ଲକଡାଉନରେ ୧୫୦୦ କେନ୍ଦୁପତ୍ର ସିଜନାଲ କର୍ମଚାରୀଙ୍କ ଅବସ୍ଥା ଅସମ୍ଭାଳ

ଦାଦନ ଫେରନ୍ତା ପୁଅର ରୋଜଗାର ବନ୍ଦ,୨୮ ବର୍ଷ ପରେ ନିଯୁକ୍ତିରୁ ବାଦ

ସମ୍ବଲପୁର: ୨୮ ବର୍ଷ ହେଲା ଖରା ମାସ ବେଳକୁ ୩ ମାସ ପାଇଁ କେନ୍ଦୁପତ୍ର ଫଡ଼ିରେ ମୁନସି କାର୍ଯ୍ୟ କରି ଆସୁଥିଲି। ମାତ୍ର ଜୀବନ ଯେତେବେଳେ ରୋଜଗାରର ସର୍ବାଧିକ ଆବଶ୍ୟକତା ରହିଛି, ଲକଡାଉନ ଯୋଗୁଁ ଯେଉଁ ସମୟରେ କାର୍ଯ୍ୟ ଠପ ପଡ଼ିଛି, ସେହି ସମୟରେ ଅନାବଶ୍ୟକ ଭାବରେ ଫଡ଼ି ବନ୍ଦ କରି କାର୍ଯ୍ୟରୁ ବଞ୍ଚିତ କରି ଦିଆଗଲା। ଏହା କହିଛନ୍ତି ସମ୍ବଲପୁର କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ମହୁଲପାଲି ଫଡ଼ିରେ ମୁନସି କାର୍ଯ୍ୟ କରୁଥିବା ଚନ୍ଦ୍ରଭାନୁ ନାରଙ୍ଗ(୫୭)। ଏହା କେବଳ ଉଦାହରଣ ମାତ୍ର କେନ୍ଦୁପତ୍ର ସଂଗ୍ରହରେ କାର୍ଯ୍ୟରତ ମୁନସି, ଚପରାସୀ ଭଳି ରାଜ୍ୟର ୧୫୦୦ ସିଜନାଲ କର୍ମଚାରୀଙ୍କୁ ଲକଡାଉନ ସମୟରେହିଁ ରୋଜଗାରକୁ ବନ୍ଦ କରି ଦିଆଯିବା ସମୁଦାୟ ବ୍ୟବସ୍ଥାକୁ ଶକ୍ତ ଧକ୍କା ହୋଇଛି। ଏହା ବିରୋଧରେ କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ପତ୍ର ଦିଆଯାଇଛି।

ସୂଚନା ଅନୁଯାୟୀ, ଚଳିତ ବର୍ଷ ସମ୍ବଲପୁର ଡିଭିଜନର ୪୩ ସମେତ ଓଡ଼ିଶାର ୪୩୦ ଫଡ଼ି ଉଚ୍ଛେଦର ଯୋଜନା କରିଥିଲେ ରାଜ୍ୟ ସରକାର। କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଆନ୍ଦୋଳନ ପରେ ଏହି ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ କରାଯାଇଛି। ଏହା ସତ୍ତ୍ବେ ସମ୍ବଲପୁର ଡିଭିଜନର ୬ ଫଡ଼ି ସମେତ ରାଜ୍ୟର ୧୭୫ ଫଡ଼ି କାର୍ଯ୍ୟକ୍ଷମ କରିବା ଦିଗରେ ଡିଏଫଓ କୌଣସି ପଦକ୍ଷେପ ନେଲେ ନାହିଁ। ଏପରିକି ଲକଡାଉନ ସମୟରେ ଯେତେବେଳେକି ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କୁ ଭତ୍ତା ଦିଆଯାଉଛି, ଚାକିରି ଛଟେଇନ ନକରିବା ପାଇଁ ପରାମର୍ଶ ଦିଆଯାଉଛି। ସେହି ସମୟରେ ନିଜେ ପିସିସିଏଫ ଚପରାସି, ମୁନସି ଭଳି କର୍ମଚାରୀଙ୍କୁ ରୋଜଗାରକୁ ବଞ୍ଚିତ କରିଛନ୍ତି। ଚନ୍ଦ୍ରଭାନୁ କହନ୍ତି, ସେମାନେ ଭୂମିହୀନ ପରିବାର। ମୁଲିଆ କାର୍ଯ୍ୟ କରି ପରିବାର ପୋଷଣ କରନ୍ତି।

ବର୍ତ୍ତମାନ ସମୟରେ ରୋଜଗାର ମିଳୁନି। ବଡ଼ ପୁଅ ତାମିଲନାଡ଼ୁରେ ସୁତାକଳରେ କାର୍ଯ୍ୟ କରୁଥିଲେ। ସେ ମଧ୍ୟ କରୋନା ଭୟରେ ଅନେକ ପୂର୍ବରୁ ଘରକୁ ଚାଲି ଆସିଥିବାରୁ ଆୟ ବନ୍ଦ ଅଛି। ଏଭଳି ସ୍ଥିତିରେ ୩ ମାସର ମୁନସି କାମରେ ମିଳିବାକୁ ଥିବା ୯୪୦୦ ଟଙ୍କା ତାଙ୍କ ପରିବାରକୁ ସାମାନ୍ୟ ଆଶ୍ବସ୍ତ କରିବ ବୋଲି ଆଶା ଥିଲା। ଯାହା ଧୂଳିସାତ ହୋଇ ଯାଇଛି। ମହୁଲପାଲିରେ ଗୋଦାମ ଥିଲେ ମଧ୍ୟ କାହିଁକି ଏଠାରେ ଫଡ଼ି ବନ୍ଦ କରାଯାଉଛି ଏହାକୁ ନେଇ କେନ୍ଦୁପତ୍ର ତୋଳାଳିମାନେ ମଧ୍ୟ ପ୍ରଶ୍ନ କରିଛନ୍ତି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ରେଞ୍ଜ ଅନ୍ତର୍ଗତ ଗଡ଼ମୁଣ୍ଡାର ସୁରେନ୍ଦ୍ର ପାଣ୍ଡେଙ୍କ ସେହି ସ୍ଥିତି ରହିଛି। ୨୭ ବର୍ଷ ହେଲା ଏହି କାର୍ଯ୍ୟ କରୁଥିଲେ, ଏହି ଲକଡାଉନରେ ସ୍ତ୍ରୀ, ବାପା, ମା, ସ୍ତ୍ରୀ ଏବଂ ଯୁକ୍ତ ଦୁଇ ପଢୁଆ ଛାତ୍ର ପାଇଁ ଏହି ବେତନ ଆଶ୍ବସ୍ତ କରିଥାଆନ୍ତା।

ମାତ୍ର ଅଚାନକ ଆର୍ଥିକ ଦୁର୍ଗତି ସମୟରେ ଫଡ଼ି ବନ୍ଦ କରାଯାଇଛି। ଚପରାସି କାମ କରୁଥିବା ମାନପୁର ଫଡ଼ିର କୁଞ୍ଜବିହାରୀଙ୍କ ପାଇଁ ୨ ମାସର ଏହି କାର୍ଯ୍ୟରେ ମିଳୁଥିବା ବେତନ ତାଙ୍କ ଗୋଟିଏ ବର୍ଷର ବେତନ ଠାରୁ ଅନେକ ଅଧିକ। କେନ୍ଦୁପତ୍ର କର୍ମଚାରୀ ସଂଘ ସମ୍ପାଦକ ସଂଜିତ ମହାନ୍ତି କହିଛନ୍ତି, କୌଣସି ପ୍ରକାର ଅର୍ଥ ଖର୍ଚ ବିନା କେନ୍ଦୁପତ୍ରରୁ ସରକାର କୋଟି-କୋଟି ଟଙ୍କା ଆୟ କରୁଛନ୍ତି। ଏଥିରେ କେନ୍ଦୁପତ୍ର ତୋଳାଳିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଫଡ଼ିରେ କାର୍ଯ୍ୟରତ ଚପରାସି, ମୁନସିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସେମାନଙ୍କୁ ରୋଜଗାର ବଞ୍ଚିତ କରିବା ପିସିସିଏଫ ପାଇଁ ଦୁର୍ଭାଗ୍ୟଜନକ।

ସମ୍ବନ୍ଧିତ ଖବର