଜାଣିବାକୁ ପାଇଥିଲେ। ଶିବା ମେଟାଲିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌,‌ କଲୁଙ୍ଗାସ୍ଥ ବଜରଙ୍ଗବଲି ସ୍ପଞ୍ଜ ଆଣ୍ଡ ପାୱାର ପ୍ରାଇଭେଟ୍‌ ଲିମିଟେଡ୍‌, ଲାଠିକଟା ବିରକେରାସ୍ଥ ଶ୍ରୀବାଲାଜୀ ମେଟାଲିକ୍ସ ଲିମିଟେଡ୍‌କୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।

Advertisment

ସେମିତି ବଣାଇର ସୁରେନ୍ଦ୍ର ମାଇନିଂ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌, କଲୁଙ୍ଗା ଆଇଡିସିର ପୂଜା ସ୍ପଞ୍ଜ ପ୍ରାଇଭେଟ୍‌ ଲିମିଟେଡ୍‌, ରାଜାମୁଣ୍ଡାର ଭାସ୍କର ଷ୍ଟିଲ ଆଣ୍ଡ ଫେରୋ ଆଲଏଜ ପ୍ରାଇଭେଟ୍‌ ଲିମିଟେଡ୍‌, କଲୁଙ୍ଗାସ୍ଥ ଶ୍ରୀ ମହାବୀର ଫେରୋ ଆଲଏଜ୍‌ ପ୍ରାଇଭେଟ୍‌ ଲିମିଟେଡ, ରାଜାମୁଣ୍ଡା ତୁମକେଲାର ବିକ୍ରମ ପ୍ରାଇଭେଟ୍‌ ଲିମିଟେଡ୍‌, କୁଆରମୁଣ୍ଡା ଲୋଡସରାର ଟିପି ସାଓ ଆଣ୍ଡ ସନ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌, କୁଆରମୁଣ୍ଡାର ସ୍ବସ୍ତିକ ଇସ୍ପାତ ପ୍ରାଇଭେଟ୍‌ ଲିମିଟେଡ୍‌, ବଣାଇ କେନ୍ଦ୍ରିକଳାର ଶ୍ରୀହରି ସ୍ପଞ୍ଜ ପ୍ରାଇଭେଟ୍‌ ଲିମିଟେଡ୍‌, କେସରମାଲ୍‌ ବରପାଲିର ସୁରଜ ପ୍ରଡକ୍ଟ ଲିମିଟେଡ୍‌, ରାଜାମୁଣ୍ଡା ଭାସ୍କର ଷ୍ଟିଲ ଆଣ୍ଡ ଫେରୋ ଆଲଏଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଓ କୁଆରମୁଣ୍ଡା ଲୋଡସରାର ଟିପି ସାଓ ଆଣ୍ଡ ସନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌କୁ ପ୍ରଦୂଷଣ ସୃଷ୍ଟି କରୁଥିବାରୁ ତାଗିଦ କରାଯାଇଛି।

ଆଗାମୀ ଦିନରେ ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଡାକଡ଼ି କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ଜାନୁଆରି ହକି ବିଶ୍ବକପ୍‌ ପୂର୍ବରୁ କଲୁଙ୍ଗା, କୁଆରମୁଣ୍ଡା ଶିଳ୍ପାଞ୍ଚଳରେ ୨୨ଟି ସ୍ପଞ୍ଜ ଆଇରନ୍‌ କାରଖାନାକୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବନ୍ଦ ହୋଇଥିବା ସ୍ପଞ୍ଜ କାରଖାନାଗୁଡ଼ିକ ମଧ୍ୟରେ କଲୁଙ୍ଗାର ରିଲାଏବୁଲ ସ୍ପଞ୍ଜ ପ୍ରାଇଭେଟ୍‌ ଲିମିଟେଡ୍‌, ଶ୍ରୀ ମହାବୀର ଫେରୋ ଆଲଏଜ ପ୍ରାଇଭେଟ୍‌ ଲିମିଟେଡ, ବଜରଙ୍ଗବଲି ସ୍ପଞ୍ଜ ଆଣ୍ଡ ପାୱାର ଲିମିଟେଡ, ରାଉରକେଲା ସ୍ପଞ୍ଜ (ତାରିଣି ସ୍ପଞ୍ଜ), ମେଟା ସ୍ପଞ୍ଜ ପ୍ରାଇଭେଟ୍‌ ଲିମିଟେଡ୍‌, ପୂଜା ସ୍ପଞ୍ଜ, ବର୍ବରିକ ଷ୍ଟିଲ ପ୍ରାଇଭେଟ୍‌ ଲିମିଟେଡ, ସ୍ପଞ୍ଜ ଉଦ୍ୟୋଗ, ଟାଇମ୍ସ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍‌, ଉତ୍କଳ ମେଟାଲିକ୍ସ ଲିମିଟେଡ୍‌, କୁଆରମୁଣ୍ଡାର ଶ୍ରୀ ଗଣେଶ ମେଟାଲିକ୍ସ ଲିମିଟେଡ, ଆଧୁନିକ ମେଟାଲିକ୍ସ ଲିମିଟେଡ (ଲିବର୍ଟି ହାଉସ୍‌), ପବନଜୟ ସ୍ପଞ୍ଜ ଆଇରନ୍‌ ଲିମିଟେଡ୍‌, ସ୍ବସ୍ତିକ ଇସ୍ପାତ ପ୍ରାଇଭେଟ ଲିମିଟେଡ, ଠାକୁର ପ୍ରସାଦ ସାଓ ଆଣ୍ଡ ସନ୍ସ ପ୍ରାଇଭେଟ୍‌ ଲିମିଟେଡ, ଖେଦେରିଆ ଇସ୍ପାତ ଲିମିଟେଡ, ମା’ ସାକମ୍ବରୀ ସ୍ପଞ୍ଜ, ସାଇ ଶ୍ରଦ୍ଧା ଷ୍ଟିଲ ପ୍ରାଇଭେଟ୍‌ ଲିମିଟେଡ୍‌ ଇତ୍ୟାଦି ରହିଥିଲା।