ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୃଷି ବିଭାଗ ପକ୍ଷରୁ ବୋଡ଼େନ ବ୍ଲକର ବିଭିନ୍ନ ଗାଁର ସାର ବିକ୍ରୟ କେନ୍ଦ୍ରରେ ଚଢ଼ଉ କରାଯାଇଛି। ୩ ଜଣ ଡିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ବେଳେ ୨ ଜଣଙ୍କ ଗୋଦାମ୍ ସିଲ୍ କରାଯାଇଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ହିମାଂଶୁ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ବୋଡ଼େନ ବ୍ଲକ ଖିରମାଲ ଗ୍ରାମର ଗଜିନ୍ଦ୍ର ଅଦାଙ୍କ ସାର ବିକ୍ରୟ କେନ୍ଦ୍ରରେ ଚଢ଼ଉ କରିଥିଲେ। ସେଠାରେ ସାର ସହ ସିମେଣ୍ଟ ମିଶ୍ରଣ କରି ଚାଷୀଙ୍କୁ ବିକ୍ରି କରୁଥିବା ଜାଣି ବିଭାଗ ପକ୍ଷରୁ ଗୋଦାମକୁ ସିଲ୍ କରାଯିବା ସହ ସାରର କୌଣସି କାଗଜପତ୍ର ନଥିବାରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।
୭ ଦିନ ମଧ୍ୟରେ କାଗଜପତ୍ର ନଦେଖାଇଲେ ଲାଇସେନ୍ସ ବାତିଲ୍ କରାଯିବ ବୋଲି ସୂଚନା ଦିଆଯାଇଛି। ସେହିପରି ଲର୍କା ଗ୍ରାମର କନକ ବେହେରାଙ୍କ ସାର ବିକ୍ରୟ କେନ୍ଦ୍ରରେ ଚଢ଼ଉ କରାଯାଇଥିଲା। କୌଣସି କାଗଜପତ୍ର ନଥିବାରୁ ଡିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଦେବା ସହ ଗୋଦାମକୁ ସିଲ କରାଯାଇଛି। ପରେ ଅନକାପୁରର ଅଜିତ ପଣ୍ଡାଙ୍କ ସାର ବିକ୍ରୟ କେନ୍ଦ୍ରରେ ଚଢ଼ାଉ କରାଯାଇଥିଲା। ଏକ ଘର ଭିତରେ ସାର ରଖିଥିବାରୁ ତାଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଦିଆଯାଇଛି। ଏହି ଚଢ଼ଉ ସମୟରେ ବୋଡ଼େନ ତହସିଲଦାର ମାଜିଷ୍ଟ୍ରେଟ୍ ଭାବେ ରହିଥିବା ବେଳେ ସିନାପାଲି ସହକାରୀ କୃଷି ଅଧିକାରୀ ସୁଧାଂଶୁ ମେହେର, ବୋଡେ଼ନ ଥାନା କର୍ମଚାରୀ ପ୍ରମୁଖ ସାମିଲ ଥିଲେ।