ଭୋଗରାଇ: ଜୀବନଜୀବିକାର ଆଧାର ହେଉଛି ସମୁଦ୍ର। ହେଲେ ଏବେ ଏହି ସମୁଦ୍ର ଲୋକଙ୍କ ଜୀବନଜୀବିକା ଉଜାଡ଼ୁଛି। ସେହିପରି ଉପକୂଳବାସୀଙ୍କ ଭିଟାମାଟି ଗର୍ଭସ୍ଥ କରିବା ପାଇଁ ଆଗକୁ ଆଗକୁ ମାଡ଼ିଆସୁଛି। ସମସ୍ୟାର ସମାଧାନ ପାଇଁ ଲୋକମାନେ ବିଭିନ୍ନ ସମୟରେ ଉଜୁଡ଼ା ଝାଉଁ ଜଙ୍ଗଲ ଅଞ୍ଚଳରେ ଗଛ ଲଗାଇବା ଏବଂ ଦୁର୍ବଳାଞ୍ଚଳରେ ଲୁଣାବନ୍ଧ ନିର୍ମାଣ କରିବାକୁ ଦାବି କରି ଆସୁଛନ୍ତି। ହେଲେ ସରକାରୀ କଳ ଏ ଦିଗରେ ଧ୍ୟାନ ଦେଉନାହିଁ।

Advertisment

ବଙ୍ଗୋପସାଗର କୂଳରେ ରହିଛି ବାଲେଶ୍ବର ଜିଲ୍ଲା। ଜିଲ୍ଲା ଅଧୀନ ଭୋଗରାଇ ବ୍ଲକ୍‌ର ପଶ୍ଚିମବଙ୍ଗ ସୀମାନ୍ତ ଉଦୟପୁରଠାରୁ କୀର୍ତ୍ତନିଆ ପର୍ଯ୍ୟନ୍ତ; ପ୍ରାୟ ୧୬ କିମି ଉପକୂଳ ଅଞ୍ଚଳ ଏବେ ବିପଦରେ। ଅମ୍ଫାନ ବାତ୍ୟା ବେଳେ ସମୁଦ୍ରର ବଡ଼ ବଡ଼ ଜୁଆର ଓ ପବନ ଯୋଗୁଁ ସବୁଜ ପ୍ରାଚୀର ପରି ଛିଡ଼ା ହୋଇ ଉପକୂଳକୁ ସୁରକ୍ଷା ଦେଉଥିବା ଝାଉଁ ଜଙ୍ଗଲ ଧ୍ବଂସ ହୋଇଯାଇଛି। ଫଳରେ ଏବେ ସମୁଦ୍ରରୁ ପବନ ସିଧାସଳଖ ଉପକୂଳରେ ମାଡ଼ ହୋଇ ଅନେକ କ୍ଷତି କରୁଛି। ବେଳାଭୂମିର ପର୍ଯ୍ୟଟନ ଶିଳ୍ପ କ୍ଷତିଗ୍ରସ୍ତ ହେଉଛି। ମାଛଧରା ଜେଟି ଓ ଡଙ୍ଗା ସହ ହୋଟେଲ୍‌ ଆଦି ଉପରେ ପ୍ରଭାବ ପଡ଼ୁଛି। ସେହିପରି ଦୁର୍ବଳ ସ୍ଥାନରେ ଜୁଆର ପାଣି ଜନବସତି ଆଡ଼କୁ ମାଡ଼ି ଆସୁଛି। ଚାଷଜମି ମଧ୍ୟ ନଷ୍ଟ ହେଉଛି। ସାହାବାଜିପୁର, ହୁଗୁଳି, ଗୋଚ୍ଛିଦାତେଘରୀ, ଶ୍ରଦ୍ଧାପୁର, କାନ୍ଥିଭଉଁରୀ, ନାରାୟଣ ମହାନ୍ତି ପଡ଼ିଆ, କୁମ୍ଭୀରଗଡ଼ି ଆଦି ପଞ୍ଚାୟତ ଅଧୀନ ଶହଶହ ଗ୍ରାମର ଲୋକ ପ୍ରଭାବିତ ହେଉଛନ୍ତି।

ତେବେ ସମସ୍ୟାର ସମାଧାନ ପାଇଁ ଲୋକମାନେ ବିଭିନ୍ନ ସମୟରେ ଉଜୁଡ଼ା ଝାଉଁ ଜଙ୍ଗଲ ଅଞ୍ଚଳରେ ବ୍ୟାପକ ଗଛ ଲଗାଇବା ଏବଂ ୧୬ କିମି ଉପକୂଳ ଅଞ୍ଚଳରେ ଲୁଣାବନ୍ଧ ନିର୍ମାଣ କରିବା ପାଇଁ ଦାବି କରିଆସୁଛନ୍ତି। ହେଲେ ସରକାରୀ କଳ ଏ ଦିଗରେ ଧ୍ୟାନ ଦେଉନାହିଁ। ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ବେଫିକର। ଦାବିପତ୍ର ସବୁ ଫାଇଲ୍‌ ତଳେ ଚାପି ହୋଇ ରହିଯାଇଛି। ତେବେ ଏପରି ସଂଗିନ ପରିସ୍ଥିତିରେ ସରକାର ତୁରନ୍ତ ଝାଉଁ ଜଙ୍ଗଲ ସୃଷ୍ଟି ଓ ଲୁଣାବନ୍ଧ ନିର୍ମାଣ କରିବା ​ଦିଗରେ ପଦକ୍ଷେପ ନେବା ଉଚିତ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।